ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଗଡ଼ିଲା ସ୍ପେଶାଲ ବସ୍ । ଏବେ ଓଡ଼ିଶାରୁ ବସରେ ବସି ମହାକୁମ୍ଭ ମେଳା ଯାଇପାରିବେ ରାଜ୍ୟବାସୀ । ପବିତ୍ର ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ପାଇଁ ଓଡ଼ିଶା ପରିବହନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍ ସେବା । ଭିସି ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁରୀ-ଅଯୋଧ୍ୟା, ବ୍ରହ୍ମପୁର-ଅଯୋଧ୍ୟା, ସମ୍ବଲପୁର-ଅଯୋଧ୍ୟା ଏବଂ ଭବାନୀପାଟଣା-ଅଯୋଧ୍ୟା ପ୍ରମିୟମ ବସଗୁଡ଼ିକର ଶୁଭାରମ୍ଭ ହୋଇଛି। ଅଯୋଧ୍ୟା ସହ ପ୍ରୟାଗରାଜକୁ ଯିବେ ଶ୍ରଦ୍ଧାଳୁ । ଆଗକୁ ଲୋକଙ୍କ ଚାହିଦା ଦେଖି ବସ୍ ବ୍ୟବସ୍ଥା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଥମ ଦିନରେ ଓଡ଼ିଶାରୁ ୨୦୦ ଯାତ୍ରୀ ଯାତ୍ରା ଆରମ୍ଭ କରିଛନ୍ତି । ମହିଳାମାନଙ୍କ ପାଇଁ ଟିକେଟ୍ ମୂଲ୍ୟରେ ୫୦ ପ୍ରତିଶତ ରିହାତି କରାଯାଇଛି । ଏହା ସହ ସମସ୍ତ ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଓଏସଆରସିଟି ଦ୍ବାରା ପରିଚାଳିତ ଏହି ପ୍ରିମିୟମ ବସ ସେବା ଯାତ୍ରୀଙ୍କୁ ସୁଗମ ଯାତ୍ରାର ଅନୁଭୂତି ଦେବ ବୋଲି ଆଶା କରିଛନ୍ତି ରାଜ୍ୟ ସରକାର। ତେବେ ଯାତ୍ରୀଙ୍କ ସୁବିଧା ଦେଖି ଏହି ସ୍ୱତନ୍ତ୍ର ବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା, ଲାଇଭ୍ ଯାନ ଟ୍ରାକିଂ, ପ୍ୟାନିକ ବଟନ, ଏବଂ ଉନ୍ନତ ଡ୍ରାଇଭର ସହାୟତା ବ୍ୟବସ୍ଥା ରହିଛି । ଏଥିସହିତ ଯାତ୍ରୀଙ୍କ ସହାୟତା ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ ବ୍ୟବସ୍ଥା ମଧ୍ୟ ରହିବ । କୌଣସି ଅସୁବିଧାର ସମ୍ମୁଖୀନ ହେଲେ କିମ୍ବା କୌଣସି ଯାତ୍ରା ସମ୍ବନ୍ଧୀୟ ସୂଚନା ପାଇଁ ୧୮୦୦୩୪୫୧୧୨୨କୁ କଲ୍ କରିପାରିବେ କିମ୍ବା ହ୍ୱାଟ୍ସ ଅପ୍ ନମ୍ବର ୭୮୪୯୦୫୨୨୦୫ରେ ଯୋଗଯୋଗ କରିପାରିବେ ।

ସୂଚନା ଯୋଗ୍ୟ; ଆସନ୍ତା ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ୧୨ ବର୍ଷରେ ଥରେ ଏହି ମହାକୁମ୍ଭ ମେଳା ପଡ଼ୁଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିରେ ଦେଶ ବିଦେଶରୁ ଆସିବେ କୋଟିକୋଟି ଶ୍ରଦ୍ଧାଳୁ, ସାଧୁସନ୍ଥ ଓ ସନ୍ନ୍ୟାସୀମାନେ।

Leave a Reply

Your email address will not be published. Required fields are marked *