ଜଣେ କୁଡ୍‌ମୀ ସମାଜ ଓ ପଛୁଆ ବର୍ଗର ନେତ୍ରୀଙ୍କୁ ସାମାନ୍ୟ ଗଛର ଡାଳ ସହ ତୁଳନା କରି ସମଗ୍ର କୁଡ୍‌ମୀ ସମାଜ, ମୟୁରଭଞ୍ଜବାସୀ ତଥା ସମସ୍ତ ବିଜେଡି କର୍ମୀଙ୍କୁ ଅସମ୍ମାନ କରାଯାଇଛି । ଆଜି ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ସଂତୃପ୍ତ ମିଶ୍ରଙ୍କ ବକ୍ତବ୍ୟରୁ ତାହା ସ୍ପଷ୍ଟ ହୋଇଛି ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।

ମୁଖିଆଙ୍କ ଜିଲ୍ଲାର ଡାଳ, ପତ୍ର ସବୁ ଯାଇଥିବାବେଳେ କେବଳ ଥୁଂଟା ଗଛ ବିଷୟରେ ଶ୍ରୀ ସଂତୃପ୍ତ ମିଶ୍ର କ’ଣ କହିବେ ? ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ‘ସଂତୃପ୍ତ ମିଶ୍ର’ ନାମରେ ଯେଉଁ ମଞ୍ଜି କଟକରେ ଲଗାଇଥିଲେ ତାହା ତ ମୂଳରୁ ଗଜା ହେଲା ନାହିଁ, ଗଛ ଓ ଡାଳ ଆସିବ କେଉଁଠୁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଆମ ଦେଶ ଓ ରାଜ୍ୟକୁ ବାଂଲାଦେଶ ସହ ତୁଳନା କରି ନୂତନ କରି ନେତା ସାଜିଥିବା ମିଶ୍ର ବାବୁ ନିଜର ଅପରିପକ୍ୱତାର ଆଉ ଏକ ପରିଚୟ ଦେଉନାହାଁନ୍ତି କି ? ଜନନେତା, ପ୍ରତିଷ୍ଠାତା ସଦସ୍ୟ ଯେଉଁଠି ଅଲୋଡା ସେଇଠି ନୂଆ କରି ନେତାଗିରି କରୁଥିବା ଆଉ ଜଣେ ଅଫିସର ଦଳର ଗଣତନ୍ତ୍ର କଥା କହୁଛନ୍ତି । ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କ ଛବି ଗାଏବ କରି ଗୁମାସ୍ତାର ଛବି ଯୋଡିଥିବା ବିଜେଡି ଦଳର ନେତାମାନେ “ବରପୁତ୍ରଙ୍କ ସମ୍ମାନ” କଥା କହିବା ହାସ୍ୟାସ୍ପଦ। ବାସ୍ତବରେ ବିଜେଡି ଶାସନରେ ବିଜୁ ବାବୁଙ୍କୁ ସବୁଠୁ ଅଧିକ ଅପମାନ କରିଛି ।
ଜଣେ ପ୍ରଶାସକରୁ ନେତା ହୋଇ ରାଜ୍ୟସାରା କୋଟି କୋଟି ଅପବ୍ୟୟ କରି ହେଲିକପ୍ଟରରେ ବୁଲି ନେତାମାନଙ୍କୁ ତଳେ ଠିଆ କରି ଟ୍ରାଫିକ୍ ପୋଲିସ୍ ଦାୟିତ୍ୱ ଦେଲେ ଏହା କିଭଳି ସମ୍ମାନ ? ଦଳକୁ ପୁନରୁଦ୍ଧାର କରନ୍ତୁ ମନା ନାହିଁ। ହେଲେ ପ୍ରଭାବଶାଳୀ କ୍ଷମତା କେନ୍ଦ୍ରମାନଙ୍କ ବିଷୟରେ କ’ଣ କହୁଛନ୍ତି ଶ୍ରୀ ମିଶ୍ର, ତାହା ଜାଣି ରଖିବା ଉଚିତ । ନିଜ ଦଳର କର୍ମୀ ନେତା ମାଳ ମାଳ ହୋଇ ବିଜେଡି ଛାଡୁଥିବା ବେଳେ ସଂତୃପ୍ତ ମିଶ୍ରଙ୍କ ଏହି ବୟାନ ଦଳୀୟ କର୍ମୀଙ୍କ ‘କଟା ଘା’ରେ ଚୂନ’ ନୁହେଁ କି ? ବିଜେଡିର ନେତାମାନେ ପ୍ରଥମେ ନିଜ ଦଳର କର୍ମୀମାନଙ୍କୁ ଆଗ ସମ୍ମାନ ଦିଅନ୍ତୁ, ତା ପରେ ସ୍ୱତନ୍ତ୍ରତା ସେନାନୀ ଓ ବରପୁତ୍ରମାନଙ୍କୁ ସମ୍ମାନର କଥା କହିବାର ଯଥାର୍ଥ ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

 

By Nirvay

Leave a Reply

Your email address will not be published. Required fields are marked *