ନୂଆ ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେବେ ଅନୁ ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା । ଆସନ୍ତା ୩୧ରେ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରିବ । ଆସନ୍ତା ଜାନୁୟାରୀ ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଅନୁ ଗର୍ଗ ।

ପୂର୍ବରୁ ମନୋଜ ଆହୂଜାଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଥିଲା । ଏହା ପରେ କିଏ ମୁଖ୍ୟ ଶାସନ ସଚିବ ହେବେ ସେ ନେଇ କଳ୍ପନା ଜଳ୍ପନା ଜାରି ରହିଥିଲା । ତେବେ ଅନୁ ଗର୍ଗଙ୍କୁ ଏହି ପଦ ମିଳିଛି । ୧୯୯୧ ବ୍ୟାଚ୍‌ର ଆଇଏଏସ୍ ଅଫିସର ଅନୁ ଗର୍ଗ ।ବରିଷ୍ଠ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ବର୍ତ୍ତମାନ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଯୋଜନା ଓ ସଂଯୋଜନା ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଉନ୍ନୟନ ଆୟୁକ୍ତ ଦାୟିତ୍ୱ ତୁଲାଉଛନ୍ତି ।

ଆଇଏଏସ୍ ଅନୁ ଗର୍ଗ ୧ ମାର୍ଚ୍ଚ ୧୯୬୯ରେ ଜନ୍ମ ଗ୍ରହଣ କରିଛନ୍ତି । ଦିଲ୍ଲୀ ବିଶ୍ୱ ବିଦ୍ୟାଳୟରୁ କଳାରେ ସ୍ନାତକ ହାସଲ କରିବା ପରେ ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଗ୍ରହଣ କରିଛନ୍ତି । ଜନ୍ ହପକିନ୍ସ ୟୁନିଭର୍ସିଟିରୁ ପିଜି ମଧ୍ୟ କରିଛନ୍ତି । ଅନୁଙ୍କ ସ୍ଵାମୀ ସୌରଭ ଗର୍ଗ ଏବେ କେନ୍ଦ୍ରରେ ଡେପୁଟେସନରେ ଅଛନ୍ତି । ଅନୁ ଗର୍ଗଙ୍କର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ସମୟର ଅନୁଭୂତି ରହିଛି । ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ, ବୟନଶିଳ୍ପ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି । ଉତ୍କର୍ଷତା ପାଇଁ ଜନ୍ ସି. ହ୍ୟୁମ୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଅନୁ ଗର୍ଗ ।

Leave a Reply

Your email address will not be published. Required fields are marked *