ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଓଡ଼ିଶାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ୧୨ ଜଣ ନିଖୋଜ ଅଛନ୍ତି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି । SRCଙ୍କ ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ରାଇକିଆରେ ଗୋଟିଏ ପରିବାରର ୩ ଜଣଙ୍କର ଭୂସ୍ଖଳନ ଯୋଗୁଁ ମୃତ୍ୟୁ ହୋଇଛି । ସେହିପରି ଗଜପତି ଜିଲ୍ଲାରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ନିଖୋଜ ଥିବା ୧୩ ଜଣଙ୍କ ମଧ୍ୟରୁ ଜଣଙ୍କୁ ଠାବ କରାଯାଇଛି । ଏବେ ଅବଶିଷ୍ଟ ୧୨ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାରକାର୍ଯ୍ୟ ଜୋରଦାର କରାଯାଇଛି । ଭୂସ୍ଖଳନ ଯୋଗୁଁ ଗିଡ଼ିପାବାଲି ଗାଁ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମୟରେ ଗାଁରେ ପ୍ରାୟ ୫୦ ଜଣ ଲୋକ ଉପସ୍ଥିତ ଥିଲେ ବୋଲି SRC କହିଛନ୍ତି । ବାତ୍ୟା ଓ ଲଘୁଚାପଜନିତ ବର୍ଷାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ କେବଳ ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ରହିଥିବାବେଳେ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । ପ୍ରଶାସନ ପକ୍ଷରୁ ପ୍ରାୟ ସମସ୍ତ ଗାଁକୁ ଯୋଗାଯୋଗ ପୁନଃସ୍ଥାପନ କରାଯାଇଛି । ତେବେ ଗୋଟିଏ ଗାଁ ଏବେ ବି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି । ଉକ୍ତ ଗାଁକୁ ଆକାଶମାର୍ଗରୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି । ବନ୍ୟା ପ୍ରଭାବିତ ଗାଁଗୁଡ଼ିକରେ ରିଲିଫ୍ ସାମଗ୍ରୀ ସହ ରନ୍ଧାଖାଦ୍ୟ ବଣ୍ଟନ ଜାରି ରହିଛି । SRCଙ୍କ ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ୩୬୭ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି । ଏହି ଜିଲ୍ଲାରେ ମୋଟ ୧ ଲକ୍ଷ ୫ ହଜାର ୬୨୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ସେହିପରି ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ଜଣ ପ୍ରଭାବିତ ହୋଇଥିବାବେଳେ ସେଠାରେ ୩୪୦ଟି ରିଲିଫ୍ କ୍ୟାମ୍ପ କରାଯାଇଛି । Post navigation Cyclone Aftermath: ଆସିକାରେ ବାତ୍ୟା ପରବର୍ତ୍ତୀ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ସ୍ୱାଭାବିକ ହେଉଛି ଯାତାୟାତ एशियन चैंपियंस ट्रॉफी: भारत ने जापान को हराकर सेमीफाइनल में जगह पक्की की