ଭୋଟ ପାଇଁ ଘୋଷଣା ସର୍ବସ୍ୱ ସାଜିଥିଲା ପୂର୍ବତନ ନବୀନ ସରକାର। ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜ୍ୟ ରାଜକୋଷକୁ ଖୋଳ କରିଥିଲା ବିଜେଡି। ନିର୍ବାଚନ ଜିତିବା ପାଇଁ ନବୀନ ପଟ୍ଟନାୟକଙ୍କ ଟିମ୍ ହୀନ ଷଡଯନ୍ତ୍ର ରଚି ବର୍ଷକରେ ୧୪୦ଟି ଯୋଜନା ଆଣି ଓଡ଼ିଶାର ଲୋକଙ୍କୁ ଭକୁଆ ବନେଇବାକୁ ଅପଚେଷ୍ଟା କରିଥିଲେ। ଯୋଜନା ନାମରେ ବ୍ୟାପକ ହରିଲୁଟ୍ କରି ବିଜେଡିର ଦଳୀୟ କର୍ମୀ ଓ ନେତାଙ୍କୁ ପୋଷା ଯାଇଥିଲା। ନବୀନ ସରକାରରେ ପ୍ରତି ଯୋଜନା ପାଇଁ ମାତ୍ର ହଜାରେ ଟଙ୍କା ବ୍ୟୟବରାଦ କରାଯାଉଥିଲା। ନବୀନଙ୍କ ଏଭଳି ହୀନଚକ୍ରାନ୍ତକୁ ଭଲଭାବେ ବୁଝି ସାରିଥିବା ଓଡ଼ିଶାବାସୀ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କଲେ। ବିରୋଧୀ ଦଳର ବସିବାର ଅଭ୍ୟାସ ନାହିଁ, ସେଥିପାଇଁ ଭେଳିକି ଯୋଜନାଗୁଡିକ ତାସ୍ ଘର ଭଳି ଭୁଶୁଡିଯିବା ପରେ ନବୀନ ବାବୁ ବିରୋଧୀ ଆସନରେ ବସି ଧୈର୍ଯ୍ୟ ହରାଇବା ସହ ବାଉଳା ଚାଉଳା ହେଉଛନ୍ତି।

ଆଦିବାସୀ ଯୁବକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଅସହିଷ୍ଣୁନ ହୋଇପଡିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ବ୍ୟକ୍ତି କୈନ୍ଦ୍ରିକ ନୁହେଁ ବରଂ ରାଜ୍ୟର ସମସ୍ତ ବରପୁତ୍ର ଓ ମହାପୁରୁଷଙ୍କୁ ସମ୍ମାନ ଦେଇଜାଣିଛି ବିଜେପି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଉତ୍କଳମଣି ଗୋପବନ୍ଧୁ ଦାସ, ଡ.ହରେକୃଷ୍ଣ ମହତାବ, ବୀର ସୁରେନ୍ଦ୍ର ସାଏ, ରେଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ଗଙ୍ଗାଧର ମେହେର ସମେତ ଅନ୍ୟାନ୍ୟ ବରପୁତ୍ରମାନଙ୍କୁ ସମ୍ମାନ ଜଣାଇଛି। ଏଇଟା ବିରୋଧୀ ଦଳ ନେତାଙ୍କୁ କଷ୍ଟ ଦେଇଛି । ବିଜେପି ସରକାର ଲୋକଙ୍କ ସରକାର । ଲୋକଙ୍କ ହିତ ପାଇଁ ବିଜେପି ନେମ୍ ଚେଞ୍ଜର” ବି “ଗେମ୍ ଚେଞ୍ଜର” ବି ହେବ ବୋଲି ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି ।

ଅନ୍ୟକୁ ଜୁମଲା ସରକାର କହୁଥିବା ନବୀନ ବାବୁ ନିଜେ ଜଣେ ବଡ ଜୁମଲା । ୨୫ ବର୍ଷ ଧରି ନବୀନ ବାବୁ କେନ୍ଦ୍ରୀୟ ଯୋଜନାରେ ନିଜ ନାଁ ଦେଇ ଓଡ଼ିଶାକୁ ଚଳେଇ ଆସୁଥିଲେ । ମୁଖ୍ୟମନ୍ତ୍ରୀ ଶାସନରେ ଥିବା ବେଳେ ସୋହେଲାରେ ୧୦୦ ଟଙ୍କା ଘୋଷଣା କରିଥିଲେ କିନ୍ତୁ ତାକୁ ଦେଲେ ନାହିଁ। ସେହିପରି ପିଠା ଯୋଜନାରେ ମା’ମାନଙ୍କୁ ଭଣ୍ଡାଇ ଥିଲେ। ବିଜୁ ଯୁବ ବାହିନୀ ଗଠନ କରି ଯୁବକମାନଙ୍କ ସହିତ ବଡ ଜୁମଲା କଲେ । ଏଭଳି ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ଖୋଦ୍ ନବୀନ ବାବୁ ଏବଂ ବର୍ତ୍ତମାନ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ନବଗଠିତ ବିଜେପି ସରକାର ଉପରେ ମିଥ୍ୟା ଆରୋପ ଲଗାଉଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍‌କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବା ବେଳେ ନବୀନ ବାବୁ ତାହାକୁ ବିରୋଧ କରୁଛନ୍ତି । ବିଜେପି ଯାହା କୁହେ ତାହା କରେ, ନବୀନ ବାବୁ ଠକିବା ଛଡା କିଛି ଜାଣନ୍ତି ନାହିଁ। ବିଜେପି ନିର୍ବାଚନ ବେଳେ କ୍ୱଂଇଟାଲ ୩୧ଶହ ଟଙ୍କା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହି ପ୍ରତିଶ୍ରୁତି ପାଳନ କରିଛି ବିଜେପି । ଓଡ଼ିଶାବାସୀଙ୍କୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

Leave a Reply

Your email address will not be published. Required fields are marked *