ବର୍ଷକରେ ୨୩୦ ସରକାରୀ ଅଧିକାରୀ/କର୍ମଚାରୀଙ୍କ ନାଁରେ ରହିଛି ଦୁର୍ନୀତି ମାମଲା । ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ବିଧାନସଭାରେ ବିଜୟ କୁମାର ଦଳବେହେରା ପଚାରିଥିବା ପ୍ରଶ୍ନ ଚଳିତ ଆର୍ଥିକ ବର୍ଷରେ (୧୩ ମାର୍ଚ୍ଚ ୨୦୨୬ ସୁଦ୍ଧା) ରାଜ୍ୟରେ କେତେ ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ କରାଯାଇଛି । ସେମାନଙ୍କ ମଧ୍ୟରୁ କେତେ ଜଣ Class I ଏବଂ କେତେ ଜଣ Class-11 ଅଧିକାରୀ ଅଛନ୍ତି; (କ) ଏହି ସମୟ ମଧ୍ୟରେ କେତୋଟି ମାମଲାର ବିଚାର ଶେଷ ହୋଇଛି ଏବଂ ସେଥିରୁ କେତେ ଜଣ ଅଧିକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏବଂ କେତେ ଜଣ ଅଧିକାରୀଙ୍କୁ ବାଦ୍ଧତା ମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କୃତ କରାଯାଇଛି; (ଖ) ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଭିଜିଲାନ୍ସ ଚଢ଼ାଉ ସମୟରେ କେତେ ନଗଦ ଟଙ୍କା ଜବତ କରାଯାଇଛି; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କେତେ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ଦ୍ବାରା ବାଜ୍ୟାପ୍ତି କରାଯାଇଛି ?

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏପ୍ରିଲ ୨୦୨୫ରୁ ମାର୍ଚ୍ଚ ୨୦୨୬ ସୁଦ୍ଧା ୨୩୦ଟି ଦୁର୍ନୀତି ମାମଲା ରୁଜୁ ହୋଇଛି ।ସେମାନଙ୍କ ମଧ୍ୟରେ ୫୨ ପ୍ରଥମ ଶ୍ରେଣୀ ଓ ୪୧ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି । ସେହିପରି ୨୦୬ ମାମଲାର ବିଚାର ଶେଷ ହୋଇଥିବା ବେଳେ ୧୦୨ ଜଣ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏବଂ ୨୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ।

ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ଭିଜିଲାନ୍ସ ଚଢାଉ ସମୟରେ ୧୦ କୋଟି ୨୭ ଲକ୍ଷ ୨୧ ହଜାର ୯୭୩ ନଗଦ ଟଙ୍କା ଜବତ କରାଯାଇଛି । ଏହା ଛଡା ଆୟ ବ‌ହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୪.୭୬ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ସରକାରଙ୍କ ଦ୍ୱାରା ବାଜ୍ୟାପ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *