ମାତୃ ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଆଜି ଶଙ୍ଖ ଭବନଠାରେ ବିଜେଡି ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ନାରୀ ସୁରକ୍ଷା ଅଧିକାରର ଉଲ୍ଲଂଘନ, ନାରୀ ନିର୍ଯାତନା, ସାମାଜିକ ଅସୁରକ୍ଷିତା, ସାମ୍ବିଧାନିକ ଓ ରାଜନୈତିକ ଅଧିକାରର ଉଲ୍ଲଂଘନ ଆଦିକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜୁ ମହିଳା ଜନତା ଦଳ । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗୀନୀ ଛୁରିଆ, ସାଂସଦ ସୁଲତା ଦେଓ, ସାଧାରଣ ସମ୍ପାଦିକା ଗୀତାଞ୍ଜଳୀ ବସ୍ତିଆ ଏବଂ ଉପସଭାନେତ୍ରୀ ସ୍ୱର୍ଣ୍ଣଲତା ସାମଲ ବିଜେପିର ନାରୀ ବିରୋଧୀ କାର୍ଯ୍ୟକଳାପକୁ ନେଇ ଦୃଢ ନିନ୍ଦା କରିଥିଲେ । ଆଭାସୀ ମାଧ୍ୟମରେ ଦଳ ସଭାପତି ତଥା ବିରୋଧୀ ଦଳ ନେତା ମାନ୍ୟବର ନବୀନ ପଟ୍ଟନାୟକ ଏହି ସମାବେଶରେ ଯୋଗ ଦେଇ ଜଗତକୁ ଜୀବନ ଦେଇଥିବା ନାରୀମାନଙ୍କୁ ମାତୃଦିବସର ଶୁଭେଚ୍ଛା ଜଣାଇଥିଲେ । ଗତ କିଛି ଦିନ ଧରି ଆମ ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ଅତ୍ୟନ୍ତ ଚିନ୍ତାଜନକ । ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନକୁ ଆଗକୁ ନେଉଛି ବିଜୁ ଜନତା ଦଳ । ୨୦୨୩ରେ ମହିଳା ସଂରକ୍ଷଣ ବିଲକୁ ବିଜେଡି ସଂପୂର୍ଣ୍ଣ ସମର୍ଥନ କରିଥିଲା । ଏହା ପୂର୍ବରୁ ଦଳୀୟ ସ୍ତରରେ ମହିଳାଙ୍କୁ ଆଗକୁ ଆଣିବା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନେଇ ଆସିଛି ବିଜେଡି । ବିଡମ୍ବନାର ବିଷୟ, ନାରୀ ତା’ର ଅଧିକାର ପାଇଁ ଲଢେଇ କରିବାକୁ ପଡୁଛି ଏବଂ ସରକାର କେବଳ ପ୍ରଚାରରେ ବ୍ୟସ୍ତ । ସୀମା ନିର୍ଦ୍ଧାରଣ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ନଯୋଡି ବର୍ତ୍ତମାନ ଲୋକସଭାର ଆସନ ସଂଖ୍ୟା ଭିତ୍ତିରେ ମହିଳାଙ୍କୁ ସଂରକ୍ଷଣ ଦିଆଯାଉ । ବିଜେଡି ସବୁ ବେଳେ ମାଆମାନଙ୍କ ପାଇଁ ଲଢୁଛି ଆଗକୁ ମଧ୍ୟ ଲଢିବ । ଆଜି ଶୁଭାରମ୍ଭ ହୋଇଥିବା ଏହି ଅଭିଯାନ ମେ’ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀରେ ଚାଲିବ । ଏହି ଭଳି ବିକ୍ଷୋଭ ସଭାବେଶ ଆୟୋଜନ କରି ବିଜେପି ସରକାର ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଟାଳଟୁଳ ନୀତି ଓ ମହିଳା ନିର୍ଯାତନା ରୋକିବାରେ ଅସମର୍ଥତାକୁ ବିଜେଡି ଲୋକଲୋଚନକୁ ଆଣିବ । ସଭାନେତ୍ରୀ ଶ୍ରୀମତୀ ସେହାଙ୍ଗିନୀ ଛୁରିଆ ବିସ୍ତୃତ ଭାବେ ମହିଳା ସଶକ୍ତିକରଣ ବାବଦରେ କହି, ବିଜେପି ସରକାରଙ୍କ ମହିଳାଙ୍କୁ ପ୍ରତାରଣା ତଥା ମିଛ ତଥ୍ୟ ଦେଇ ଲୋକଙ୍କୁ ଭ୍ରମିତ କରିବା ବିରୋଧରେ ପ୍ରତିବାଦର ସ୍ୱର ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଛନ୍ତି । ସାଂସଦ ସୁଲତା ଦେଓ କହିଛନ୍ତି ଯେ, ବିଜେଡି ସରକାରଙ୍କ ଦୀର୍ଘ ଦିନର ସଂଘର୍ଷ ଏବଂ ଅକ୍ଲାନ୍ତ ପରିଶ୍ରମରେ ଓଡିଶାର ୨.୫ କୋଟି ମହିଳା ଯେଉଁ ସ୍ୱାଧୀନତା ଏବଂ ସମାନତା ତଥା ସୁରକ୍ଷା ପାଇଛନ୍ତି ତାହାକୁ ହାତଛଡା ନକରିବାକୁ ସଂକଳ୍ପ ନେଇଥିଲେ । ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ ମହିଳାଙ୍କ ଅଧିକାର, ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ଅତୁଳନୀୟ ଅବଦାନ ବାବଦରେ ଆଲୋକପାତ କରିଥିଲେ । ସେହିପରି ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଥିଲେ, ମହିଳାମାନଙ୍କ ସ୍ୱାଧୀନତାକୁ ଏକ ବିପଦ ବୋଲି ଭାବୁଛନ୍ତି ବିଜେପି ସରକାର । ପ୍ରତ୍ୟେକ ନିର୍ବାଚନମଣ୍ଡଳୀସ୍ତରରେ ମହିଳାମାନଙ୍କ ପ୍ରତିବାଦ ସମାବେଶ କରି ଦୃଢ ସ୍ୱର ଉତ୍ତୋଳନ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଛନ୍ତି । ଏହି ସମାବେଶରେ ଡ. ଲେଖାଶ୍ରୀ ସାମନ୍ତସିଂହାର, ସର୍ମିଷ୍ଠା ସେଠୀ, ଡ.ରାଜଶ୍ରୀ ମଲ୍ଲିକ, ସୁମିତ୍ରା ଜେନା, ଡ. ମିନୀତି ବେହେରା, ମେୟର ସଂଘମିତ୍ରା ଦଲାଇ, ବିଜୁ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁଙ୍କ ସମେତ ଡ. ଗୀତାଞ୍ଜଳୀ ବସ୍ତିଆ ମଞ୍ଚ ପରିଚାଳନା କରିଥିଲେ । ଏହି ସମାବେଶରେ ସାରା ରାଜ୍ୟରୁ ଆଭାସୀ ମାଧ୍ୟମରେ ହଜାରରୁ ଉଦ୍ଧ୍ୱର୍ ମହିଳା ନେତ୍ରୀ ଓ କର୍ମୀ ଯୋଗ ଦେଇଥିଲେ । Post navigation Mob Lynching In Bhubaneswar: ପୁଲିସକୁ ଦୁର୍ବଳ କରିଦେଇଛି ମୋହନ ସରକାର: ଭକ୍ତ ଦାସ