ମାମଲା ୨୭ ବର୍ଷ ତଳର । ବିଜୁ ଜନତା ଦଳ ସରକାରଙ୍କ ୨୪ ବର୍ଷ ଗଲା । ଅଦାଲତଙ୍କ ନିର୍ଦ୍ଦେଶକୁ ନବୀନ ସରକାର ମାନିଲେ ନାହିଁ । ଭାଜପା ସରକାର ଇତିମଧ୍ଯରେ ୨ବର୍ଷ ପୂରଣ କରିବାକୁ ଯାଉଛି। ଜଣେ ଅବସରପ୍ରାପ୍ତ ଅଧିକାରୀ ଆଉ କେତେଦିନ ନ୍ୟାୟ ପାଇଁ ଅପେକ୍ଷା କରିବେ ? କେତେ ଜଣଙ୍କ ପାଖକୁ ଯାଇ ଅର୍ଜି ଦେବେ ? ଆମେ କହୁଛୁ ଋଷି ଗୁମାନସିଂହଙ୍କ କଥା ।

ଗୁମାନସିଂହ ପୁରୀରେ ମୂର୍ତିକା ସଂରକ୍ଷଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ଓଏସ୍‌ସିଡିସି ଅଧୀନରେ ରଖାଗଲା । ଜେନେରାଲ ମ୍ୟାନେଜର ପଦବୀ ପାଇଁ ପ୍ରସ୍ତାବ ଆସିଲା । କିନ୍ତୁ କୌଣସି ପୋଷ୍ଟି ଆଦେଶ ମିଳିଲା ନାହିଁ । ଏହା ୧୯୯୮ର କଥା। ଅର୍ଥାତ ସେତେବେଳେ ସରକାର କଂଗ୍ରେସର । ଏହାପରେ ଗୁମାନସିଂହଙ୍କର ବଦଳି ହେଲା କୋରାପୁଟର ମୂର୍ତିକା ସଂରକ୍ଷଣ ଟ୍ରେନିଂ ସଂସ୍କାର ଅଧ୍ଯକ୍ଷ ଭାବେ । କିନ୍ତୁ ନୂଆ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ତାଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ବନ କରାଗଲା । ୧୯୯୮ ଜୁନ୍‌ରୁ ନିଲମ୍ବିତ ହୋଇ ରହିଲେ । ୧୯୯୯ ଜୁଲାଇରେ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେଲା ଏବଂ ସେ କାର୍ଯ୍ୟରେ ଯୋଗଦେଲେ । ଏହା ପୂର୍ବରୁ ତାଙ୍କ ବିରୋଧରେ ଆଗତ ଅଭିଯୋଗ ଉପରେ ବିଭାଗୀୟ ତଦନ୍ତ ମଧ୍ୟ ହେଲା । ତଦନ୍ତ କମିଟି ୨୦୦୦ ମସିହା ମାର୍ଚ୍ଚରେ ଗୁମାନସିଂହଙ୍କ ଉପରୁ ସବୁ ଅଭିଯୋଗ ପ୍ରତ୍ୟାହାର କରି ଦୋଷମୁକ୍ତ କରିବା ନିମନ୍ତେ ସୁପାରିସ କଲେ । ନିଲମ୍ବନ ସମୟତକ ସେ କାର୍ଯ୍ୟରେ ଅଛନ୍ତି ବୋଲି ଗ୍ରହଣ କରିବାକୁ ମଧ୍ୟ ଏଥିରେ ସୁପାରିସ ଥିଲା ।

ସେତେବେଳେ ନବୀନ ପଟନାୟକଙ୍କ ସରକାର । ୨୦୦୩ ମସିହାରେ ଶୃଙ୍ଖଳା କର୍ତ୍ତୃପକ୍ଷ ତାଙ୍କ ଆଦେଶରେ ଗୁମାନସିଂହଙ୍କୁ କାର୍ଯ୍ୟାନ୍ତର କରିଦେଲେ ତୁରନ୍ତ ଏହା ଲାଗୁ ହେଲା । ନିଲମ୍ବନ ସମୟତକ ନିଲମ୍ବିତ ଭାବେ ଗ୍ରହଣ କରିବାକୁ ମଧ୍ୟ ଆଦେଶ ହେଲା । ଗୁମାନସିଂ ଏହି ଆଦେଶ ବିରୋଧରେ ଗଲେ ସ୍ୟାଟ୍‌କୁ । କିନ୍ତୁ ହାରିଲେ। ଏହା ବିରୋଧରେ ସେ ଗଲେ ହାଇକୋର୍ଟକୁ। ହାଇକୋର୍ଟ ୨୦୦୮ ମସିହାରେ ଦେଇଥିବା ରାୟରେ ୨୦୦୩ ମସିହାର କାର୍ଯ୍ୟାନ୍ତର ଆଦେଶକୁ ରଦ୍ଦ କଲେ। ତା’ ସହିତ ସ୍ୟାଟ୍ ଆଦେଶ ମଧ୍ୟ ରଦ୍ଦ ହେଲା। ସରକାର ହାଇକୋର୍ଟଙ୍କ ରାୟ ବିରୋଧରେ ଗଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ମଧ୍ୟ ବିଜୟୀ ହେଲେ ଗୁମାନସିଂହ।

କୃଷି ବିଭାଗ ୨୦୦୯ରେ ସାନି ଦରଖାସ୍ତ କରିବା ପାଇଁ ଗୁମାନସିଂହଙ୍କୁ ପରାମର୍ଶ ଦେଲେ। ତାଙ୍କର ନିଲମ୍ବନ ଅବଧିକୁ କାର୍ଯ୍ୟ ଦିବସ ଭାବେ ଗ୍ରହଣ କରିବାକୁ ଏଥିରେ ଆବେଦନ କଲେ ଗୁମାନସିଂ । କିନ୍ତୁ ଅଫିସର ରାଜ୍ ପାଖରେ ଅଦାଲତଙ୍କ ରାୟର କି ମୂଲ୍ୟ ? ପୂର୍ବ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ ହେଲା ନାହିଁ । ସ୍ୟାଟ୍ ସରକାରଙ୍କ ନୋଟିସକୁ ରଦ୍ଦ କଲେ ମଧ୍ୟ କୃଷି ବିଭାଗ ଗୁମାନସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରଖି ପାରିବେ ବୋଲି କହିଲେ।

ଏଭଳି ବିଚିତ୍ର ଆଦେଶ ବିରୋଧରେ ଗୁମାନସିଂ ପୁଣି ଗଲେ ହାଇକୋର୍ଟକୁ । ସ୍ୟାଟ୍‌ର ବିଚିତ୍ର ରାୟ ହାଇକୋର୍ଟରେ ଖାରଜ ହେଲା। କିନ୍ତୁ ସେତେବେଳକୁ ୨୦୨୨ ହୋଇସାରିଥିଲା। ଗୁମାନସିଂହ ନ୍ୟାୟ ପାଇବା ପାଇଁ ୨୦୨୩ରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କୁ ଭେଟିଲେ। ମାମଲାର କ୍ରମିକ ଧାରା ବାବଦରେ ତାଙ୍କୁ ଅବଗତ କଲେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବନ୍ଦ ରଖିବାକୁ, ନିଲମ୍ବନ ଅବଧିକୁ କାର୍ଯ୍ୟ ଦିବସ ଭାବେ ଗ୍ରହଣ କରିବାକୁ ଏବଂ ଅନ୍ୟ ଆର୍ଥିକ କ୍ଷତି ଭରଣା କରିବା ନିମନ୍ତେ ଲିଖିତ ଆବେଦନ ମଧ୍ଯ କଲେ । ଦୀର୍ଘବର୍ଷ ଧରି ତାଙ୍କ ପ୍ରତି ହୋଇଥିବା ନିର୍ଯାତନା ନିମନ୍ତେ ସେ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଚାହିଁଲେ।

କୃଷି ବିଭାଗ ଏତେ ଜିଦ୍‌ଖୋର ହୋଇ ପଡ଼ିଥିଲା ଯେ ଯାବତୀୟ ଭୁଲ ସତ୍ତ୍ୱେ ସୁପ୍ରିମକୋର୍ଟ ଧାଇଁଲା । କିନ୍ତୁ ବହୁ ବିଳମ୍ବ ହୋଇଯାଇଥିବାରୁ କୃଷି ବିଭାଗର ସତନ୍ତ୍ର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଗୁମାନସିଂହ ନୂଆ ସରକାର ପାଖରେ ସେହି ପୁରୁଣା ବ୍ୟଥା ଓ ବେଦନା ଆଣିବା ସତ୍ତ୍ବେ କିଛି ପରିବର୍ତନ ହେଲା ନାହିଁ । କାରଣ ମନ୍ତ୍ରୀ ସିନା କେଭି ସିଂହଦେଓ, ହେଲେ ସର୍ବେସର୍ବା ଥିଲେ ଅରବିନ୍ଦ ପାଢ଼ୀ। ଏଣୁ ନିଜ ପୁରୁଣା ଜିଦ କେମିତି ବା ଓହରି ଯିବେ ?

ଇତିମଧ୍ଯରେ ଗୁମାନସିଂହ କୃଷି ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ପ୍ରାର୍ଥନା କରିସାରିଛନ୍ତି। କିନ୍ତୁ ଅଫିସରଙ୍କ ହାତମୁଠାରେ ଥିବା ସରକାର ଅଦାଲତଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ନ୍ୟାୟ ଦେଇପାରିବେ କି ? ତଥାପି ଗୁମାନସିଂହ ଆଶା କରିଛନ୍ତି, ଲୋକ ସରକାର ତାଙ୍କୁ ନ୍ୟାୟ ଦେବେ। ୨୭ ବର୍ଷ ଧରି ତାଙ୍କ ମନର ପୀଡ଼ା ଓ ଦୁର୍ଦ୍ଦଶାକୁ ଲାଘବ କରିବେ ମୋହନ ସରକାର । କିନ୍ତୁ ସରକାର ନ୍ୟାୟ ଦେବେ ତ ? ଏହାର ଉତ୍ତର କେବଳ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କୃଷିମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଦେଇପାରିବେ।

Leave a Reply

Your email address will not be published. Required fields are marked *