ନୂଆପଡ଼ା ଉପନିର୍ବାଚନ ଶେଷ ହେବା ପରେ ଆଜି ଭୁବନେଶ୍ୱର ଫେରି ବିମାନବନ୍ଦରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଭକ୍ତ ଦାସ କହିଛନ୍ତି, ବିଭୀଷଣ ସମସ୍ତ ଦଳରେ ଅଛନ୍ତି। କଂଗ୍ରେସରେ ମଧ୍ୟ କିଛି ବିଭୀଷଣ ଭଳି ଆତ୍ମଘାତୀ କାର୍ଯ୍ୟ କରି ଦଳର କ୍ଷତି କରିଛନ୍ତି। ସେମାନଙ୍କୁ ଛଡାଯିବ ନାହିଁ। କଂଗ୍ରେସ ନୂଆପଡ଼ାରେ ଉତ୍ତମ ଭାବରେ ନିର୍ବାଚନ ପରିଚାଳନା କରିଥିଲା। ପ୍ରାୟ ମାସକ ପୂର୍ବରୁ ଆମେ ପ୍ରାର୍ଥୀ ଘୋଷଣା କରିଥିଲୁ। ପ୍ରତ୍ୟେକ ପଞ୍ଚାୟତରେ ଛୋଟ ଛୋଟ ନିର୍ବାଚନୀ ସଭା ହେବା ସହିତ ଜୋନ ସ୍ତରରେ ମଧ୍ୟ ଆମେ ସଭା କରିଥିଲୁ। ଯେଉଁ ସଭାମାନଙ୍କୁ ପାଞ୍ଚଶହରୁ ତିନି ହଜାର ପର୍ଯ୍ୟନ୍ତ ଲୋକ ଯୋଗ ଦେଇଥିଲେ। କଂଗ୍ରେସ ସଭା ମାନଙ୍କର ବିଶେଷତ୍ଵ ଥିଲା ଯେ ଲୋକେ ସ୍ଵତଃ ପ୍ରବୃତ୍ତ ଯୋଗ ଦେଉଥିଲେ । ଟଙ୍କା ପଇସାର ଲୋଭ କିଛି ନ ଥିଲା। କଂଗ୍ରେସର ପ୍ରଚାରରେ ଜନସମର୍ଥନ ଦେଖି ବିଜେପି ଭୟଭୀତ ହୋଇଯାଇଥିଲା।

ସେ ଆଉ ମଧ୍ୟ କହିଛନ୍ତି ପୁଣି ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହୋଇ ବଳକା ଖାଦ୍ୟ ଖାଇ ୧୭ଟି ଗାଈ ମରିଯିବା ଯୋଗୁଁ ବିଜେପି ଦଳ ନିରୁତ୍ସାହିତ ହୋଇ ଯାଇଥିଲା। ତେଣୁ ବିଜେପି ରଣନୀତି ବଦଳାଇ ମାଳ ମାଳ ମନ୍ତ୍ରୀ ଏବଂ ବିଧାୟକଙ୍କୁ ପ୍ରଚାର କାର୍ଯ୍ୟରେ ଲଗାଇଲା। ଦୁଇଜଣ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଲଗାତାର ତୋଫାନୀ ସଭା କଲେ। ଏପରିକି ସହ ସହ ଗାଡ଼ି ଘୋଡ଼ା, ଗୀତବାଦ୍ୟ, ଯାତ୍ରା, ଅର୍କେଷ୍ଠା ପାର୍ଟି ଆଦି ଆଣି ଦିନ ତମାମ ସମ୍ପୂର୍ଣ ରାସ୍ତା ଅବରୋଧ କରିଥିଲେ। ବିଜେପି ଗୋଟେ ଗୋଟେ ଦିନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା। ଗୁରୁତ୍ୱପୂର୍ଣ୍ଣ ବିଷୟ, ସମ୍ପୂର୍ଣ ନିର୍ବାଚନ ପୋଲିସ ପରିଚାଳନା କରୁଥିଲା। ବିଜେପି ନିର୍ବାଚନ ପ୍ରଚାର କରୁନଥିଲା ବରଂ ଗଣତନ୍ତ୍ର ପ୍ରତି ଉପହାସ କରି ନଗ୍ନ ନୃତ୍ୟ କରୁଥିଲା। ପରେ ବିଜେଡି ଦଳ ମଧ୍ୟ ସମାନ ରୀତିରେ ତାଙ୍କ ନିର୍ବାଚନ ପ୍ରଚାର କଲେ। ଯଦି କ୍ଷମତାର ଦୁରୁପଯୋଗ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓ ନିୟମ କାନୁନକୁ ବେଖାତିର ଯଦି ନିର୍ବାଚନ ଲଢ଼ାଯାଏ ତେବେ ବିଜେପିର ନିର୍ବାଚନ ଲଢ଼ିଵାର ଆବଶ୍ୟକତା କଣ ଅଛି ? ଆପଣମାନେ ଦେଖିଥିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବା ପରେ ଆଇଜି ହିମାଂଶୁ ଲାଲଙ୍କ ପାଦ ଛୁଇଁ ପ୍ରଣାମ କଲେ। ଏଥିରୁ ପ୍ରମାଣିତ ହୋଇଛି ନୂଆପଡ଼ା ଉପନିର୍ବାଚନରେ ପୋଲିସର ଭୂମିକା କଣ ଥିଲା । ହିମାଂଶୁ ଲାଲ ଆଶୀର୍ବାଦ ଦେଲେ ଏବଂ ଜୟ ଢୋଲକିଆ ପାଇଲେ।

ଭକ୍ତ ଦାସ କହିଛନ୍ତି ମୁଁ କଂଗ୍ରେସ ପାଇଥିବା ଭୋଟ ସଂଖ୍ୟାରେ ସନ୍ତୁଷ୍ଟ। କାରଣ ମୃତ୍ୟୁ ବରଣ କରିଥିବା ବିଜେଡି ବିଧାୟକଙ୍କ ପୁଅ ଶାସକ ଦଳ ପ୍ରାର୍ଥୀ ହୋଇଥିଲେ। ସରକାରୀ କଳର ସମ୍ପୂର୍ଣ୍ଣ ଅପବ୍ୟବହାର କରାଯାଇଥିଲା, ଅଭୂତପୂର୍ବ ଭାବେ ଟଙ୍କା ଖର୍ଚ୍ଚ କରାଯାଇଥିଲା। ସମସ୍ତ ମନ୍ତ୍ରୀ, ବିଧାୟକ ପ୍ରଚାରରେ ନିଯୁକ୍ତ ହୋଇଥିଲେ। ସେପଟେ ମୁଖ୍ୟ ବିରୋଧିଦଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ନିର୍ବାଚନୀ ସଭା କରିଥିଲେ। ସେମାନେ ମଧ୍ୟ ସମସ୍ତ କଳ, ବଳ, କୌଶଳ ବ୍ୟବହାର କରିଥିଲେ। ତା ସତ୍ବେ ମଧ୍ୟ କଂଗ୍ରେସ ଦଳ ୪୦ ହଜାରରୁ ଉର୍ଦ୍ଧ୍ଵ ଭୋଟ ପାଇବାକୁ ସକ୍ଷମ ହୋଇଥିଲା। ସେଥିପାଇଁ ମୁଁ ନିଃସ୍ଵାର୍ଥପର ନୂଆପଡ଼ା ବାସୀଙ୍କ ଠାରେ କୃତଜ୍ଞ। କଂଗ୍ରେସ ପାଇଁ ଏଭଳି ଉପ ନିର୍ବାଚନରେ ଉପଲବ୍ଧି କେବେ ମିଳି ନଥିଲା। ଏହି ଉପ ନିର୍ବାଚନ କଂଗ୍ରେସର ଆଶା ଓ ମନବଳକୁ ଦୃଢ଼ କରିଛି। ଆମେ ଏହା ମଧ୍ୟ ଶିକ୍ଷାଲାଭ କଲୁ ଯେ ବିଜେପି ନିର୍ବାଚନ ପ୍ରଚାରକୁ କିଭଳି ମୁକାବିଲା କରାଯିବ।

ଦଳରେ ଥାଇ ଆତ୍ମଘାତୀ କାର୍ଯ୍ୟ କରି ଦଳକୁ କ୍ଷତି ପହଞ୍ଚାଇ ଥିବା ବିଭୀଷଣ ମାନଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ। ଆପଣ ମାନେ ଦେଖିଥିବେ ନିର୍ବାଚନ ସମୟରେ ଦଳକୁ ଏବଂ ମୋର ବିରୁଦ୍ଧରେ ଅପପ୍ରଚାରର ବନ୍ୟା ସୃଷ୍ଟି କରାଯାଇଥିଲା।

ବିଜେପି ଦେଖିଲା ଯେଉଁ ସ୍ଥାନରେ ଟଙ୍କା ମଧ୍ୟ କାମ ଦେଉନାହିଁ ସେ ସ୍ଥାନ ମାନଙ୍କରେ ବିଭିନ୍ନ ଉପାୟରେ ଭୋଟ ଚୋରି କଲା। ନିର୍ବାଚନ ଯେପରି ଲଢାଯାଏ କଂଗ୍ରେସ ସେପରି ଦାୟୀତ୍ୱରେ ଥିବା ସମସ୍ତ କର୍ମୀ, କର୍ମକର୍ତ୍ତା ଏବଂ ବରିଷ୍ଠ ନେତୃବୃନ୍ଦଙ୍କୁ ନେଇ ସୁଚାରୁ ରୂପେ ନିର୍ବାଚନ ପରିଚାଳନା କରିଥିଲା। ଜନସାଧାରଣଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିଥିଲା। ଆମ ପକ୍ଷରୁ କୌଣସି ଅବହେଳା ହୋଇ ନଥିଲା। କିନ୍ତୁ ଆମେ ବିଜେପିର ଅନୀତିଯୁକ୍ତ ପ୍ରଚାର ସହ ସମକକ୍ଷ ହୋଇପାରିଲୁ ନାହିଁ। ୧୦୦ କୋଟି ଟଙ୍କା ଆଣିକି କଣ ନିର୍ବାଚନ ଲଢ଼ିଥାନ୍ତୁ ? ଗୋଟେ ଉପନିର୍ବାଚନ ପାଇଁ ସରକାରଙ୍କ ଏଭଳି ଜିଦ୍ ଏବଂ ଶାସନର ଦୁରୁପଯୋଗ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପିସିସି ସଭାପତି ଭକ୍ତ ଦାସ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *