ପଞ୍ଚାୟତିରାଜ ଦିବସ ବିବାଦ ଆପେକ୍ଷିକ କି ଅନାପେକ୍ଷିକ, ତାହା ବଡ଼ ତର୍କର ବିଷୟ ହୋଇଯାଇଛି । ଅନାସକ୍ତ ଭାବେ ଏବଂ ସମ୍ପୂର୍ଣ ରାଜନୈତିକ ଦୃଷ୍ଟିକୋଣରୁ ବାହାରି ଏହାକୁ ବିଚାର କରିବା ଯଥାର୍ଥ ହେବ । ଅନୁଚିତ ବିବାଦ ଦ୍ବାରା ଅନିଚ୍ଛା ସତ୍ତ୍ୱେ ମଧ୍ୟ ବିଜୁବାବୁଙ୍କ ପ୍ରତି ଅନାଦର ଭାବନା ପ୍ରତିଫଳିତ ହେଉଛି ବୋଲି ଆମର ବିନମ୍ର ମତ। ଡକ୍ଟର ହରେକୃଷ୍ଣ ମହତାବ ହୁଅନ୍ତୁ କିମ୍ବା ବିଜୟାନନ୍ଦ ପଟ୍ଟନାୟକ, ଏମାନେ ସମସ୍ତେ ଯଥେଷ୍ଟ ପୂର୍ବରୁ ରାଜନୀତିର ଉର୍ଦ୍ଧକୁ ଚାଲି ଯାଇଛନ୍ତି। କୌଣସି ସଂକୀର୍ଥ ରାଜନୈତିକ ବିଚାରଧାରାକୁ ନେଇ ଓଡ଼ିଶାର ଏହି ବରପୁତ୍ରମାନ ମାନଙ୍କୁ ପର୍ଯ୍ୟାଲୋଚନା କରିବା ଅର୍ଥ ଏ ଜାତିର ଅସ୍ମିତାକୁ ଅପମାନିତ କରିବା । ଏଠାରେ ଉଲ୍ଲେଖ କରିବା ସମୀଚୀନ ହେବ ଯେ, ଉତ୍କଳମଣି ଗୋପବନ୍ଧୁ ଏବଂ ଉତ୍କଳ ଗୌରବ ମଧୁସୂଦନଙ୍କ ମଧ୍ୟରେ ସମ୍ପର୍କ ଆଦୌ ଭଲ ନଥିଲା। କିନ୍ତୁ ଓଡ଼ିଶା ଏବଂ ଓଡ଼ିଶାବାସୀ ଉଭୟଙ୍କ ପାଖରେ ସର୍ବଦା ଋଣୀ ହୋଇ ରହିବେ । ଠିକ୍ ସେହିପରି ମହତାବ ଏବଂ ବିଷ୍ଣୁଙ୍କୁ ଧରିନେବା ଠିକ୍ ହେବ । କିନ୍ତୁ ଓଡ଼ିଶାର ଭାରତୀୟ ଜନତା ପାର୍ଟି ସରକାର ମନେହୁଏ ମହତାବ ଓ ବିଜୁ ବିବାଦ ଭିତରେ ଅଜାଣତରେ ଫସିଯାଇ ଜନ୍ମଦିନରେ ବିଜୁବାବୁଙ୍କୁ ଅପମାନିତ କରିଛନ୍ତି । ଏହା ଅସ୍ମିତାର ପରିପନ୍ଥୀ। ବିବାଦ ପଞ୍ଚାୟତିରାଜ ଦିବସକୁ ନେଇ। ଗତ ୩୪ ବର୍ଷ ହେଲା ଓଡ଼ିଶା ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ଆସୁଥିଲା । ସଂଯୋଗକୁ ଏହି ଦିନ ବିଜୁବାବୁଙ୍କ ଜନ୍ମଦିନ । ସରକାର ବଦଳିବା ପରେ ବିଜୁବାବୁଙ୍କ ଜନ୍ମଦିନକୁ ସରକାର ପାଳନ କରିବେ କି ନାହିଁ ବା କିପରି ଢଙ୍ଗରେ ପାଳନ କରିବେ ଏହା ସରକାରଙ୍କ ଇଚ୍ଛାଧୀନ ବ୍ୟାପାର । ଏଥିରେ ବାହାର ବଡ଼ ଆପରି ନାହିଁ। ନବୀନ ସରକାରଙ୍କ ଅମଳରେ ରାଜ୍ୟସାରା ମହା ଧୂମଧାମରେ ବିଜୁ ଜୟନ୍ତୀ ପାଳିତ ହେଉଥିଲା । ଏଥିରେ ବିଜୁ ପ୍ରୀତି ଅପେକ୍ଷା ରାଜନୀତି ଅଧିକ ଥିଲା । କିନ୍ତୁ ପଞ୍ଚାୟତିରାଜ ଦିବସକୁ ଏପ୍ରିଲ ୨୪ରେ ପାଳନ କରିବା ପାଇଁ ଯେଉଁ ସମୟରେ ନିଷ୍ପତି ନେଲେ ମୋହନ ସରକାର ତାହାକୁ ଗ୍ରହଣ କରାଯାଇ ପାରୁନାହିଁ । ଏହାକୁ ରାଜନୈତିକ ସଂକୀର୍ୟତାର ପରିଚୟ ବୋଲି କୁହାଯାଇପାରେ । ବିଜୁ ଜୟନ୍ତୀ ଓ ପଞ୍ଚାୟତିରାଜ ଦିବସ ଦୁଇଟି ଭିନ୍ନ ବିନ୍ଦୁ। ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିଥିଲା। ଏହାର ସୂତ୍ରଧର ଥିଲେ ବିଜୁ ପଟ୍ଟନାୟକ। ୧୯୯୧ ମସିହାରେ ବିଜୁ ସରକାର ଅମଳରେ ତିନିଟି ପୃଥକ ବିଲ୍ ବିଧାନସଭାରେ ଗୃହୀତ ହୋଇଥିଲା । ଜିଲ୍ଲା ପରିଷଦ ବିଲ୍, ପଞ୍ଚାୟତ ସମିତି ସଂଶୋଧନ ବିଲ୍ ଏବଂ ଓଡ଼ିଶା ଗ୍ରାମ ପଞ୍ଚାୟତ ବିଲ୍ । ଅନୁସୂଚିତ ଜାତି, ଜନଜାତି ମହିଳାଙ୍କ ପାଇଁ ବିଜୁ ସରକାରଙ୍କବେଳେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଆରକ୍ଷଣ ବ୍ୟବସ୍ଥା ରଖାଗଲା। ସେତେବେଳେ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ। ସେଥିପାଇଁ ବିଜୁଙ୍କ ପ୍ରତି ସମ୍ମାନ ସରୂପ ତାଙ୍କର ଏକ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଥିଲା । ଯାହା ଫଳରେ ମାର୍ଚ୍ଚ ୫ ତାରିଖ ବିଜୁ ଜନ୍ମଦିବସକୁ ଓଡ଼ିଶା ପଞ୍ଚାୟତିରାଜ ଦିବସ ଭାବେ ପାଳନ କଲା । କେନ୍ଦ୍ରରେ ନରସିଂହ ରାଓ ସରକାରବେଳେ ୭୩ତମ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇଥିଲା। ପଞ୍ଚାୟତିରାଜ ବ୍ୟବସ୍ଥା ସଂକ୍ରାନ୍ତ ଆଇନ ୧୯୯୩ ଏପ୍ରିଲ ୨୪ରେ ଲାଗୁ ହେଲା। ୧୯୫୬ରେ ବଲନ୍ତ ରାୟ ମେହେଟ୍ଟା କମିଟି ପଞ୍ଚାୟତିରାଜ ବ୍ୟବସ୍ଥା ନିମନ୍ତେ ସୁପାରିସ କରିଥିଲେ ହେଁ ଆଇନରେ ପରିଣତ ହେବାକୁ ୩୭ ବର୍ଷ ଲାଗି ଯାଇଥିଲା। ୨୦୧୦ରେ ମନମୋହନ ସିଂ ସରକାର ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଣୁ ପଞ୍ଚାୟତିରାଜ ଦିବସ ପାଳନରେ କିଏ ଆଗେ ? ମୋହନ ସରକାର ୧୯୯୧ରୁ ପାଳିତ ହୋଇ ଆସୁଥିବା ପଞ୍ଚାୟତିରାଜ ଦିବସକୁ କେବଳ ବିଜୁ ଲିଗାସି କାଟିବା ପାଇଁ ବନ୍ଦ କରି ମନମୋହନ ସରକାର ଆରମ୍ଭ କରିଥିବା ଧାରାରେ ସାମିଲ ହେବାକୁ ନିଷ୍ପଭି ନେଇ ବିଜୁଙ୍କୁ ଅପମାନିତ କରିଛନ୍ତି ବୋଲି ଆମର ମନେହୁଏ। ଏଭଳି ଅଯଥା ବିବାଦକୁ ଏଡ଼ାଇ ଯାଇଥିଲେ ମୋହନ ସରକାରଙ୍କ ମହନୀୟତା ଅଧିକ ଉଜ୍ଜ୍ବଳ ହୋଇଥାନ୍ତା ।ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବାକୁ ଯାଇ ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷ ବିଜୁଙ୍କୁ ଭାଜପା ଅପମାନିତ କରିବା ଠିକ୍ ଲାଗିଲା ନାହିଁ। Post navigation ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା; କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲା ମେହେର