ପଶ୍ଚିମ ଏସିଆରେ ଲାଗି ରହିଥିବା ଇରାନ-ଆମେରିକା ଯୁଦ୍ଧ ଏବଂ ଏହାର ପ୍ରଭାବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ ଏବଂ ପ୍ରାୟ ଅଢେଇ ଘଣ୍ଟା ଧରି ଆଲୋଚନା କରିଥିଲେ । ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘ଟିମ୍ ଇଣ୍ଡିଆ’ ଭାବନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା । ଏହି ବୈଠକରେ ମୁଖ୍ୟତଃ ଦେଶର ଶକ୍ତି ସୁରକ୍ଷା, ବିଶେଷ କରି ତୈଳ ଏବଂ ଏଲପିଜି ଯୋଗାଣ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଛି । ମହଜୁଦକାରୀ ଓ ଲାଭଖୋରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଲ୍ ସୂଚନା ଓ ଗୁଜବ ଉପରେ ସତର୍କ ରହିବା ସହିତ ସଠିକ୍ ଓ ବିଶ୍ୱସନୀୟ ସୂଚନା ପ୍ରସାରଣ ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି । ପଶ୍ଚିମ ଏସିଆ ସଙ୍କଟ ଉପରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିବାର ଦିନକ ପରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀମାନଙ୍କ ସହ ସମୀକ୍ଷା ବୈଠକ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ ନିର୍ବାଚନ ମୁହାଁ ରାଜ୍ୟ ଯଥା ଆସାମ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ମୁଖ୍ୟମନ୍ତ୍ରୀମାନେ ଏହି ବୈଠକରେ ସାମିଲ ହୋଇନାହାନ୍ତି । Post navigation Former MP Narayan Sahu Passes Away: ପୂର୍ବତନ ସାଂସଦ ନାରାୟଣ ସାହୁଙ୍କ ପରଲୋକ Railway Budget For Odisha: ୨୦୨୫-୨୬ରେ ଓଡ଼ିଶାକୁ ରେଲୱେ ବ୍ୟୟବରାଦ ୧୩ ଗୁଣା ବୃଦ୍ଧି