ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହିତ ପ୍ରସିଦ୍ଧ ତାରାତାରିଣୀ ପୀଠରେ ମା’ ତାରାତାରିଣୀଙ୍କୁ ଦର୍ଶନ କରି ଏହି ଅଂଚଳର ଭିତ୍ତଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ସହିତ ସମୀକ୍ଷା କରିଛନ୍ତି ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ରାଜ୍ୟ ସରକାର ମାଁ ତାରାତାରିଣୀ ପୀଠର ଭିତ୍ତିଭୂମି ବିକାଶ ନିମନ୍ତେ ୮ କୋଟି ଟଙ୍କା ଦେଇଛନ୍ତି । ଏଥିରେ ସୁରକ୍ଷା ଓ ପରିମଳ ବ୍ୟବସ୍ଥା, ଗୋଟିଏ ସ୍ଵୟଂଚାଳିତ ରନ୍ଧାଯନ୍ତ୍ର ପ୍ରତିଷ୍ଠା (ପାହାଡ ଉପରେ), ୯୯୯ ପଥର ପାହାଚର ମରାମତି ଓ ପୁନଃ ନିର୍ମାଣ, ଯାନବାହାନ ରହଣୀସ୍ଥଳ ଓ ହେଲିପ୍ୟାଡ୍‌ ପାଇଁ ଜମି ଅଧିଗ୍ରହଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି ।
 
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ସହିତ ଭକ୍ତ, ଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ଯୋଗାଇଦେବା ତଥା ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଭବ ଉପଲବ୍ଧ କରାଇବା ମହତ୍ତ୍ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ପୁଣି ୩୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ସିଂହଦ୍ଵାର ସାମନାରେ ବହୁତଳ ବିଶିଷ୍ଟ ଧର୍ମଶାଳା, ବଣଭୋଜି ସ୍ଥଳ, ରାସ୍ତାଘାଟ ଉନ୍ନତିକରଣ ଯଥା ନବ ନିର୍ମିତ ପୋଲ ଠାରୁ ମୁଖ୍ୟରାସ୍ତା ଓ ଘାଟ ରୋଡ ପାର୍ଶ୍ଵରେ ସୁରକ୍ଷା ପ୍ରାଚୀର, ଆଲୋକୀକରଣ, ସାଇନ୍ ବୋର୍ଡ, ମନ୍ଦିର ଚତୁର୍ଦ୍ଦିଗରେ ୫ ଗୋଟି ଗୁମୁଟ, ମନ୍ଦିର ଉତ୍ତରପାର୍ଶ୍ଵ ଉନ୍ନତିକରଣ, ଋଷିକୂଲ୍ୟା ନଦୀ ପଠାରେ ହେବାକୁଥିବା ଅନ୍ୟାନ୍ୟ ଉନ୍ନତିକରଣ କାର୍ଯ୍ୟକ୍ରମ ୨୫ କୋଟି ଟଙ୍କା ବ୍ୟୟରେ କରାଯିବ । ଏହା ସହିତ ମନ୍ଦିର ସମେତ ଅନ୍ୟାନ୍ୟ କୋଠାବାଡି ରକ୍ଷଣାବେକ୍ଷଣ ନିମନ୍ତେ ୫ କୋଟି ଟଙ୍କା ସ୍ଥାୟୀଜମା ଆକାରରେ ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚାନଥାଉ ଯେ, ମା’ ତାରାତାରିଣୀ ପୀଠ ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬୮ କୋଟି ଟଙ୍କାର ଅର୍ଥ ମଂଜୁର ହୋଇଛି ।
Odisha CM announces Rs 68 crore project for Maa Taratarini
 
ମୁଖ୍ୟମନ୍ତ୍ରୀ ଗାଙ୍ଗଦହଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ମହୋତ୍ସବରେ ଯୋଗଦେବା ପୂର୍ବରୁ ତାରାତାରିଣୀ ପୀଠ ବୁଲି ଦେଖିଥିଲେ ଏବଂ ଏହି ଅଂଚଳର ଉନ୍ନତିକରଣ ପାଇଁ ବିଭିନ୍ନ କାର୍ଯ୍ୟକାରୀ ହେବାକୁ ଭିତ୍ତିଭୂମିର ବିକାଶ ପାଇଁ ସ୍ଥାନୀୟ ଲୋକପ୍ରନିଧିଙ୍କ ସହିତ ଆଲୋଚନା କରିଥିଲେ ।
 
ସେ ପୁଣି କହିଥିଲେଯେ, ଦୀର୍ଘ ୧୦୦ ବର୍ଷ ଧରି ଏହି ବିଦ୍ୟାଳୟ ଖଲ୍ଲିକୋଟ ଅଞ୍ଚଳରେ ଜ୍ଞାନର ଆଲୋକ ବିକିରଣ କରି ଆସୁଅଛି ଏବଂ ଏହି ଶତାୟୁ ବିଦ୍ୟାଳୟରେ ପାଠ ପଢ଼ିବା, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଗାଙ୍ଗଦହଣୀ ଉଚ୍ଚ ବିଦ୍ୟାଳୟର ଐତିହ୍ୟ, ଜୟଯାତ୍ରା ଓ ସଫଳତାକୁ ମନେ ପକେଇ ଯଥୋଚିତ ସମ୍ମାନ କରିବା ପାଇଁ ଏହା ହେଉଛି ପ୍ରକୃତ ଅବସର । ଏହା ହେଉଛି, ଆମ ପୂର୍ବତନ ଛାତ୍ରଙ୍କ ସଫଳତାର ଜୀବନ୍ତ ପ୍ରମାଣ । ଆପଣଙ୍କ ଯାତ୍ରା ଏଠାରେ ସ୍ଥାପିତ ମୂଲ୍ୟବୋଧକୁ ପ୍ରତିଫଳିତ କରେ, ଏବଂ ଆପଣଙ୍କ ସଫଳତା ଭବିଷ୍ୟତ ପିଢ଼ିକୁ ଉଚ୍ଚ ଲକ୍ଷ୍ୟ ଏବଂ ବଡ଼ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦିଏ । ଏହା ଏକ ବ୍ୟବସ୍ଥା ଯେଉଁଥିରେ ଆମେ ପିଲାମାନଙ୍କୁ ଉତ୍ତମ ନାଗରିକ ଭାବରେ ସେମାନଙ୍କର ଅଧିକାର ଏବଂ ସମାଜ, ରାଜ୍ୟ ଏବଂ ରାଷ୍ଟ୍ର ପ୍ରତି ସେମାନଙ୍କର କର୍ତ୍ତବ୍ୟ ବିଷୟରେ ପରିଚିତ କରାଉ ।
Odisha CM announces Rs 68 crore project for Maa Taratarini
 
ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିବାକୁ ଯାଇ ସେ କହିଥିଲେ, ଜୀବନରେ ସଂଘର୍ଷକୁ କେବେ ହେଲେ ଡରିବନି । ସଂଘର୍ଷର ରାସ୍ତାରେ ହିଁ ସଫଳତା ମିଳେ। ସଫଳତା ପାଇବା ପାଇଁ କୌଣସି ସର୍ଟକଟ ନାହିଁ, ଯଦି ଅଛି ତ କେବଳ ସଂଘର୍ଷ ଆଉ କଠିନ ପରିଶ୍ରମ। ପିଲାମାନେ, ତୁମମାନଙ୍କୁ ମୋର ଉପଦେଶ “ ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ”। କଠିନ ପରିଶ୍ରମ କର, ଫଳ ନିଶ୍ଚୟ ମଧୁର ହେବ । ତୁମେମାନେ ଜଣେ ଜଣେ ସଫଳ ବିଦ୍ୟାର୍ଥୀ ହେବା ସହିତ ଜଣେ ଜଣେ ଦକ୍ଷ ରାଷ୍ଟ୍ର ନିର୍ମାତା ହୁଅ। ତୁମେମାନେ ନିରାଶାର ଅନ୍ଧାରକୁ ଚିରି ଆଶାର ଆଲୁଅ ହେଇ ଜଳ। ନିଜର ଜ୍ଞାନ ଓ ଦକ୍ଷତା ବଳରେ ତୁମେମାନେ ଧୂପକାଠି ପରି ଜଳି ଅନ୍ୟକୁ ସୁବାସ ଦିଅ। ତୁମେମାନେ ଅମୃତର ସନ୍ତାନ। ତୁମେମାନେ ଅସାଧ୍ୟକୁ ସାଧ୍ୟ କରିପାରିବ। ସେ ବିଶ୍ୱାସ ଓ ଭରସା ମୋର ଅଛି।
 
ଶିକ୍ଷା ପ୍ରତି ବିଜେପି ସରକାରଙ୍କ ସର୍ବାଧିକ ଗୁରୁତ୍ୱ ରହିଛି । ଚଳିତ ବର୍ଷ ବଜେଟରେ ସ୍କୁଲ ଶିକ୍ଷା ପାଇଁ ୩୧ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବ ବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ । ସବୁ ବିଭାଗ ମଧ୍ୟରେ ସ୍କୁଲ ଶିକ୍ଷା ପାଇଁ ସର୍ବାଧିକ ବ୍ୟୟ ବରାଦ କରାଯାଇଛି। ତୁମମାନଙ୍କ ସ୍କୁଲ ଭଳି ରାଜ୍ୟରେ ଥିବା ୧୦୦ ବର୍ଷରୁ ପୁରୁଣା ବିଦ୍ୟାଳୟ ଗୁଡିକୁ ଐତିହ୍ୟ ବିଦ୍ୟାଳୟ ଭାବେ ପୁନରୁଦ୍ଧାର କରିବା ଆମ ସରକାରଙ୍କ ଲକ୍ଷ୍ୟ । ଏହି ‘ଐତିହ୍ୟ ବିଦ୍ୟାଳୟ’ ଅଧିନରେ ରାଜ୍ୟରେ ଥିବା ୫୦ ରୁ ଅଧିକ ପୁରୁଣା ବିଦ୍ୟାଳୟ ଗୁଡିକର ନବୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶେଷରେ କହିଥିଲେ ।
 
 
 
 
 
 

By Nirvay

Leave a Reply

Your email address will not be published. Required fields are marked *