ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡ଼ମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଇନା ନେହୱାଲଙ୍କ ପରି ଅନେକ ଖେଳାଳି ଦେଶକୁ ପୁରସ୍କାର ଆଣିଛନ୍ତି। ଭବିଷ୍ୟତରେ ସେମାନଙ୍କୁ ଦେଶକୁ ଅଧିକ ପୁରସ୍କାର ଆଣିବାକୁ ମୁଁ ଅନୁରୋଧ କରୁଛି। କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ବଡ ପଦକ୍ଷେପ ନେଇଛନ୍ତି ବୋଲି ସିଏମ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଓଡିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୂଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ଫେବୃଆରୀ ୨୦୧୯ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ। ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ ତିନି ଏକର ଜମି ଯୋଗାଇ ଦେଇଥିଲେ। ଏହି ସେଣ୍ଟର ନିର୍ମାଣ ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିବା ବେଳେ ବ୍ୟାଡ଼ମିଣ୍ଟନ ଜାତୀୟ କୋଚ ତଥା କିମ୍ବଦନ୍ତୀ ବ୍ୟାଡ଼ମିଣ୍ଟନ ବ୍ୟକ୍ତିତ୍ୱ ଶ୍ରୀ ପୁଲେଲା ଗୋପୀଚାନ୍ଦ ଏହି ସେଣ୍ଟରର ପରିଚାଳନା ଓ କୋଚିଂ ପ୍ରଦାନ କରିବେ ବୋଲି ଚୁକ୍ତିରେ ସ୍ଥିର କରାଯାଇଥିଲା। ଏଥିରେ ଆଠଟି ବ୍ୟାଡ଼ମିଣ୍ଟନ କୋର୍ଟ ରହିଥିବା ବେଳେ ୫୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି। ଏହି ଅବସରରେ ଖ୍ୟାତନାମା ବ୍ୟାଡମିଣ୍ଟନ୍ ଖେଳାଳି ପୁଲେଲା ଗୋପିଚାନ୍ଦ ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କୁ ଭେଟିଛନ୍ତି। ଭୁବନେଶ୍ଵରରେ ବ୍ୟାଡମିଣ୍ଟନର ହାଇ ପରଫରମାନ୍ସ ସେଣ୍ଟର୍ ପ୍ରତିଷ୍ଠା କରି ରାଜ୍ୟରେ ଖେଳାଳିଙ୍କୁ ଅନେକ ପ୍ରୋତ୍ସାହିତ କରିଥିବାରୁ ନବୀନଙ୍କୁ ସେ ପ୍ରଶଂସା କରିଛନ୍ତି। Post navigation ବିଜେଡିରେ ଘମାସାନ: ସୁଜିତ, ମମତା ପରେ କିଏ? ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ