ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଆଜି ସମଗ୍ର ରାଜ୍ୟରେ ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ପ୍ରତିବାଦ ଆନେ୍ଦାଳନ ହୋଇଛି । ଭୁବନେଶ୍ୱର ସ୍ଥିତ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କଟକ ଜିଲ୍ଲା ପକ୍ଷରୁ ଖ୍ରୀଷ୍ଟ ମହାବିଦ୍ୟାଳୟ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସେହିପରି ବ୍ରହ୍ମପୁର, ବାରିପଦା, ଅନୁଗୁଳ, ଯାଜପୁର, ବାଲେଶ୍ୱର ଆଦି ଜିଲ୍ଲାରେ ମଧ୍ୟ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଆନେ୍ଦାଳନରେ ଶତାଧିକ ଛାତ୍ର ଓ ଯୁବ କର୍ମୀମାନେ ଯୋଗଦେଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ନାରାବାଜି କରିଥିଲେ । ଆନେ୍ଦାଳନକାରୀ ଯୁବ ଛାତ୍ର ନେତାମାନେ କହିଥିଲେ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛି । ପୁନଃ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଘଟଣା କେନ୍ଦ୍ର ସରକାରଙ୍କ ବିଫଳତାକୁ ପଦାରେ ପକାଇଛି । ନେତୃବୃନ୍ଦ ଏହି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଛାତ୍ରନେତାମାନେ ଦାବି କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ପରୀକ୍ଷା ବ୍ୟବସ୍ଥାରେ ତୁରନ୍ତ ସଂଶୋଧନ ଆଣିବାକୁ ମଧ୍ୟ ଦାବି କରାଯାଇଥିଲା । କେନ୍ଦ୍ର ସରକାର ଯଦି ଏହି ଘଟଣାରେ କଠୋର ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ଆହୁରି ତୀବ୍ର କରାଯିବ ବୋଲି ବିଜେଡି ଚେତାବନୀ ଦେଇଛି । Post navigation PM Modi’s Fuel Conservation Appeal: ଅଧା ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍କେଡ୍ର ଗାଡିସଂଖ୍ୟା Deadly Attack on RTI Activist: ସୂଚନା ଅଧିକାର କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ