କଂଗ୍ରେସରେ ବିବାଦ, ମତାନ୍ତର ଦିନକୁ ଦିନ ବଢିବାରେ ଲାଗିଚି । ନିର୍ବାଚନ ବିପର୍ଯ୍ୟୟ ପରଠାରୁ ନେତାଙ୍କ ଭିତରେ ଟକ୍କରାଟକ୍କରି ପରିସ୍ଥିତି ମଧ୍ୟ ସାମ୍ନାକୁ ଆସୁଚି । କେନ୍ଦ୍ରୀୟ ନେତୃତ୍ବ ଓଡ଼ିଶାକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଉନାହାଁନ୍ତି । ମୁଖିଆବିହୀନ ହୋଇ ପଡିଚି ରାଜ୍ୟ କଂଗ୍ରସ୍। ଦିଲ୍ଲୀରେ କିଛି ନେତା ଡେରା ପକାଇଚନ୍ତି । ଆଉ କିଛି ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଜ୍ୟ ଭାଜପା ସରକାରଙ୍କ ବିରୋଧରେ ବିଭ୍ରାତ୍ତିକର ମନ୍ତବ୍ୟ ଦେବାକୁ ପଛାଇ ନାହାଁନ୍ତି । ୬ମାସ ବିତିଗଲାଣି ହେଲେ ସ୍ଥିର ହେଇପାରୁ ନାହିଁ କିଏ ହେବ ପ୍ରଦେଶ କମିଟିର ସଭାପତି ? ରାଜ୍ୟରେ ଦିନକୁ ଦିନ କଂଗ୍ରେସ ଦୁର୍ବଳ ହେଉଥିଲା ବେଳେ ଦଳୀୟ ନେତାଙ୍କୁ ଏକାଠି ରହିବାକୁ ପରାମର୍ଶ ଦିଆଯାଉଚି । ମାତ୍ର ନେତୃତ୍ବବିହୀନ ଦଳରେ ନେତାମାନେ ମଧ୍ୟ ଆଉ କାହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଏମିତି ତ ଖୋଲାମେଲାରେ ମୁହାଁମୁହିଁ ହଉଥିଲେ ନେତାଏ । ମାତ୍ର ସୋମବାର ଗୃହ ଭିତରେ କଂଗ୍ରେସର କନ୍ଦଳ ପଦାରେ ପଡିବା ସମସ୍ତଙ୍କୁ ଚକିତ କରିଚି । ସାଧାରଣତଃ ଗୃହରେ ଶାସକ ଦଳକୁ ଘେରିବା କଥା ହେଲେ ଏଠି କିନ୍ତୁ ଦୁଇ ବିଧାୟକ ପରସ୍ପର ମଧ୍ୟରେ ଏପରି କଥା କଟାକଟି ହେଲେ, ଯୁକ୍ତିତର୍କ କଲେ ଯେ, ବାଧ୍ଯରେ ଅନ୍ୟ କଂଗ୍ରେସ ବି ବିଧାୟକ ସେମାନଙ୍କୁ ବୁଝାଇବା ପାଇଁ ଆସନରୁ ଉଠିବେ । ପ୍ରଶ୍ନକାଳରେ ବାଚସ୍ପତି ଦାଶରଥୀ ଗମାଙ୍ଗଙ୍କୁ ପ୍ରଶ୍ନ ପଚାରିବାକୁ ଡାକିଥିଲେ। ଗମାଙ୍ଗ ଉଠିବା ବେଳେ ମୁଖ୍ୟସଚେତକ ସିଏ ରାଜନ ଏକ୍କା କହିଥିଲେ ମୁଁ କହିବି । ଦୁଇଜଣଙ୍କର କଥା କଟାକଟି ପବିତ୍ର ଗୃହରେ ସମସ୍ତେ ଦେଖିଲେ। ଗମାଙ୍ଗଙ୍କ ଅଭିଯୋଗ ରାଜନ ମୋ ମନରେ ଦୁଃଖ ଦେଲା ଭଳି କଥା କହିଚନ୍ତି । ଖରାପ ଭାଷା କହିବା ଅନୁଚିତ । ଏବେ ଅପେକ୍ଷା ବିଧାୟକ ଦଳର ନେତା କି ନିଷ୍ପତ୍ତି ନଉଚନ୍ତି । କଂଗ୍ରେସ ଦଳର ସ୍ଥିତି ଏମିତି ଯେ, କଂଗ୍ରେସ ନେତୃତ୍ବ ମଧ୍ଯ ଓଡ଼ିଶା ଉପରେ ଗୁରୁତ୍ବ ଦେଉନାହାଁନ୍ତି ବୋଲି ଲାଗୁଛି। ନହେଲେ ୬ମାସ ଧରି ଖାଲି ପଡିନଥାନ୍ତା ପିସିସି ପଦ । ତର୍ଜମା ହେବ, ରାହୁଲ ସହମତି ଦେବେ, ତା’ପରେ ଚୟନ ହେବ ବୋଲି କୁହାଯାଉଛି। ଠେଙ୍ଗା ତୁଲଉତୁଲଉ ଘୁଷୁରୀ ମଙ୍ଗଳପୁରରେ ହାଜର ବୋଲି ମୁଁ ବଛୁ ବଛୁ ଯଉଁ ୧୪ଜଣ ବିଧାୟକ ରାଜ୍ୟରେ ଅଛନ୍ତି ସେମାନେ ବି ଗୋଠଛଡା ହେଇଯିବେ ତାହା ବୁଝିବା ଆଉ ବାକି ନାହିଁ । ବିଧାନସଭା ଭିତରେ ବିଧାୟକ-ବିଧାୟକ ଝଗଡା କଂଗ୍ରେସର ପ୍ରକୃତ ସ୍ଥିତିକୁ ପଦାରେ ପକାଇଚି। Post navigation ସୁଭଦ୍ରା ଭଣ୍ଡୁର ପାଇଁ ପ୍ରାୟୋଜିତ ଆନ୍ଦୋଳନ ? ଗୋଟିଏ ମଞ୍ଚରେ ବିଜୟ ମହାପାତ୍ର ଓ ବବି ଦାସ