ହରିୟାଣାର କୁରୁକ୍ଷେତ୍ରଠାରେ ଆସନ୍ତା ୨୮ ନଭେମ୍ବରଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ୨୦୧୬ରୁ ଆରମ୍ଭ ହୋଇଥିବା ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ । ଏହି ମହୋତ୍ସବରେ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ଯୋଗ ଦେଉଥିବା ବେଳେ ଓଡ଼ିଶା ପାର୍ଟନର ରାଜ୍ୟ ଭାବେ ଅଂଶଗ୍ରହଣ କରିବ ବୋଲି ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ନାୟବ ସିଂ ସୈନୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି।

ଗତକାଲି ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ହରିୟାଣା ମୁଖ୍ୟମନ୍ତ୍ରୀ, ୟୁନାଇଟେଡ଼ ରିପବ୍ଲିକ ଅଫ୍ ତାଞ୍ଜାନିଆର ହାଇ କମିଶନରଙ୍କ ସମେତ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ।

ଓଡ଼ିଶା ଚଳିତ ବର୍ଷ ଗୀତା ମହୋତ୍ସବରେ ଷ୍ଟେଟ ପାର୍ଟନର ଭାବେ ଯୋଗଦେବାକୁ ନେଇ ଓଡ଼ିଶାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ଦେଇ କହିଛନ୍ତି ଦେବଭୂମି ଭାରତବର୍ଷରେ ଗୀତା ମହୋତ୍ସବର ଆୟୋଜନ ହେବା ମାଧ୍ୟମରେ ଆଜି ଭାରତୀୟ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ବିଭିନ୍ନ ଦେଶ ଯଥା ଲଣ୍ଡନ, କାନାଡ଼ା, ଶ୍ରୀଲଙ୍କା ଆଦିରେ ମଧ୍ୟ ଗୀତା ମହୋତ୍ସବ ପାଳିତ ହେବା ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଆଦର୍ଶ ଓ ପ୍ରଭାବକୁ ସୂଚାଉଛି। ଚଳିତ ବର୍ଷ ଓଡିଶା ଷ୍ଟେଟ ପାର୍ଟନର ଭାବେ ମହୋତ୍ସବରେ ଯୋଗ ଦେବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ଆମ ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ।

 

Leave a Reply

Your email address will not be published. Required fields are marked *