ବିଜେଡିର ନବନିର୍ବାଚିତ ବିଧାୟକଙ୍କ ଦିନିକିଆ ପ୍ରଶିକ୍ଷଣ ଶିବିର ଶଙ୍ଖ ଭବନରେ ଆଜି ଆରମ୍ଭ ହୋଇଛି। ନବନିର୍ବାଚିତ ବିଧାୟକଙ୍କ ସହ ସମସ୍ତ ପୂର୍ବତନ ବିଧାୟକ ଓ ସାଂସଦମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ପୂର୍ବାହ୍ନରେ କାର୍ଯ୍ୟକ୍ରମ ଉଦଘାଟନ କରି ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ତଥା ଓଡିଶାବାସୀଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ ଲଢେଇ ଜାରି ରଖିବାକୁ ଦଳର ବିଧାୟକମାନଙ୍କୁ ଆହ୍ୱାନ ଜଣାଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରଙ୍କ ଯେତିକି ଦାୟିତ୍ୱ ରହିଛି ବିରୋଧୀ ଦଳର ତାଠାରୁ ଅଧିକ ଦାୟିତ୍ୱ ରହିଛି। ବିରୋଧୀ ଦଳ ହିଁ ଗଣତନ୍ତ୍ରର ଶ୍ରେଷ୍ଠ ସୁରକ୍ଷାକାରୀ ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇ ଲୋକଙ୍କ ସ୍ୱାର୍ଥ ଜଡିତ ବିଷୟକୁ ପ୍ରାଥମିକତା ଦେଇ ବିଧାନସଭାରେ ଉଠାଇବାକୁ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଆମର ନୂଆ ବିଧାୟକମାନଙ୍କୁ ବିଧାନସଭାର ନୀତି ନିୟମ ଏବଂ କାର୍ଯ୍ୟ ପରିଚାଳନା ବିଷୟରେ ସମ୍ୟକ ଜ୍ଞାନ ଦେବା ତାଲିମ ଶିବିରର ମୁଖ୍ୟ ଉଦ୍ଦେଶ୍ୟ। କେବଳ ଗୃହ ପରିଚାଳନା ନୁହେଁ ସରକାରଙ୍କୁ ଉତ୍ତରଦାୟୀ କରିବାରେ ମଧ୍ୟ ଗୃହର ନୀତି ନିୟମ ହେଉଛି ଅସ୍ତ୍ର। ତେଣୁ ବିଧାୟକ ଭାବରେ ନିଜ ଦାୟିତ୍ୱ ନିର୍ବାହ କରିବା ପାଇଁ ଗୃହର ନୀତି ନିୟମ ସହ ବିଭିନ୍ନ ସଂସଦୀୟ ପରମ୍ପରା ଆଦି ଉପରେ ବିଶେଷ ଧ୍ୟାନ ଦେବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ

ମୁଲତବି ପ୍ରସ୍ତାବ, ଦୃଷ୍ଟିଆକର୍ଷଣକାରୀ ପ୍ରସ୍ତାବ ପ୍ରଶ୍ନୋତ୍ତର, ଶୁନ୍ୟକାଳ ଆଦି ଜରିଆରେ ସରକାରଙ୍କୁ ଉତ୍ତରଦାୟୀ କରିବା ସହ ବିଭିନ୍ନ କମିଟି କାର୍ଯ୍ୟରେ ମଧ୍ୟ ସକ୍ରିୟ ଭାବରେ ଅଂଶଗ୍ରହଣ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ। ଏହା ସହିତ ନୂଆ ବିଧାୟକମାନଙ୍କୁ ମାର୍ଗଦର୍ଶନ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବରିଷ୍ଠ ବିଧାୟକମାନଙ୍କୁ ପରାମର୍ଶ ଦେଇଥିଲେ।

ସଂସଦୀୟ ଶାସନ ବ୍ୟବସ୍ଥା ସମ୍ପର୍କରେ ଆମ ସମ୍ବିଧାନର ଜନକ ଡକ୍ଟର ବି ଆର ଆମ୍ବେଦକରଙ୍କ ମତ ଉଦ୍ଧୃତ କରି ବିରୋଧୀ ଦଳ ନେତା କହିଥିଲେ ଯେ ସଂସଦୀୟ ଶାସନ ବ୍ୟବସ୍ଥା ଉତ୍ତରଦାୟୀ ହୋଇଥିବାରୁ ରାଷ୍ଟ୍ରପତି ଶାସନ ବ୍ୟବସ୍ଥାଠାରୁ ଏହା ଉତ୍ତମ।

ବିଧାନସଭା ଦ୍ୱାରା ଆୟୋଜିତ ତାଲିମ ଶିବିର ଆୟୋଜନରେ ରାଜନୈତିକ ଅଭିସନ୍ଧି ଥିଲା। ତା ସହିତ ସେ କାର୍ଯ୍ୟକ୍ରମରେ ଆମ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ମର୍ଯ୍ୟାଦା ନିଜ ରାଜ୍ୟରେ କ୍ଷୁର୍ଣ ହୋଇଥିବା ଅନୁଭବ କରି ବିଜେଡି ସେ କାର୍ଯ୍ୟକ୍ରମରୁ ଦୁରେଇ ରହିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

୫୧ ବିଧାୟକଙ୍କୁ ନେଇ ବିଜେଡି ଆଜି ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ କାର୍ଯ୍ୟ କରୁଛି ତେଣୁ ସରକାରଙ୍କୁ ଉତ୍ତରଦାୟୀ କରିବା ପାଇଁ କୌଣସି ସୁଯୋଗ ଆମେ ହାତଛଡା ନକରିବାକୁ ଶ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ପ୍ରମୁଖ ଶିବିରର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ବିଜୁ ବାବୁ ଓ ଡ଼କ୍ଟର ବି.ଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ବିରୋଧୀ ଦଳ ନେତା ମାଲ୍ୟାର୍ପଣ କରିଥିଲେ। ନବନିର୍ବାଚିତ ବିଧାୟକଙ୍କ ତାଲିମ ପାଇଁ ଦଶଟି ବୈଷୟିକ ଅଧିବେଶନର ଆୟୋଜନ କରାଯାଇଛି।

Leave a Reply

Your email address will not be published. Required fields are marked *