କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ଏହି ଘଟଣାର ତଦନ୍ତ କରିବ। ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି। ଏବଂ ମାମଲା ସହିତ ଜଡ଼ିତ ସିସିଟିଭି ଫୁଟେଜ୍‌ ଏବଂ ସମସ୍ତ ବୟାନ ଆସନ୍ତାକାଲି ସକାଳ ୧୦ ସୁଦ୍ଧା ହସ୍ତାନ୍ତର କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।

ଏହି ଘଟଣାର ଶୁଣାଣି ସମୟରେ ହାଇକୋର୍ଟ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲଙ୍କ ଉପରେ ବର୍ଷିଛନ୍ତି। ଘଟଣାରେ ହସ୍ପିଟାଲ କର୍ତ୍ତୃପକ୍ଷ ଟାଳୁଟୁଳ ନୀତି ଅବଲମ୍ବନ କରିଥିଲେ ବୋଲି କୋର୍ଟ ହୃଦୟଙ୍ଗମ କରିଛନ୍ତି। ଏଥିପାଇଁ କୋର୍ଟ ଘଟଣା ଘଟିଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ମୁଖ୍ୟ ଡାକ୍ତର ସନ୍ଦୀପ ଘୋଷଙ୍କୁ ଛୁଟିରେ ଚାଲିଯିବାକୁ କହିଛନ୍ତି।

ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ଦୁଷ୍କର୍ମ କରିବା ପୂର୍ବରୁ ପୀଡ଼ିତାଙ୍କୁ ପ୍ରବଳ ପିଟିଥିଲେ । ତାଙ୍କ ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା । ଏପରିକି ଚଷମାର କାଚର କିଛି ଅଂଶ ତାଙ୍କ ଆଖିରେ ପଶି ଯାଇଥିବା ଜଣାଯାଇଛି । ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ହତ୍ୟା ପୂର୍ବରୁ ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା । ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ପୀଡ଼ିତାଙ୍କ ହତ୍ୟା ଶୁକ୍ରବାର ଭୋର ୩ଟାରୁ ୫ଟା ମଧ୍ୟରେ ହୋଇଥିବା ରିପୋର୍ଟରେ ରହିଛି ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୁଲିସ ସଂଜୟ ରାୟ ନାମକ ଅଭିଯୁକ୍ତକୁ ଗିରଫ କରିଛି । ଏହି ହସ୍ପିଟାଲରେ ସଞ୍ଜୟ ଜଣେ ସିଭିକ୍ ଭଲ୍ୟୁଣ୍ଟର ଭାବେ କାମ କରୁଥିଲା। ଘଟଣା ଦିନ ସଂଜୟ ଅଶ୍ଳୀଳ ଫିଲ୍ମ ଦେଖିବା ପରେ ଏଭଳି ପିଶାଚିକ କାଣ୍ଡ ଘଟାଇଥିବା ପୁଲିସ ଜାଣିବାକୁ ପାଇ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *