ଆଜି ମୌସୁମୀ ଅଧିବେଶନରେ ପଞ୍ଚମ ଦିନ । ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି।ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ପ୍ରତିବାଦ । ବିଜେଡି ଗୃହ ଚଳାଇ ଦେଉ ନଥିବା ଅଭିଯୋଗରେ କଂଗ୍ରେସର ପ୍ରତିବାଦ । ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ଗୃହ କାର୍ଯ୍ୟ ଚଳାଇ ଦେଲେନି ବିରୋଧୀ ।ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ।

ଆଜି ପ୍ରଶ୍ନ କାଳ ଆରମ୍ଭରୁ ହୋହାଲ୍ଲା ଏବଂ ନାରାବାଜି ହୋଇଛି । ବିଜେଡ଼ି ବିଧାୟକ ପ୍ରଶ୍ନକାଳ ଆରମ୍ଭରୁ ପଞ୍ଚାୟତ ବ୍ୟବସ୍ଥାରେ ଜନପ୍ରିତିନିଧିଙ୍କ କ୍ଷମତା ସଙ୍କୁଚିତ କରିବା ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ । ସିଧାସଳଖ ଗୃହର ମଧ୍ୟ ଭାଗକୁ ଆସି ବାଚସ୍ପତିଙ୍କ ପୋଡ଼ିୟମ ବାଡ଼େଇଥିଲେ । ମୋହନ ସରକାର ବିରୋଧରେ ନାରାବାଜି ଦେଇଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ମଧ୍ୟ ପ୍ରତିବାଦ କରିଛନ୍ତି ।

ବିରୋଧୀଙ୍କୁ ଗୃହରେ ଶୃଙ୍ଖଳା ବଜାୟ ରଖିବାକୁ ବାରମ୍ବାର ନିବେଦନ କରିଛନ୍ତି । ଏପରିକି ବାଚସ୍ପତି ଛିଡ଼ା ହୋଇ ନାରାବାଜି ନ କରି ପ୍ରଶ୍ନକାଳ ଭଳି ଗୁରୁତ୍ୱପୂର୍ଣ୍ଣ ସମୟକୁ ନଷ୍ଟ ନ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ବିରୋଧୀ ସଦସ୍ୟମାନେ ଚୁପ ବସିନଥିଲେ । ଏପରିକି ପୋଷ୍ଟର ବ୍ୟାନର ବାଚସ୍ପତିଙ୍କ ସମ୍ମୁଖରେ ଦେଖାଇଛନ୍ତି । ତଥାପି ବାଚସ୍ପତି ଗୃହ କାର୍ଯ୍ୟକୁ ଜାରି ରଖିଥିଲେ । ପଞ୍ଚାୟତରାଜ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ସୁରକ୍ଷା ବିଭାଗକୁ ପଚରାଯାଇଥିବା ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀମାନେ ଉତ୍ତର ରଖିଥିଲେ । କିନ୍ତୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *