ବୁଧବାର ରାଜ୍ୟ କ୍ୟାବିନେଟ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା କରିବା ପରେ ଏହାକୁ କଟାକ୍ଷ କରିଛି ବିଜେଡି। ଶଙ୍ଖ ଭବନରେ ସାମ୍ୱାଦିକ ସମ୍ମିଳନୀ କରି ବିଜେଡି କହିଛି ୩ ମାସ ତଳର ନିଷ୍ପତ୍ତି ଉପରେ ମୋହର ମାରିଛନ୍ତି ସରକାର। ପୂର୍ବ ସରକାର ଲାଗୁ କରିଥିବା ମଜୁରୀକୁ ନୂଆ ସରକାର ଦୋହରାଇଛନ୍ତି। ଏ ସଂକ୍ରାନ୍ତରେ ନବୀନ ସରକାର ଗତ ମାର୍ଚ୍ଚ ୧୯ ତାରିଖରେ ନିଷ୍ପତ୍ତି ନେଇଥିଲେ। ସମାନ ନିଷ୍ପତ୍ତି ଉପରେ ଆଜି ସରକାର ପୁଣି ମୋହର ମାରିଛନ୍ତି।
ବିଜେଡି ଆଉ ମଧ୍ୟ କହିଛି କ୍ଯାବିନେଟରେ ନାହିଁ କିଛି ନୂଆ ନିଷ୍ପତ୍ତି । କେବେ ମିଳିବ ବର୍ଦ୍ଧିତ ମଜୁରୀ କହିଲେନି ସରକାର । ୨୦୨୪ ମାର୍ଚ୍ଚ ୧୪ରେ ଶ୍ରମ ବିଭାଗର ଏ ହେଉଛି ବିଜ୍ଞପ୍ତି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ରାଜ୍ୟର ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି ଘୋଷଣା । ଏ ସମ୍ପର୍କରେ ସେ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଥିଲା । ସେ ସମୟରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକଙ୍କ ମଜୁରୀ ୪୪୨ ଟଙ୍କାରୁ ୫୫୦ ଟଙ୍କା ଏବଂ ଅତ୍ୟନ୍ତ କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ୫୦୨ ଟଙ୍କାରୁ ୬୦୦ ଟଙ୍କାକୁ ବୃଦ୍ଧି ଘୋଷଣା କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪ଟି କ୍ଯାଟେଗୋରୀରେ ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ ପୂର୍ବ ସରକାର । ପୂର୍ବ ସରକାରଙ୍କ ଶ୍ରମିକମାନଙ୍କ ପାଇଁ ଏହି ବଡ଼ ଘୋଷଣା ରାଜ୍ୟର ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବଡ଼ ଉପହାର ଥିଲା । ତେବେ ନୂଆ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ପୁନର୍ବାର ଏହି ଘୋଷଣା କରିଛନ୍ତି । ହେଲେ ଏହି ବର୍ଦ୍ଧିତ ଟଙ୍କା କେବେଠାରୁ ଶ୍ରମିକମାନଙ୍କୁ ମିଳିବ ସେ ନେଇ କିଛି ସ୍ପଷ୍ଟ ଘୋଷଣା କରିନାହାନ୍ତି ରାଜ୍ୟ ସରକାର ।ସେହିପରି ପୁରୁଣା ନିଷ୍ପତ୍ତିର ନୋଟିଫିକେସକୁ କାର୍ବନ କପି କରଯାଇଛି କାର୍ବନ କପି କରିବା ହାସ୍ୟାସ୍ପଦ ।
ସୂଚନା ମୁତାବକ, ଶ୍ରମିକ ମାନଙ୍କ ସର୍ବନିମ୍ନ ମଜୁରୀ ଗତ ବିଜେଡି ସରକାର ଯାହା କରିଥିଲେ ଆଜି ବିଜେପି ସରକାର ତାହା କରିଛନ୍ତି । ଆଜି ବସିଥିବା କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସେଥିରୁ ପ୍ରଥମ ପ୍ରସ୍ତାବଟି ହେଉଛି ସର୍ବନିମ୍ନ ମଜୁରୀ ବୃଦ୍ଧି ।