ତିନି ‘ଏମ୍’ଙ୍କୁ ମିଳିଗଲା ଜାମିନ । ତିନି ଏମ୍ ହେଲେ -ମୁଖାର୍ଜୀ, ମହାପାତ୍ର ଏବଂ ମହାରଣା। ବ୍ରିଜ ଆଣ୍ଡ ରୂଫ କମ୍ପାନୀର ୧୦ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଏହି ତିନିଜଣଙ୍କୁ ଗିରଫ କରିଥିଲା ସିବିଆଇ। ରିମାଣ୍ଡରେ ନେଇଥିଲା । ଜେରା କଲା । ବୁଧବାର ସିବିଆଇ କୋର୍ଟ ସେମାନଙ୍କୁ ଜାମିନ ଦେଲେ । ଲାଗୁଛି ସବୁ ଦଫାରଫା ହେଇଗଲା । କିନ୍ତୁ ଏ ଯାଏଁ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ଜେରା କରିନାହିଁ ସିବିଆଇ। ନୋଟିସ ପଠାଇଥିଲା ୧୦ ତାରିଖରେ। ହେଲେ ହାଜର ହେଇନାହାଁନ୍ତି ବିଷ୍ଣୁ । ହେବେ କି ନାହିଁ ମହାପ୍ରଭୁ ଜଗନ୍ନାଥ ବି ଜାଣିନଥିବେ । ଶାହା ଯାହାଙ୍କୁ ସାହା, ହୁଏତ ସିବିଆଇ ତାଙ୍କ ପାଖକୁ ଯାଇନପାରେ । ତାଙ୍କ ପିଏସ ସାକେତ କୁମାରଙ୍କ ନାଁ ଯେତେବେଳେ ଉଠିଲାଣି ସେତେବେଳେ ସମସ୍ତେ ଦୃନ୍ଦ୍ବରେ ଯେ, ଜେରା ହବ କି ନହବ । ସରକାର କେବଳ ଗୋଟିଏ କାମ କରିଚନ୍ତି । ସଚିବ ଦାୟିତ୍ୱରୁ ମୁକ୍ତ କରିଦେଇଚନ୍ତି ବିଷ୍ଣୁଙ୍କୁ। ଏବେ ସେ ଓଏସଡି । କିନ୍ତୁ ଏତିକିରେ କଥା ଛିଡିବ କି ? ପ୍ରତିଦିନ ନୂଆନୂଆ ଅଭିଯୋଗ ଆସୁଚି। ଯେଉଁଠି ବିଷ୍ଣୁ ସେଇଠି ଦେବଦତ୍ତ । ଯେମିତି କାୟା ସାଙ୍ଗରେ ଛାୟା । ବିଆରସିରେ ଉଠିଛି ବିଷ୍ଣୁ ଓ ଦେବଦତ୍ତଙ୍କ ନାଁ । ଏନବିସିସି ଯଉଁ କାମ ପାଇଛି ଓଏଚପିସିରୁ ସେଠି ମଧ୍ୟ ଆସିଛି ବିଷ୍ଣୁ ଓ ଦେବଦତ୍ତଙ୍କ ନାଁ। ବିଷ୍ଣୁପଦ ଯେତେବେଳେ ଓଡ଼ିଶା ଥର୍ମାଲ ପାଓ୍ବାର କର୍ପୋରେସନ ଦାୟିତ୍ୱରେ ଥିଲେ ସେତେବେଳେ ଓ୍ୱାପକସ୍ ନାମକ ଏକ କେନ୍ଦ୍ରୀୟ ସଂସ୍ଥାକୁ ଟେଣ୍ଡର ମିଳିଥିଲା । ସେ କାମ ବି ସରିନି । ସେଠି ବି ଅଛନ୍ତି ଦେବଦତ୍ତ । ଦେବଦତ୍ତଙ୍କୁ ଅସଲ କୌଶଳ ଜଣା । କେନ୍ଦ୍ରୀୟ ସଂସ୍ଥା ସହିତ ଯୋଡି ହେଇଯାଇ ଓଡ଼ିଶାର ବଡ଼ ବାବୁ ମାନଙ୍କ ଦୟାରୁ ବେଶ ମାଇ କମେଇପାରିଚନ୍ତି। ଏବେ ପୁଣି ଆସିଲାଣି ଔପକସ୍ର ନାଁ। ବିଷ୍ଣୁ ଭାଷା ଓ ସାହିତ୍ୟ ବିଭାଗ ସଚିବ ଥିବା ବେଳେ ରେଭେନ୍ସାରେ ହଷ୍ଟେଲ ଫଷ୍ଟେଲ ନିର୍ମାଣ ସକାଶେ ଏହି ସଂସ୍ଥାକୁ ୧୫ କୋଟି ଟଙ୍କାର ଠିକା ଦେଇଥିବା ଖବର ବାହାରିଲାଣି। କୁହାଯାଉଛି ଯେ, କୁଳପତିଙ୍କ ବିନା ଅନୁମୋଦନରେ ଏହି ଠିକା ଦିଆଯାଇଛି ସିବିଆଇ । ଜଣାନାହିଁ ଏଠି ବି ଦେବଦତ୍ତ ଅଛନ୍ତି କି ନାହିଁ । ବିଷ୍ଣୁ ଯେତେବେଳେ ଅଛନ୍ତି ଥାଇପାରନ୍ତି ଦେବଦତ୍ତ । ଖୋଳତାଡ କରିବାକୁ ପଡିବ । ସଚିବ ପଦରୁ ଯିବା ପରେ ଏହି କାମ କୁଆଡେ ଅଟକିଛି। ସିବିଆଇ ତ ୧୦ଲକ୍ଷ ଟଙ୍କା ଲାଞ୍ଚ ମାମଲାର ତଦନ୍ତ କରୁଥିଲା । କିନ୍ତୁ ଏତେଗୁଡିଏ କେଳେଙ୍କାରୀ ବାହାରିଲାଣି, ସେସବୁର ତଦନ୍ତ କରିବ କିଏ ? ଭିଜିଲାନ୍ସ କଦାପି ଛୁଇଁ ପାରିବ ନାହିଁ ଆଇଏଏସ ଅକାରୀଙ୍କୁ । ଏଣୁ ପଦ୍ମ ସରକାର ସବୁ ମାମଲାଗୁଡିକୁ ଏକାଠି କରି ସିବିଆଇ ତଦନ୍ତ ପାଇଁ ସୁପାରିସ କରିପାରିବେ କି ? ଦେଖାଯାଉ କ’ଣ କରୁଛନ୍ତି ମୋହନ ସରକାର ! Post navigation ଟେଣ୍ଡର ଫିକ୍ସିଂ ମାମଲା: ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କଲା ବିଜେଡି ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା