ନୂଆବର୍ଷ ପାଇଁ ଏବେ ଉଠୁଛି ପଡ଼ୁଛି ପୁରୀ ସହର । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ବେଳେ ଅବ୍ଯବସ୍ଥାକୁ ନେଇ ଭକ୍ତ ମହଲରେ ବଢୁଛି ତୀବ୍ର ଅସନ୍ତୋଷ । ଆଉ ଏହା ଭିତରେ ନୂଆବର୍ଷ ପାଇଁ ୩୧ ମଧ୍ୟରାତ୍ରୀରୁ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ବିରୋଧ।

ଗତ କିଛିଦିନ ଧରି ପୁରୀ ସହରକୁ ଆସୁଛନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ । ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସରକାର  ଉଦ୍ୟମ କରୁଥିବା କଥା କହୁଥିଲେ ମଧ୍ୟ ବ୍ୟବସ୍ଥାରେ ସାମାନ୍ୟତମ ସୁଧାର ଦେଖିବାକୁ ମିଳିନାହିଁ । ପୂର୍ବରୁ ଯେପରି ଭକ୍ତ ଯନ୍ତ୍ରଣା ପାଉଥିଲେ ଏବେ ଠିକ୍ ସେଇ ଯନ୍ତ୍ରଣା ପାଉଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ୍ ହୋଇଥିଲା ବେଳେ ମନ୍ଦିର ଭିତରେ ଅଣନିଃଶ୍ୱାସୀ ହେଉଛନ୍ତି ଭକ୍ତ । ଏପରି ଯେ ନିଜ ପ୍ରିୟ ଠାକୁରଙ୍କୁ ଦୁଇ ସେକେଣ୍ଡ ଆଖି ପୂରାଇ ଦେଖିପାରୁନାହାନ୍ତି । ମରିଚିକୋଟ ଛକରୁ ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ୍ ସହ ସୁରକ୍ଷା ପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମଧ୍ୟ ମୁତୟନ ହୋଇଛି ।

ହେଲେ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଢୁଛି । ପୂର୍ବରୁ ଭାଜପା ସରକାର ଶୃଙ୍ଖଳିତ ଦର୍ଶନ କଥା କହିଥିଲା ବେଳେ ଯେଉଁ ରୁଟିନ ଅବ୍ୟବସ୍ଥା ଚାଲିଛି ତାହା ସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି କଲାଣି ଭକ୍ତଙ୍କ ମହଲରେ।

ନୂଆବର୍ଷ ପାଇଁ ୩୧ ମଧ୍ୟରାତ୍ରିରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧର ସ୍ବର ଉଠିଛି । ଗତ କିଛିବର୍ଷ ହେବ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା କାରଣରୁ ମହାପ୍ରଭୁଙ୍କୁ ରାତିରେ ଅନିଦ୍ରା ରଖାଯାଉଛି । ଏହାକୁ ବିରୋଧ କରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଆଇନ୍ ମନ୍ତ୍ରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କୁ ଚିଠି ଲେଖିଛନ୍ତି ।

ଚିଠିରେ ସେ ଗତ କିଛିବର୍ଷ ଧରି ମହାପ୍ରଭୁଙ୍କୁ ରାତିରେ ଅନିଦ୍ରା ରଖାଯିବାକୁ ନେଇ ଆପରି ଜଣାଇଛନ୍ତି । ଲେଖିଛନ୍ତି ମହାପ୍ରଭୁ ହେଉଛନ୍ତି ସନାତନ ହିନ୍ଦୁମାନଙ୍କର ପ୍ରମୁଖ ଦେବତା ।

ହେଲେ ଗତ କିଛିବର୍ଷ ଧରି ନୂଆବର୍ଷ ପାଇଁ ମନ୍ଦିର ଖୋଲିବା ଏକ ନିୟମିତ ପ୍ରଥା ପାଲ ପାଲଟିଲାଣି। ଧାର୍ମିକ ଦୃଷ୍ଟିକୋଣରୁ ଏହା ଠିକ୍ ନୁହେଁ, ଦୀର୍ଘଦିନ ଧରି ପ୍ରଚଳିତ ମନ୍ଦିର ପରମ୍ପରା ସହ ଏହା ଜଡ଼ିତ ମଧ୍ୟ ନୁହେଁ । କର୍ତ୍ତୃପକ୍ଷ ଏହାକୁ ଗୁରୁତର ସହ ବିଚାର କରିବା ଏବଂ ପରମ୍ପରା ଉଙ୍ଗୁ ଘନ କରୁଥିବା ଏପରି ପ୍ରଥାକୁ ରୋକିବା ପାଇଁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି । ଶ୍ରୀ ସାହୁଙ୍କ ଏଭଳି ବିରୋଧକୁ ଅନ୍ୟ ସେବାୟତ ଏବଂ ସାଧାରଣ ପୁରୀବାସୀ ମଧ୍ୟ ସ୍ବାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *