ଭୁବନେଶ୍ୱରର ଏକାମ୍ର କାନନରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ରଙ୍ଗ ବେରଙ୍ଗର ସୁଗନ୍ଧଭରା ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ । ଆସନ୍ତା ଜାନୁଆରୀ ୧୧ ତାରିଖ ଯାଏଁ ଏହି ପୁଷ୍ପ ପ୍ରଦର୍ଶନୀ ଚାଲିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଫୁଲ କେବଳ ସୁନ୍ଦର ପାଇଁ ନୁହେଁ ଓଡିଶାକୁ ଆସୁଥିବା ଅତିଥିଙ୍କ ପାଇଁ ଏହା ଏକ ପରିଚୟ । ଯାହା ଓଡିଆ ଅସ୍ମିତା କଥା ବିଶ୍ୱ ଦରବାରରେ ପହଞ୍ଚିବ ।

ଏହି ପୁଷ୍ପ ପ୍ରଦର୍ଶନୀରେ ଗୋଲାପ, ଏକଜୁରା, ଜରବରା, ଆଷ୍ଟର, ଭରବିନା, ଗ୍ଲାଡିଓ, ପିଟୁନିଆ, ଲିଲିଅମ, କ୍ୟାଲେଣ୍ଡୁଲା, ଗେଣ୍ଡୁ, ମନ୍ଦାର ଆଣ୍ଟିରିନିୟମ, ଜିନିଆ, ସେଲଭିଆ ସେବତି ଆଦିର ଅପୂର୍ବ ସମ୍ଭାରର ଏକ ସୁନ୍ଦର ମନଲୋଭା ଉଦ୍ୟାନ ଦେଖିବାକୁ ମିଳିଛି । ଭଳିକି ଭଳି ଫୁଳର ବଗିଚା ବେଶ୍ ମନୋରମ ଲାଗୁଛି । ସର୍ବସାଧାରଣଙ୍କ ନିମନ୍ତେ ଦୁଇଦିନ ପାଇଁ ଦେୟମୁକ୍ତ ଏହି ପ୍ରଦର୍ଶିନୀ ଖୋଲା ରହିଥିବାବେଳେ ଆଜି ପ୍ରଥମ ଦିନରେ ବିପୁଳ ଦର୍ଶକଙ୍କ ସମାଗମ ହେବ ।

ଆସନ୍ତା ୧୧ ତାରିଖ ଯାଏଁ ଚାଲିବ ଏହି ପୁଷ୍ପ ପ୍ରଦର୍ଶନୀ । ଏହି ପାଞ୍ଚଦିନିଆ ପୁଷ୍ପ ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ଖଣି ନିଗମ ଲିମିଟେଡ, ଓଡ଼ିଶା ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ, ନାଲକୋ, ଏମ୍‌ଜିଏମ୍‌ ମିନେରାଲସ (ପ୍ରା) ଲିମିଟେଡ ଓ ଭୁବନେଶ୍ୱର ସୋଆ ବିଶ୍ୱବିଦ୍ୟାଳୟ ସହ ବିଭିନ୍ନ ଘରୋଇ ଅନୁଷ୍ଠାନ ଆଦି ପୁଷ୍ପ ପ୍ରଦର୍ଶନୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରଦର୍ଶନୀର ଶେଷ ଦିନରେ ବିଜେତାମାନଙ୍କୁ ପୁରସ୍କୃତ କରାଯିବ।

Leave a Reply

Your email address will not be published. Required fields are marked *