ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସଧାରଣତଃ କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି। ଚାଷୀ ଏହିଦିନ ଶୁଭ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଆନ୍ତି। ଏହା ସହିତ ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ। ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ସେହି ନୈବେଦ୍ୟକୁ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କୁହନ୍ତି।

ଅନ୍ୟପଟେ ପବିତ୍ର ଅକ୍ଷୟ ତୃତୀୟାରେ ଆଜିଠାରୁ ଆରମ୍ଭ ହେବ ରଥନିର୍ମାଣ ପାଇଁ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ରାତି ୩ଟାରୁ ମହାପ୍ରଭୁଙ୍କର ଦ୍ୱାର ଫିଟା ନୀତି କରାଯାଇ ଅନ୍ୟାନ୍ୟ ନୀତି ବଢିଛି । ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଛି । ଦ୍ୱାଦଶଯାତ୍ର ବନ୍ଦାପନା ପରେ ଚନ୍ଦନ ଠାକୁରମାନେ ସାଢ଼େ ୩ଟା ମଧ୍ୟରେ ବିମାନକୁ ବିଜେ କରିବେ ।

ଏହା ସହିତ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ମଦନମୋହନଙ୍କର ବନ୍ଦାପନା ନୀତି କରାଯିବ । ଏହାପରେ ମହାପ୍ରଭୁଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାଳ ବିଜେ କରିବେ । ଚନ୍ଦନଠାକୁରମାନେ ବାହାର ଚନ୍ଦନଯାତ୍ରା ଓ ରଥ ନିର୍ମାଣ ଅନୁକୁଳ ପାଇଁ ବିମାନ ବିଜେ କରି ବଡଦାଣ୍ଡକୁ ଓହ୍ଲାଇବେ । ସେପଟେ ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ଫୁଟିଆ ଧଉରା କାଠକୁ ରଖାଯାଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ । ସେପଟେ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ହେବ । ଏଥି ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇଛି ।

Leave a Reply

Your email address will not be published. Required fields are marked *