ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।
 
ସ୍ନାନବେଦିରେ ଭୋର ସମୟରୁ ମଙ୍ଗଳାରୋପଣ, ମଇଲମ, ତଡ଼ପଲାଗି ଆଦି ନୀତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରତ୍ନସିଂହାସନରୁ ପହଣ୍ଡିରେ ସ୍ନାନବେଦିକୁ ବିଜେ କରାଯାଇଛି । ଢୋଲ, ମହୁରୀ, ଘଣ୍ଟ ଓ ହରିବୋଲ ହୁଳହୁଳି ମଧ୍ୟରେ ଶ୍ରୀମନ୍ଦିର ବଡ଼ଦାଣ୍ଡ ଭକ୍ତିମୟ ହୋଇଉଠିଛି ।
 
ପହଣ୍ଡି ବିଜେ ପରେ ଚତୁର୍ଦ୍ଧାମୂର୍ତି ସ୍ନାନବେଦିରେ ବିରାଜମାନ କରିଛନ୍ତି । ପରମ୍ପରା ଅନୁଯାୟୀ ସୁନା କୂଅରୁ ଅଣାଯାଇଥିବା ୧୦୮ ଗରା ସୁବାସିତ ଜଳରେ ଠାକୁରଙ୍କ ମହାସ୍ନାନ ନୀତି ସମ୍ପନ୍ନ ହେବ । ଜଗନ୍ନାଥଙ୍କୁ ୩୫ କଳସ, ବଳଭଦ୍ରଙ୍କୁ ୩୩, ଦେବୀ ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ କଳସ ଜଳ ଲାଗି କରାଯିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଜଳ ବିଜେ ସହ ସ୍ନାନ ନୀତି ରହିଛି । ଚନ୍ଦନ, କର୍ପୁର, ଅଗୁରୁ ମିଶ୍ରିତ ଏହି ପବିତ୍ର ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଗଜାନନ ବେଶ ବା ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
 
ଏହି ବେଶରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର ଗଣେଶଙ୍କ ରୂପ ଧାରଣ କରନ୍ତି ।ଅଣସର ଓ ନବଯୌବନ ଦର୍ଶନ ସ୍ନାନଯାତ୍ରା ପରେ ମହାପ୍ରଭୁଙ୍କୁ ଜ୍ୱର ହେବାର ପରମ୍ପରା ରହିଛି । ଏଥିପାଇଁ ଚତୁର୍ଦ୍ଧାମୂର୍ତ୍ତି ୧୫ ଦିନ ପାଇଁ ଅଣସର ଘରେ ଗୁପ୍ତ ସେବାରେ ରହିବେ ।

By Nirvay

Leave a Reply

Your email address will not be published. Required fields are marked *