ବାଲେଶ୍ୱରରେ ପୁଣି ବିଜେଡ଼ିକୁ ଝଟକା । ବାଲେଶ୍ୱରରେ ଜଣଙ୍କ ପରେ ଜଣେ ଛାଡୁଛନ୍ତି ବିଜେଡି ହାତ । ବିଜେଡି ଛାଡିଲେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା । ବାଲେଶ୍ୱର ସଦର ବ୍ଲକର ଅଧ୍ୟକ୍ଷା ସୁନିତା ବେହେରା ବିଜୁ ଜନତା ଦଳ (ବିଜେଡି)ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଲେଖାଯାଇଥିବା ଇସ୍ତଫା ପତ୍ରରେ ବେହେରା କହିଛନ୍ତି ଯେ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି ଯେ ଆଜି ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି । ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଙ୍ଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ଵର ସଦର ବ୍ଲକ୍ ବାସୀଙ୍କ ସେବା କରି କରିଆସିଛି, କିନ୍ତୁ କେତେକ ବ୍ୟକ୍ତିଗତ କାରଣ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି । ଦଳ ସହିତ ମୋର ଦୀର୍ଘ ଦିନର ସମ୍ପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ । ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ମୁଁ ରାଜ୍ୟ ନେତୃବୃନ୍ଦ, ମୋର ସହକର୍ମୀ ବାଲେଶ୍ବର ଜିଲ୍ଲାର ସମସ୍ତ ସମସ୍ତ ଦଳୀ କର୍ମକର୍ତ୍ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି ।

ସେହିପରି ବସ୍ତା ବ୍ଲକ ଅଧ୍ୟକ୍ଷା ଅଞ୍ଜଳୀ ଦାସ ଇସ୍ତଫା ଦେଇଛନ୍ତି । ୨୦୨୨ ପଞ୍ଚାୟତ ନିର୍ବାଚନରେ ବସ୍ତା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ ଅଞ୍ଜଳୀ। ବିଜେଡିରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଇସ୍ତଫା ପରେ ସେ ମଧ୍ୟ ଇସ୍ତଫା ଦେଇଥିବା ସୁଚନା ମିଳିଛି । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ।

ଏହା ସହ ଗତକାଲି ରବୀନ୍ଦ୍ର ଜେନା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇଥିବା ଏବଂ ବ୍ୟକ୍ତିଗତ କାରଣରୁ ଏଭଳି ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି ।  । ବାଲେଶ୍ୱର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଥିଲେ ରବୀନ୍ଦ୍ର ଜେନା । ତାଙ୍କ ସ୍ତ୍ରୀ ଏବେ ବିଜେଡିରୁ ବସ୍ତା ନିର୍ବାଚନ ମଣ୍ତଳୀରେ ବିଧାୟକ ଅଛନ୍ତି । ସେ କହିଛନ୍ତି, ଦଳ ସହିତ ଦୀର୍ଘ ଦିନର ଯାତ୍ରା ସ୍ମରଣୀୟ ହୋଇ ରହିବ । ଦଳର ସମସ୍ତ ଦାୟିତ୍ୱରୁ ତୁରନ୍ତ ଅବ୍ୟାହତି ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *