କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଗ୍ରାମର ପଥର କାରିଗର ଏବେ ଦୁର୍ଦ୍ଦିନରେ । ପଥର କାରିଗରଙ୍କ ପାଇଁ ଶିଳ୍ପୀଗ୍ରାମ ଭାବରେ ପରିଚିତ କନ୍ଦାଗଡ଼ ଗ୍ରାମର ଶିଳ୍ପୀ। କିନ୍ତୁ ଏବେ ପେଟପାଟଣା ପାଇଁ ଦାଦନ ମୁହାଁ ହେଲେଣି ଶିଳ୍ପୀ।

ଖବର ଅନୁଯାୟୀ, ଶିଳ୍ପୀଗ୍ରାମ ଭାବରେ ପରିଚିତ କୋକସରା ବ୍ଲକ କନ୍ଦାଗଡ଼ ଗ୍ରାମର ଅନେକ ଯୁବକ କାହିଁ କେତେ ବର୍ଷରୁ ପଥର ଶିଳ୍ପକୁ ନେଇ ଜୀବନ ଜୀବିକା କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଏବେ ଜୀବିକା ହରାଇ ଦୁର୍ଦ୍ଦିନରେ ଶିଳ୍ପୀ ପରିବାର । ଏହି ଶିଳ୍ପୀଙ୍କ ଦ୍ଵାରା ନିର୍ମିତ ମୂର୍ତ୍ତି ଜିଲ୍ଲା ଓ ରାଜ୍ୟ ବାହାରେ ନିଜର କଳାକୃତି ପାଇଁ ବେଶ୍ ପ୍ରଶଂସିତ ହୋଇଛି। କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅନୁଦାନରୁ ୧୯୯୩ ମସିହାରେ ତତ୍କାଳୀନ କଳାହାଣ୍ଡି ଜିଲ୍ଲାପାଳ ଅଶୋକ କୁମାର ଦଳବାଇ କନ୍ଦାଗଡ଼ରେ ପଥର ଖୋଦେଇ ପାଇଁ ଏକ ଗୃହ ଯୋଗାଇ ଦେଇଥିଲେ ଓ ତାଲିମ ପାଇଁ କିଛି ଯୁବକଙ୍କୁ ଭୁବନେଶ୍ୱର ପଠାଇଥିଲେ। ଯୁବକମାନେ ତାଲିମ ନେଇ ଆସି ପଥରକୁ ନିହାଣ ମୁନରେ ନିଜ ହାତର ସ୍ପର୍ଶରେ ଜୀବନ୍ତ କରି ଅନେକ ଦେବାଦେବୀ କଳା ସ୍ଥାପତ୍ୟ ମୂର୍ତ୍ତି ତିଆରି କରି ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ସମସ୍ତଙ୍କଠାରୁ ପ୍ରଶଂସା ପାଇଥିଲେ । ମୂର୍ତ୍ତି ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ।

ତେବେ ଆଉ ସେହି ଦିନ ନାହିଁ, ସରକାରୀ ପ୍ରୋତ୍ସାହନ ଅଭାବରୁ ଏବେ ଏହି କାରିଗରମାନେ ପଥର ଶିଳ୍ପ ପ୍ରତି ମୂହଁ ମୋଡୁଥିବାବେଳେ ପେଟପାଟଣା ପାଇଁ ଅଧିକାଂଶ ଯୁବ କାରିଗରମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ନୂତନ ପିଢ଼ି ଆଉ ପଥର ଶିଳ୍ପୀ ହେବାକୁ ମନ ବଳାଉ ନାହାଁନ୍ତି । ଏବେ ଗାଁରେ ଥିବା ବରିଷ୍ଠ କାରିଗର କୋଉଠୁ ମୂର୍ତ୍ତି ପାଇଁ ବରାଦ ମିଳିଲେ କରୁଛନ୍ତି। ନହେଲେ କାମଧନ୍ଦା ବନ୍ଦ କରି ଘରେ ବସିଛନ୍ତି । ଯଦି ସେମାନଙ୍କୁ ସରକାର ପ୍ରୋତ୍ସାହନ ସହ ତାଙ୍କ ପଥର ମୂର୍ତି କୁ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା କରାଇ ଦିଅନ୍ତେ ତା’ହେଲେ ଆଗକୁ କିଛି ସମ୍ଭାବନା ସୃଷ୍ଟି ହେବ ବୋଲି ବରିଷ୍ଠ ପଥର ଖୋଦେଇ ଶିଳ୍ପୀମାନେ କହିଛନ୍ତି । ତେବେ କଳାହାଣ୍ଡି ର ଏପରି ବିଲୁପ୍ତ ହେବାକୁ ବସିଥିବା ଶିଳ୍ପୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *