ବିଧାନସଭା ଅଧିବେଶନ ଚାଲିଥିବା ସମୟରେ ବିଧାୟିକା ମନୋରମା ମହାନ୍ତିଙ୍କ ସରକାରୀ ବାସଭବନରେ ପୋଲିସର ଜବରଦସ୍ତି ପ୍ରବେଶ ଏବଂ ଦୁର୍ବ୍ୟବହାର ଅଭିଯୋଗକୁ ନେଇ ଓଡ଼ିଶା ବିଧାନସଭା ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। କେସିଙ୍ଗା ଏସ.ଡି.ପି.ଓ. (SDPO) ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଆସିଥିବା ଏହି ଅଧିକାର ଭଙ୍ଗ ନୋଟିସ ଆଧାରରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ବିଧାନସଭା ସଚିବାଳୟ ପକ୍ଷରୁ ରାଜ୍ୟ ଗୃହ ବିଭାଗକୁ ଆସନ୍ତା ୧୫ ଦିନ ମଧ୍ୟରେ ଏହି ଘଟଣାର ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୨୯, ୨୦୨୬ ରବିବାର ସକାଳେ କେସିଙ୍ଗା ଏସ.ଡି.ପି.ଓ.ଙ୍କ ନେତୃତ୍ୱରେ କିଛି ପୋଲିସ କର୍ମଚାରୀ ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ଏମଏଲଏ କଲୋନୀରେ ଥିବା ତାଙ୍କ କ୍ୱାର୍ଟ ରେ ହଠାତ୍ ପହଞ୍ଚିଥିଲେ। ସେମାନେ ବିଧାୟିକାଙ୍କ ସରକାରୀ ବାସଭବନର ମୁଖ୍ୟ ଫାଟକ ସମେତ ବିଭିନ୍ନ କବାଟ ଓ ଝରକାକୁ ଭାଙ୍ଗି ବେଆଇନ ଭାବେ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ।

ଏହି ସମୟରେ ଘରେ ଉପସ୍ଥିତ ଥିବା ବିଧାୟିକାଙ୍କ ଝିଅ ଏବଂ ଘରୋଇ ସହାୟିକାଙ୍କ ସହ ପୋଲିସ କର୍ମଚାରୀମାନେ ଅଶାଳୀନ ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଘରୋଇ ସହାୟିକା ଜଣକ ଶାଢ଼ୀ ବଦଳାଉଥିବା ସମୟରେ ମଧ୍ୟ ପୁରୁଷ ପୋଲିସ କର୍ମଚାରୀମାନେ ଅତି ଅସମ୍ମାନଜନକ ଭାବେ ବ୍ୟବହାର କରିଥିଲେ, ଯାହା ଫଳରେ ସେମାନେ ମାନସିକ ସ୍ତରରେ ଗଭୀର ଆଘାତ ପାଇଥିଲେ। ଜଣେ ଜନପ୍ରତିନିଧିଙ୍କ ବାସଭବନରେ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ବିଧାନସଭାର ସାମ୍ବିଧାନିକ ଅଧିକାର ଓ ଗାରିମା ଉପରେ ଆଞ୍ଚ ଆଣିଥିବା ନେଇ ଚିନ୍ତା ପ୍ରକଟ କରାଯାଇଛି।

ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି (ମୁନା) ଙ୍କ ନାମରେ ନର୍ଲା ତହସିଲଦାରଙ୍କ ଦ୍ୱାରା ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଗିରଫ କରିବା ଉଦ୍ଦେଶ୍ୟରେ ପୋଲିସ ଏଭଳି ବେଆଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *