ଚୌଦ୍ବାର କଟକରେ ସୌଭିକ ବିଶ୍ବାଳଙ୍କ ବିଜୟ ପାଇଁ କଟକର ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦ୍‌ବୋଧନ ଦେଇ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ସିଧାସଳଖ ଭି. କେ. ପାଣ୍ଡିଆନ ଓ ବିଜେଡିର ସଙ୍ଗଠନ ସଂପାଦକ ପ୍ରଣବପ୍ରକାଶ ଦାସଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ। ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଶିବେନ୍ଦ୍ର ହାତୀ, ମହେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ୱାର୍ଡର କର୍ମକର୍ତ୍ତା, କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରଭାତରଂଜନ ବିଶ୍ବାଳ କହିଛନ୍ତି ବବି ଦାସ ଓ ତାଙ୍କ ମା’ ନିର୍ବାଚନରେ ହାରିବା ଘଟଣା ହେଉଛି ସେମାନଙ୍କର କର୍ମଫଳ। ବବି ଓ ପାଣ୍ଡିଆନ ଦଳର କ୍ଷତି କଲେ, କର୍ମଫଳ ଭୋଗିଲେ । ସେହିପରି ପାଣ୍ଡିଆନ ଯେତେବେଳେ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରିବା ଆରମ୍ଭ କଲେ, ସେତେବେଳେ ଲୋକଙ୍କ ଭିତରେ ତାହାକୁ ନେଇ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ସଂପର୍କରେ ମୁଁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ସୂଚାଇଥିଲି । କେଉଁଠି ନା କେଉଁଠି ଆଣ୍ଟି ଇନ୍‌କମ୍ବାନ୍‌ସୀ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ନବୀନ ପଟ୍ଟନାୟକ ନିର୍ମଳ ଭାବମୂର୍ତ୍ତି ପାଇଁ ଦୀର୍ଘଦିନ କାମ କଲେ। କିନ୍ତୁ ଦଳ ଭିତରେ କିଛି ଭୁଲ୍‌ ବୁଝାମଣା ପାଇଁ ଦଳର ଆଜି ଏହି ଅବସ୍ଥା ହୋଇଛି।

ସେ ଆଉ ମଧ୍ୟ କହିଛନ୍ତି; ଦଳ ଆଉ ଦଳର ମୁଖ୍ୟଙ୍କ ପ୍ରତି ରହିଥିବା ଭଲ ପାଇବା ଯୋଗୁଁ ସେ ଅନେକ ସମୟରେ ଦଳର କ୍ଷତି କରୁଥିବା ଲୋକଙ୍କ ସଂପର୍କରେ ସୂଚନା ଦେବାକୁ ଉଦ୍ୟମ କରିଥିଲି । କିଏ ଚୋର ଆଉ କିଏ ସାଧୁ, ତାର ସବୁ ପ୍ରମାଣ ମୋବାଇଲ୍ ଫୋନରେ ଅଛି। ନିଜେ ଚୋରି କରି ଅନ୍ୟ ମୁଣ୍ଡରେ ଅଠା ବୋଳିବାକୁ ଚେଷ୍ଟା କରିଛନ୍ତି ବବି ପଣ୍ଡିଆନ୍ ।

ଆଉ ମଧ୍ୟ ସେ କର୍ମୀମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ଆଗକୁ ପୌର ନିର୍ବାଚନରେ ନିଜ ସ୍ଥିତି ରଖିବାକୁ ହେଲେ ଏବେଠୁ କାମ ଆରମ୍ଭ କରିବାକୁ ପଡିବ। ବିଜେପି ଏବେ ଚୌଦ୍ବାର-କଟକରେ ବିଜେଡିର ପାଖାପାଖି ସ୍ଥିତିରେ ରହିଛି। କିନ୍ତୁ ଦଳକୁ ମଜଭୁତ କରିବା ପାଇଁ କାମ କରିବା ସହିତ ଯାହା ପାଖରେ ଟଙ୍କା ଅଛି ସେ ନିର୍ବାଚନ ଲଢିବାକୁ ଆଗକୁ ଆସନ୍ତୁ ବୋଲି ପ୍ରଭାତ ପରାମର୍ଶ ଦେଇଛନ୍ତି। ଟଙ୍କା ନଥିଲେ ନିର୍ବାଚନ ଲଢି ଜିତିବା ଅସମ୍ଭବ ବୋଲି ପ୍ରଭାତ କହିବା ସହିତ ସେ ଓ ତାଙ୍କ ପୁଅ ଏଯାଏ ନିର୍ବାଚନ ଲଢିବାରେ ୮୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ବୋଲି କହିଛନ୍ତି। କିନ୍ତୁ ସେ ଟଙ୍କା ପାଇଁ ରାଜନୀତି କରୁ ନାହାନ୍ତି କି ଦଳ ଛାଡି ଯିବା ଲୋକ ନୁହନ୍ତି।

ପ୍ୟାରୀ ବାବୁଙ୍କୁ ନେଇ ମେ’ ୨୯ ଘଟଣାରେ ତାଙ୍କ ବିରୋଧରେ ବବି ଓ ପଣ୍ଡିଆନ ଷଡ଼ଯନ୍ତ୍ର କରିଛନ୍ତି। ସେ ସବୁର ଫଳ ଏବେ ସେମାନେ ପାଉଛନ୍ତି।

Leave a Reply

Your email address will not be published. Required fields are marked *