ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମୃତ ଏସିଏଫ୍‌ଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସରକାରୀ ଚାକିରିରୁ ନିଲମ୍ବିତ କରାଯାଇଛି। ପାରଳାଖେମୁଣ୍ଡି ଥାନା ଆଇଆଇସି ଏବଂ ଏସଡିଜେଏମ୍ କୋର୍ଟଙ୍କ ଚିଠିକୁ ଆଧାର କରି ପ୍ରାଣୀ ପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି। ନିଲମ୍ବନ ପୂର୍ବରୁ ସେ କପ୍ତିପଦା ଶାଳଚୁଆ ପ୍ରାଣୀଧନ ସେବା କେନ୍ଦ୍ରରେ ପ୍ରାଣୀଧନ ନିରୀକ୍ଷକ (LI) ଭାବେ କାର୍ଯ୍ୟରତ ଥିଲେ।

ଏହି ଘଟଣାରେ ପୂର୍ବରୁ ବିଦ୍ୟାଭାରତୀ ଗତ ୨ ତାରିଖରେ ଆତ୍ମସମର୍ପଣ କରିଥିଲେ। ଆଇନଗତ ପ୍ରକ୍ରିୟା ଏବଂ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବିରୋଧରେ ବିଭାଗୀୟ ସ୍ତରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୌମ୍ୟ ମୃତ୍ୟୁ ମାମଲାକୁ ନେଇ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଦ୍ୟାଭାରତୀଙ୍କ ନିଲମ୍ବନ ମାମଲାରେ ଏକ ନୂଆ ମୋଡ଼ ଆଣିଛି।

୨୦୨୧ ମସିହା ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ର ସନ୍ଦେହଜନକ ଭାବେ ଅଗ୍ନିଦଗ୍ଧ ହୋଇଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୩ରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ତାଙ୍କ ବାପା ବିଦ୍ୟାଭାରତୀଙ୍କ ସମେତ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

Leave a Reply

Your email address will not be published. Required fields are marked *