ଦୁଇଟି ଖବର ଏବେ ଆଇପିଏସ୍ ମହଲରେ ଧୁମ ଚର୍ଚ୍ଚା ସୃଷ୍ଟି କରିଦେଉଛି। ଜଣେ ଆଇପିଏସ ଅଧିକରୀ ତାଜ୍ ବିଭାନ୍ତାରେ ଏକ ଗ୍ରାଣ୍ଡ୍ ପାର୍ଟି ଆଯୋଜନ କରିଥିଲେ । ଏହି ପାର୍ଟି ଭୋର ପର୍ଯ୍ୟନ୍ତ ଚାଲିଥିଲା। ଏହା କମିଶନରେଟ ପୁଲିସ ନଜରକୁ ଆସିଥିଲା କି ? ପୁଲିସର ବଡ଼ ବାବୁ ହୋଇଥିଲେ ସେମାନଙ୍କୁ ସବୁ ମାଫ୍ କି ? ଶାସନ ଏତେ ହୁଗୁଳା ହେଲେ କିଏ କାହାକୁ ପଚାରିବ ? ଏହି ପାର୍ଟିକୁ ନେଇ ତମାମ ଚର୍ଚ୍ଚା ରାଜଧାନୀରେ। ଦ୍ଵିତୀୟ ଖବରଟି ହେଲା, ଓଡ଼ିଶା ସରକାରଙ୍କର ପ୍ରିଣ୍ଟିଂ, ଷ୍ଟେସନାରୀ ଏବଂ ପବ୍ଲିକେସନ ବିଭାଗର ନିର୍ଦ୍ଦେଶକ ଦିପ୍ତେଶ ପଟ୍ଟନାୟକଙ୍କ ବିରୋଧରେ ଇଡି, ସିବିଆଇ, ସିଭିସି ଏବଂ ଓଡ଼ିଶା ଲୋକାୟୁକ୍ତରେ ପିଟିସନ ଦାଖଲ । ଆବେଦନକାରୀ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ଏହି ଆଇପିଏସ ଅଧିକାରୀ ଜଣଙ୍କ ଏକ ଭବ୍ୟ ଘରୋଇ ପାର୍ଟି ଆୟୋଜନ କରି ବିପୁଳ ଅର୍ଥ ବ୍ୟୟ କରିଛନ୍ତି। ବାରମ୍ବାର ବିଦେଶ ଗସ୍ତରେ ଯାଇଛନ୍ତି । ଭାରତରେ ଏବଂ ଭାରତ ବାହାରେ ତାଙ୍କ ନାମରେ ଅଘୋଷିତ ସମ୍ପତି ଥିବା ସନ୍ଦେହ କରାଯାଉଛି। ଅନେକ ବେଆଇନ କାରବାରରେ ସଂପୃକ୍ତ ବୋଲି ସନ୍ଦେହ ରହିଛି। ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ନିର୍ବାହ କରନ୍ତି । ଜଣେ ଆଇପିଏସ ଅଫିସର ଭାବେ ସେ ତାଙ୍କ କ୍ଷମତାର ଦୁରୂପୋଯୋଗ କରିଛନ୍ତି । ଅନେକ ବଡ଼ ଅଳଙ୍କାର ବ୍ୟବସାୟୀଙ୍କ ସହ ତାଙ୍କର ସମ୍ପର୍କ ଅଛି। ଆବେଦନକାରୀ ଜଣାଇଛନ୍ତି ଯେ ପୂର୍ବରୁ ତାଙ୍କ ନାମରେ ଅଭିଯୋଗ ହୋଇଥିଲା । କିନ୍ତୁ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସୁରକ୍ଷା ଯୋଗାଇ ଦେଇଥିଲେ । ପୂର୍ବ ରାଜନୈତିକ ନେତୃତ୍ବ ସହ ସମ୍ପର୍କ ଥିବା କାରଣରୁ ତାଙ୍କୁ ଏଭଳି ସୁରକ୍ଷା ମିଳିଥିଲା । ତେଣୁ ଦିପ୍ତେଶ ପଟ୍ଟନାୟକଙ୍କୁ ତୁରନ୍ତ ନିଲମ୍ବିତ କରି ତାଙ୍କର ଆୟ, ସମ୍ପତ୍ତି ଏବଂ ଅନ୍ୟ କାର୍ଯ୍ୟକଳାପ ବାବଦରେ ତଦନ୍ତ କରିବାକୁ ଆବେଦନକାରୀ ଆଦିତ୍ୟ ମାଝୀ ନିବେଦନ କରିଛନ୍ତି । ୨୭ ତାରିଖ ଭବ୍ୟ ଏବଂ ଆକର୍ଷଣୀୟ ପାର୍ଟିରେ ପ୍ରାୟ ୨୫୦ ଆମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ। ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଥିଲା, ତାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଅତିଥିମାନଙ୍କ ମନୋରଞ୍ଜନ ପାଇଁ ବାହାରୁ କଳାକାର ଅଣାଯାଇଥିଲା । ଯେଉଁ ପ୍ରକାର ଖାଦ୍ୟପେୟ ବ୍ୟବସ୍ଥା ହୋଇଥିଲା, ତାହା ମଧ୍ୟ ଏକ ଚର୍ଚ୍ଚାର ବିଷୟ ହୋଇଛି। କିନ୍ତୁ ଦୀର୍ଘ ରାତି ପର୍ଯ୍ୟନ୍ତ ପୁଲିସ କାହିଁକି ଏଭଳି ପାର୍ଟି ଚାଲିବାକୁ ସୁଯୋଗ ଦେଇଥିଲା, ତାହା ଏକ ବିତର୍କର ବିନ୍ଦୁ ସୃଷ୍ଟି କରିଛି। ସମସ୍ତେ ଏଭଳି ସୁଯୋଗ ପାଇବେ କି ? ପୂର୍ବରୁ ଦିପ୍ତେଶ ରାଉରକେଲା ଏସ୍ପି ଥିଲାବେଳେ ଓକିଲମାନଙ୍କ ଆନ୍ଦୋଳନ ନବୀନ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଜଣେ ମାଜିଷ୍ଟ୍ରେଟ୍ଙ୍କୁ ସେ ଦୁବ୍ୟବହାର କରିଥିବା ଅଭିଯୋଗକୁ ନେଇ ଓକିଲମାନେ ବଡ଼ଧରଣର ଆନ୍ଦୋଳନ କରି ଥିଲେ। ତା’ଛଡ଼ା ଦିପ୍ତେଶଙ୍କ ବିଦେଶ ଗସ୍ତକୁ ନେଇ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥିବା ବଡ଼ ସନ୍ଦେହ ସୃଷ୍ଟି କରିଥିଲା। ଏବେ ଆଦିତ୍ୟଙ୍କ ପିଟିସନକୁ ନେଇ ଇଡି ଓ ସିବିଆଇ କି ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଦେଖିବା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ପାର୍ଟି ବାବଦରେ କମିଶନରେଟ ପୁଲିସଙ୍କ ପ୍ରତିକ୍ରିୟା କ’ଣ, ତାହା ଜାଣିବାକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। Post navigation ବିସ୍ଥାପିତଙ୍କ ପାଇଁ ଲଢ଼ିବ କଂଗ୍ରେସ: ଭକ୍ତ ଦାସ ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ