ଏକ ଅଭାବନୀୟ ପରିସ୍ଥିତିରେ ନୂଆପଡା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୧ ତାରିଖ ଦିନ ନୂଆପଡାବାସୀ ତାଙ୍କ ବିଧାୟକଙ୍କୁ ଚୟନ କରିବେ । ଆଜି ପ୍ରଚାର ପ୍ରସାର କାର୍ଯ୍ୟ ଶେଷ ହେବାକୁ ଯାଉଥିବାବେଳେ ଆସନ୍ତା ୧୪ ତାରିଖ ଦିନ ଫଳ ପ୍ରକାଶ ପାଇବ । ଉପନିର୍ବାଚନକୁ ନେଇ ନୂଆପଡାବାସୀଙ୍କ ମନ ଭିତରେ ଅନେକ ଉତ୍ସାହ ରହିଛି । ବର୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ବାତାବରଣରେ ନିର୍ବାଚନ ପ୍ରଚାର ପ୍ରକ୍ରିୟା ସରିବାକୁ ଯାଉଥିବାରୁୁ ସମସ୍ତ ଭୋଟର ଭାଇଭଉଣୀମାନଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଆଜି ନୂଆପଡା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନମୋହନ ସାମଲ କହିଛନ୍ତି ଯେ, ‘ନୂଆପଡାର ସନ୍ତୁଳିତ ଓ ସାମଗ୍ରିକ ବିକାଶ’ କେବଳ ପ୍ରତିଶୃତି ନୁହେଁ, ଏହା ଆମର ପ୍ରତିବଦ୍ଧତା । ଗତ ସାଧାରଣ ନିର୍ବାଚନରେ ଓଡିଶାବାସୀ ୨୧ ରୁ ୨୦ ସାଂସଦ ଆସନ ବିଜେପିକୁ ଦେଇଥିବାବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିବାର ସୁଯୋଗ ଦେଇଛନ୍ତି । ଆମେ ଦେଇଥିବା ୨୧ଟି ନିର୍ବାଚନ ପ୍ରତିଶୃତିରୁ ୧୧ ଟି ପୂରଣ କରିବାରେ ସଫଳ ହୋଇଛୁ । ବହୁ ଶୀଘ୍ର ଅନ୍ୟ ପ୍ରତିଶୃତିଗୁଡିକୁ ପୁରଣ କରିବୁ । ଯାହା ଆମେ କହିଛୁ, ତାକୁ ପୂରଣ କରିବାକୁ ଚେଷ୍ଟା କରୁଛୁ । ସୁଭଦ୍ରା ଯୋଜନାରେ ନୂଆପଡା ଅଂଚଳର ୭୫ ହଜାର ମାଁ ଓ ଭଉଣୀ ଲାଭାନ୍ୱିତ ହୋଇଥିବାବେଳେ ୪୫ ହଜାରରୁ ଉର୍ଦ୍ଧ୍ୱ ଚାଷୀ ପରିବାର ଖାତାକୁ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯାଉଛି । ବାର୍ଦ୍ଧକ୍ୟ ଓ ଦିବ୍ୟାଙ୍ଗ ଭତ୍ତା ଭାବେ ୩୫୦୦ ଟଙ୍କା ପ୍ରଦାନ କରାଯାଉଛି । ସେ ଆଉ ମଧ୍ୟ କହିଛନ୍ତି, ରାଜ୍ୟରେ ୧୫ ଲକ୍ଷ ହେକ୍ଟର ଚାହ ଜମିକୁ ଜଳସେଚିତ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ କେବଳ ନୂଆପଡାକୁ ଏ ବାବଦରେ ୮୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଖରିଆର ରୋଡକୁ ମ୍ୟୁନିସିପାଲିଟି ଓ କୋମନାକୁ ଏନଏସି ଘୋଷଣା କରାଯାଇଥିବାବେଳେ କୋମନାରେ ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟ ଖୋଲାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆପଡା ପାଇଁ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି, ଯେଉଁଥିରେ ପର୍ଯ୍ୟଟନ, ଜଳସେଚନ ଆଦି ଗୁରୁତ୍ୱ ଦିଆଯାଇଛି । ନୂଆପଡାକୁ ମାଛ ଚାଷର ହବ୍ କରାଯିବ ଏବଂ ଏଥି ପାଇଁ ଫିସରି କଲେଜ ସ୍ଥାପନା କରାଯିବ । ନୂଆପଡା ରେଳଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଭାବେ ରୂପାନ୍ତିରତ କରାଯିବ । ବରଗଡ – ନୂଆପଡା ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପକୁ ଅଗ୍ରାଧିକାର ଦିଆଯିବ । ସୁନାବେଡାରେ ଔଷଧୀୟ ବୃକ୍ଷରୋପଣକୁ ପ୍ରଧାନ୍ୟ ଦିଆଯିବ । ଖରିଆର ରୋଟରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ ହେଉଛି । ସ୍ପୋର୍ଟ୍ସ କଂପ୍ଲେକ୍ସ ନିର୍ମାଣ କରାଯାଉଛି । ଯାତ୍ରୀମାନଙ୍କ ସୁବିଧାକୁ ଅଗ୍ରାଧିକାର ଦିଆଯାଇ ଆରଓବି (ରେଳ ଓଭରବ୍ରିଜ) ସ୍ଥାପନା ହେବାକୁ ଯାଉଛି ବୋଲି ଶ୍ରୀ ସାମଲ କହିଛନ୍ତି । ୨୦୦୯ ମସିହା ମାର୍ଚ୍ଚ ୭ ତାରିଖରେ କଣ ହୋଇଥିଲା ମନେ ପକାନ୍ତୁ । ସେମାନେ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି, ତାହା କାହା ପାଇଁ ପ୍ରାଯୁଜ୍ୟ ? ୨୦୦୯ ମସିହାରେ ମେଂଟ ଭାଙ୍ଗି ବିଜେଡି ବେଇମାନୀ କରିଥିଲା । ବେଇମାନି କି କୃତଘ୍ନ ଏ କଥା ସମଗ୍ର ରାଜ୍ୟବାସୀ ଜାଣିଛନ୍ତି । ସକରାତ୍ମକ ରାଜନୀତି ନକରି “ବେଇମାନ ଓ ଚୋରୀ” ଭଳି ଶସ୍ତା କଥା କହି ମୂଳ ପ୍ରସଙ୍ଗକୁ ବିଜେଡି ଏଡାଇ ଦେଉଛି । ଦୀର୍ଘ ୭୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନରେ ଥିବା ଉଭୟ କଂଗ୍ରେସ ଓ ବିଜେଡି ଦଳ ନୂଆପଡାବାସୀଙ୍କ ପାଇଁ କଣ କରିଛନ୍ତି, ତାର ଆତ୍ମସମୀକ୍ଷା କରିବା ସହ ସାଧାରଣ ଜନତାଙ୍କ ସମ୍ମୁଖରେ ହିସାବ ରଖିବା ଉଚିତ୍ । ତାହା ନକରି ବିଭ୍ରାନ୍ତ କରିବାକୁ ଯାଇ ବିଜେପି ଓ ବ୍ୟକ୍ତିବିଶେଷ ଆଧାରରେ ଶସ୍ତା ଅଭିଯୋଗ କରୁଛନ୍ତି । କାହାର ଭାବାବେଗ ସହ ଖେଳିବା ବା କଟାକ୍ଷ କରିବା ଅନୁଚିତ୍ । ଶସ୍ତା ରାଜନୀତି କରି ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି । ନବୀନ ବାବୁ ନିର୍ବାଚନ ପ୍ରଚାରକୁ ଆସି ନିଜ ସରକାରର ଉପଲବ୍ଧତାକୁ ପରିପ୍ରକାଶ କରନ୍ତୁ । ସକରାତ୍ମକ ରାଜନୀତି କରିବାକୁ ରାଜ୍ୟ ସଭାପତି ବିରୋଧୀ ଦଳମାନଙ୍କୁ ପରାମର୍ଶ ଦେଇଛନ୍ତି । ନୂଆପଡାରେ ଆମେ ସକରାତ୍ମକ ଓ ଆଦର୍ଶଗତ ଲଢେଇ ଲଢୁଛୁ । ନୂଆପଡାବାସିଙ୍କୁ ଯାହା କହିଛୁ, ତାହା ନିଶ୍ଚିତ ପୂରଣ କରିବୁ । ଓଡିଶାରେ ଡବଲ ଇଂଜିନ ସରକାର ଗଠନ ହେବା ପରେ ଓଡିଶାବାସୀଙ୍କ ବିଜେପି ଉପରେ ଆସ୍ଥା ବୃଦ୍ଧି ପାଇଛି । ନୂଆପଡାବାସୀ ମଧ୍ୟ ବିଜେପି ସରକାରର ବିକାଶର ସ୍ରୋତରେ ସାମିଲ ହେବା ପାଇଁ ମନସ୍ଥ କରିସାରିଛନ୍ତି । ନୂଆପଡା ଜିଲ୍ଲା ଏକ ନମ୍ବର ଜିଲ୍ଲା ହେବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ପଦ୍ମ ଚିହ୍ନରେ ବିପୁଳ ଭୋଟ ଦେଇ ବିଜୟୀ କରାଇବାକୁ ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡାବାସୀଙ୍କୁ ନିବେଦନ କରିଛନ୍ତି । ଏହି ଅବସରରେ ଓଡିଶା ଜନତା ଦଳର ପ୍ରାର୍ଥୀ ସୁଖଧର ଦଣ୍ଡସେନା ବିଜେପିରେ ସାମିଲ ହେବା ସହିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଖୋଲା ସମର୍ଥନ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ମାଳବିକା ଦେବୀ, ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ଖାମ ସିଂହ ମାଝୀ, ଡା.ସୋନିଆ ଜୈନ, ଜିଲ୍ଲା ସଭାପତି କମଳେଶ ଦିକ୍ଷୀତ, ରାଜ୍ୟ ପ୍ରବକ୍ତା ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ । Post navigation Subhadra Yojana: ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ମିଳିବ ଟଙ୍କା