ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବେ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଅଛନ୍ତି। ପାକିସ୍ତାନରେ ଆୟୋଜିତ ଏସସିଓ ବୈଠକରେ ନିଜ ଅନ୍ଦାଜ ଦେଖାଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। କଶ୍ମୀର ଓ ଆତଙ୍କବାଦ ପ୍ରସଙ୍ଗରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା କମିନଥିଲେ ମଧ୍ୟ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ନିଜ ପ୍ରତିନିଧି ପଠାଇଛି। ୯ ବର୍ଷ ପରେ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ମାଟିରେ ପାଦ ରଖିଛନ୍ତି।

ଅନ୍ୟପଟେ ଆଜି ବୈଠକରେ ଏସସିଓ ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଏବଂ ଆଞ୍ଚଳିକ ଅଖଣ୍ଡତା କଥା ଉଠାଇ ଉଭୟ ଚୀନ ଓ ପାକିସ୍ତାନକୁ ଉପେକ୍ଷା କରି ଆତଙ୍କବାଦ କେବେ ହେଲେ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବ ନାହିଁ ବୋଲି ସେ କହିଛନ୍ତି।

ଏସ୍ ଜୟଶଙ୍କର କହିଛନ୍ତି ଯଦି ଦୁଇ ଦେଶର ସୀମାରେ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ମନୋଭାବ ରହେ, ତେବେ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ସମ୍ପର୍କକୁ ସହଯୋଗ କରିବା ସମ୍ଭବ ନୁହେଁ। ଆତଙ୍କବାଦ, ବିଚ୍ଛିନ୍ନତାବାଦ ଓ ଉଗ୍ରବାଦର ମୁକାବିଲାରେ ଏସିଓ କୌଣସି ସାଲିସ କରିବା ଉଚିତ ନୁହଁ । ଯେକୌଣସି ପରିସ୍ଥିତିରେ ଆତଙ୍କବାଦର ମୂଳୋତ୍ପାଟନ ଜରୁରୀ । ବିକାଶ ଏବଂ ଅଭିବୃଦ୍ଧି ସର୍ବଦା ଶାନ୍ତି ଏବଂ ସ୍ଥିରତା ଉପରେ ନିର୍ଭର କରେ। ଆତଙ୍କବାଦର ବିନାଶ ନ ହେଲେ, ବିକାଶ ହୋଇପାରିବ ନାହିଁ। ବର୍ତ୍ତମାନ ସମୟରେ ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ବିରୋଧରେ ଲଢେଇ କରିବା ଏସସିଓର ମୂଳ ଲକ୍ଷ୍ୟ। ଜଗତୀକରଣ ଏବଂ ପୁନଃ ସନ୍ତୁଳନ ବଜାୟ ରଖିବା ମୂଳ ମୁଦ୍ଦା, ଏସସିଓ ସଦସ୍ୟ ରାଷ୍ଟ୍ର ଏହାକୁ ଆଗକୁ ନେବାର ଆବଶ୍ୟକତା ରହିଛି।

ଏଥିପାଇଁ ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ସଚ୍ଚୋଟ ବାର୍ତ୍ତାଳାପ, ବିଶ୍ୱାସ, ଉତ୍ତମ ସମ୍ପର୍କ ପ୍ରତିବଦ୍ଧତା ଆବଶ୍ୟକ କରେ। ଆତଙ୍କବାଦ, ବିଚ୍ଛିନ୍ନତାବାଦ ଏବଂ ଉଗ୍ରବାଦ ଭଳି ତିନି ଶତ୍ରୁକୁ ପ୍ରତିହତ କରିବା ପାଇଁ ଏସସିଓକୁ କୌଣସି ପ୍ରକାର ଆପୋଷ ବୁଝାମଣା କରିବା ଆବଶ୍ୟକ ନୁହେଁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ସହଯୋଗ ପାରସ୍ପରିକ ସମ୍ମାନ ଏବଂ ସାର୍ବଭୌମତ୍ୱ ସମାନତା ଉପରେ ଆଧାରିତ ହେବା ଆବଶ୍ୟକ। ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସ୍ୱୀକୃତି ଦେବା ଉଚିତ ଏବଂ ଏକପାଖିଆ ଏଜେଣ୍ଡା ନୁହେଁ ପ୍ରକୃତ ସହଭାଗୀତା ଉପରେ ନିର୍ମିତ ହେବା ଦରକାର। ଏସବୁକୁ ବାଦ୍ ଦେଇ ଯଦି ଆମେ କେବଳ ବେପାର-ବାଣିଜ୍ୟ ଉପରେ ପ୍ରାଧାନ୍ୟ ଦେବା, ତେବେ କେବେ ହେଲେ ଏସସିଓ ଆଗକୁ ବଢିପାରିବ ନାହିଁ।

ଏହା ବ୍ୟତୀତ ଚଳିତ ବର୍ଷର ଏସସିଓ ସମ୍ମିଳନୀର ଆୟୋଜନ ପାଇଁ ପାକିସ୍ତାନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏସ୍ ଜୟଶଙ୍କର। ଏହି ଅଧ୍ୟକ୍ଷତାକୁ ସଫଳ କରିବା ପାଇଁ ଭାରତର ସମସ୍ତ ପ୍ରକାର ସହଯୋଗ ଅଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *