ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନ ଜାରି ରହିଛି । ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ । ବିଧାନସଭା ଆରମ୍ଭରୁ ଆଜି ବି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ।  କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହଲ୍ଲା । ନାରାବାଜି -ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗୃହକୁ ୪ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।

ସୂଚନା ଯୋଗ୍ୟ; ଆଜି ଗୃହରେ ପ୍ରଶ୍ନୋତ୍ତର କାଳରେ ଉଭୟ ବିରୋଧୀ ହଙ୍ଗାମା କରିଛନ୍ତି । ମୁଖ୍ୟ ବିରୋଧୀ ବିଜେଡ଼ି ସାର ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ବାତିଲ କରି ଦିନ ତମାମ ଆଲୋଚନା କରିବାକୁ ଜିଦରେ ଅଡ଼ିବସିଛି । ବିଜେଡ଼ି ସଦସ୍ୟମାନେ ବାଚସ୍ପତିଙ୍କ ପୋଡ଼ିୟମ ନିକଟକୁ ଆସି ନାରାବାଜି କରିଥିଲେ । ସେପଟେ କଂଗ୍ରେସ ବିଧାୟକମାନେ ନିଜ ଆସନରେ ପ୍ଲା କାର୍ଡ଼ ଧରି ଛିଡ଼ା ହୋଇଥିଲେ । ଯେଉଁଥିରେ ବିଜେଡ଼ି-ବିଜେପି ଭାଇ ଭାଇ ବୋଲି ଲେଖାଥିଲା । ବାଚସ୍ପତି ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନରେ ବସିଯିବାକୁ ବାରମ୍ବାର ଅନୁରୋଧ କରିଥିଲେ । ଏହା ସହିତ ସାର ପ୍ରସଙ୍ଗ ପାଇଁ ପର୍ଯ୍ୟାପ୍ତ ସମୟ ଆଲୋଚନା ପାଇଁ ଦିଆଯିବ ବୋଲି କହିଥିଲେ । ତଥାପି ବିଜେଡ଼ି ବିଧାୟକମାନେ କର୍ଣ୍ଣପାତ କରିନଥିଲେ । ନାରାବାଜି ଓ ହଙ୍ଗାମା ଜାରି ରଖି ଗୃହକୁ ଅଚଳ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *