ବଙ୍ଗୋପସାଗରରେ ସୃଷ୍ଟି ଭୀଷଣ ବାତ୍ୟା ‘ଅକଭାନ୍’ କ୍ରମଶଃ ଘନୀଭୂତ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରଶାସନିକ ପ୍ରସ୍ତୁତିକୁ ବ୍ୟାପକ କରିଛନ୍ତି। ଏହାର ମୁକାବିଲା ତଥା ପ୍ରସ୍ତୁତି, ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ପାଇଁ ଓଡ଼ିଶା ସରକାର ୪ ଜଣ ବରିଷ୍ଠ IAS ଅଫିସରଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ପ୍ରଦାନ କରିଛନ୍ତି। ଏନେଇ ଆଜି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲ, ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ, ଗଜପତି ପାଇଁ ମାନସୀ ନିମ୍ଭାଲ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ଅଧିକାରୀମାନେ ତୁରନ୍ତ ନିଜ ନିଜ ନିଯୁକ୍ତି ଜିଲ୍ଲାକୁ ଯାଇ ସେଠାରେ ଅବସ୍ଥାନ କରିବେ ଏବଂ ଜିଲ୍ଲା ପ୍ରଶାସନ ସହ ମିଶି ବାତ୍ୟା ପୂର୍ବ ପ୍ରସ୍ତୁତି, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସୁପରିଚାଳନା ତଥା ପ୍ରତ୍ୟକ୍ଷ ତଦାରଖ କରିବେ ବୋଲି ନିର୍ଦ୍ଦେଶ ରହିଛି। Post navigation Cyclone Akvan Threat: ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା: ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ଜୋରଦାର