ଗତ ୨ ଦିନ ହେଲା ରାଜ୍ୟରେ ଦୁଇଟି ଅଭାବନୀୟ ଘଟଣା ଘଟିଛି । ପୁରୀରେ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଓ ପଶ୍ଚିମଓଡ଼ିଶାରେ ଅଂଶୁଘାତଜନିତ ମୃତ୍ୟୁ ଚିନ୍ତାର କାରଣ ପାଲଟିଛି । ଉଭୟ ଘଟଣାରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କିଭଳି ଅବ୍ୟବସ୍ଥିତ ରହିଛି ତାହା ଜଣାପଡୁଛି ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତିି ।

ପ୍ରେସ ବିବୃତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପୁରୀର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ସମୟରେ ବାଣ ଫୁଟିବା ଯୋଗୁ ଅଦ୍ୟାବଧି ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪ରୁ ଊର୍ଦ୍ଧ୍ୱ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ଦୁଃଖର ବିଷୟ ହେଲା ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଥିବାବେଳେ “ବର୍ଣ୍ଣ ୟୁନିଟ” ନ ଥିବାରୁ ଗୁରୁତରମାନଙ୍କୁ ଜରୁରୀକାଳୀନ ଚିକିତ୍ସାସେବା ମିଳିପାରିନଥିଲା । ଏବେ ସେମାନଙ୍କୁ କଟକ ଓ ଭୁବେନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି ପଶ୍ଚିମ ଓଡ଼ିଶାରେ ଗତ ୨୪ ଘଂଟା ମଧ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା ୪୩ରେ ପହଂଚିଥିବାବେଳେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଶହଶହ ଲୋକ ଚିକିତ୍ସିତ ହେଉଛନ୍ତି । ରାଉରକେଲା, ସୁନ୍ଦରଗଡ଼, ବଲାଙ୍ଗିର ଓ ଝାରସୁଗଡ଼ାରେ ଏହି ସମସ୍ୟା ଉଦ୍‌ବେଗଜନକ ହୋଇଛି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ପାଣିପାଗ ବିଭାଗର ସତର୍କତା ସତ୍ୱେ ଅଂଶୁଘାତଜନିତ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ପାଇଁ ସରକାର ସେଭଳି କୌଣସି ପଦକ୍ଷେପ ନେଲେନାହିଁ । ଚିକିତ୍ସାଳୟ ଗୁଡ଼ିକରେ ଏନେଇ ପର୍ଯ୍ୟାପ୍ତ ବ୍ୟବସ୍ଥା କଲେ ନାହିଁ । ଏହାର ଫଳସ୍ୱରୁପ ଅଂଶୁଘାତରେ ପୀଡିତଙ୍କୁ ତ୍ୱରିତ ଉନ୍ନତମାନର ଚିକିତ୍ସାସେବା ମିଳପାରିିଲା ନାହିଁ । ଫଳରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅଂଶୁଘାତଜନିତ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଏହା ସମସ୍ୟାର ଭୟାବହତାକୁ ସୂଚାଉଛି । ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଏବେବି ପାରଦ ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱରେ ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି ।

ଏହି ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଭାରତୀୟ ଜନତାପାର୍ଟି ପକ୍ଷରୁ ପଶ୍ଚିମ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରାଯାଉଛି । ଏଭଳି ଅସ୍ୱାଭାବିକ ମୃତ୍ୟୁ ପାଇଁ ଭାରତୀୟ ଜନତାପାର୍ଟି ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି । ଗୁରୁତର ଥିବା ବ୍ୟକ୍ତିବିଶେଷଙ୍କ ଆଶୁଆରୋଗ୍ୟ କାମନା କରୁଛି । ଏଥିସହ ନିଜର ଭୁଲ୍‌କୁ ସୁଧାରି ଅବ୍ୟବସ୍ଥିତ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ସହ ମୃତକ ଓ ଗୁରୁତରଙ୍କ ପରିବାରକୁ ଆଥିିକ ସହାୟତା ଯୋଗାଇଦେବାକୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି ।

Leave a Reply

Your email address will not be published. Required fields are marked *