ପଶ୍ଚିମ ଓଡ଼ିଶାରେ ବି.ଏଡ୍. ସାର୍ଟିଫିକେଟର ବଡ଼ ରାକେଟର ପର୍ଦ୍ଦାଫାସ ହୋଇଛି । ଟଙ୍କା ଦେଲେ ମିଳୁଛି ଆନ୍ଧ୍ର ବିଏଡ୍‌ ସାର୍ଟିଫିକେଟ୍‌ । ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଛି ଆନ୍ଧ୍ରା ବି.ଏଡ୍. ସାର୍ଟିଫିକେଟ । ଆଶାୟୀଙ୍କୁ ମିଠା ମିଠା କଥା କହି ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଏଥିପାଇଁ ଅଫିସ୍‌ ଖୋଲି ବିଜ୍ଞାପନ ଦେଉଥିବା ଜଣାପଡିଛି। ହେଲେ ସାର୍ଟିଫିକେଟ୍‌ ଦେବାର ନାଁ ଧରୁ ନ ଥିଲେ । ସେମାନେ ହେଲେ ଚିତ୍ତରଞ୍ଜନ ବାରିକ ଓ ରୀମାରାଣୀ ଦାସ ।

ଏହି ଘଟଣାରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଏବେ ଟଙ୍କା ଦେଇ ଫସିଛନ୍ତି । ସାଇବର ଥାନାରେ କିଛି ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ୨ ଜଣଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୋଲିସ ।

ଚିତ୍ତରଞ୍ଜନ ବାରିକ ଓ ରୀମା ଦାସ ସମ୍ବଲପୁର ଜ୍ୟୋତିବିହାର-ବୁର୍ଲା ଅଞ୍ଚଳରେ “ୱାନ ୱାର୍ଲଡ ଏକାଡେମୀ” ନାମରେ ଏକ ଅଫିସ୍ ଖୋଲି ଛାତ୍ରଛାତ୍ରୀଙ୍କୁ ଆନ୍ଧ୍ର ପ୍ରଦେଶର ଆଚାର‌୍ୟ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ୍ କରାଇ ଦେବାର ଲୋଭ ଦେଉଥିଲେ । ବିଜ୍ଞାପନ, ମିଠା କଥା ଓ ଭରସା ଦେଇ ଆଶାୟୀଙ୍କୁ ଫସାଉଥିଲେ । ପ୍ରବେଶ ଫି’ ନାମରେ ୫୦ ହଜାରରୁ ଅଧିକ ଟଙ୍କା ଆଦାୟ କରି ରସିଦ ମଧ୍ୟ ଦିଆଯାଉଥିଲା। ପରେ ସାର୍ଟିଫିକେଟ୍ ଦେବେ ବୋଲି କହିଥିଲେ । କିନ୍ତୁ ସାର୍ଟିଫିକେଟ୍ ଆଉ ମିଳିନଥିଲା ।

ଝାରସୁଗୁଡ଼ାର ଓରିଏଣ୍ଟ ଥାନା ଅଞ୍ଚଳର ପ୍ରୀତିରାଣୀ ପଣ୍ଡା ଅଭିଯୋଗ କରି କହିଛନ୍ତି ଯେ ୨୦୨୫ ଜୁଲାଇରେ ୫୫ ହଜାର ଟଙ୍କା ଦେଇଥିଲେ। ରସିଦ ମିଳିଥିଲା ଓ ଆଡମିସନ ହୋଇଥିବା କୁହାଯାଇଥିଲା। କିନ୍ତୁ ପରେ ପରୀକ୍ଷା ସମୟରେ ଆଡମିସନ ହୋଇନଥିବା କହି ଟଙ୍କା ଫେରାଇବାକୁ ମନା କରାଯାଇଥିଲା । ଏ ନେଇ ଗତ ୨୩ ତାରିଖରେ ଝାରସୁଗୁଡ଼ା ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ଝାରସୁଗୁଡ଼ା ସାଇବର ଥାନା ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଏସ୍‌ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରି  ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଠକେଇର ଚେର ପଶ୍ଚିମ ଓଡ଼ିଶାର ୬ଟି ଜିଲ୍ଲାକୁ ଲମ୍ବିଛି । ଆଗକୁ ତଦନ୍ତ ହେଲେ ଏଥିରେ ଆଉ କିଏ ସାମିଲ ଅଛନ୍ତି ତାହ ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *