ଶକ୍ତିଶାଳୀ ହେଉଛି ବାତ୍ୟା ‘ଅକୱାନ୍’। ଅବପାତରୁ ଗଭୀର ଅବପାତ ଏବଂ ପରେ ବାତ୍ୟାର ରୂପ ନେଇଥିବା ‘ଅକୱାନ୍’ ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସକାଳ ୫ଟା ୩୦ ମିନିଟ୍ର ପର୍ଯ୍ୟବେକ୍ଷଣ ଅନୁଯାୟୀ, ବାତ୍ୟା ‘ଅକୱାନ୍’ ଭୀଷଣ ବାତ୍ୟାର ରୂପ ନେଇଛି । ଏହାର ଗତିପଥରେ ମଧ୍ୟ ପରିବର୍ତ୍ତନ ହେଉଛି । ଭାରତୀୟ ପାଣିପାଗ ବିଭାଗ (IMD) ଜାରି କରିଥିବା ନୂଆ ଟ୍ରାକ୍ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପରେ ବାତ୍ୟାଟି ଦକ୍ଷିଣ ଓଡ଼ିଶା ଦେଇ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ବିଶେଷକରି ମାଲକାନଗିରି ଦେଇ ବାତ୍ୟା ଅତିକ୍ରମ କରିବା ନେଇ ନୂଆ ଟ୍ରାକ୍ରୁ ସଙ୍କେତ ମିଳୁଛି । ପୂର୍ବରୁ ଜାରି ଟ୍ରାକ୍ ଅନୁଯାୟୀ, ଓଡ଼ିଶା ଦେଇ ଯିବା ବେଳକୁ ବାତ୍ୟାଟି ଦୁର୍ବଳ ହୋଇ ଅବପାତରେ ପରିଣତ ହେବାର ଆକଳନ କରାଯାଇଥିଲା । କିନ୍ତୁ ନୂଆ ଟ୍ରାକ୍ ଅନୁସାରେ, ଏହା ଅବପାତ ନୁହେଁ, ବରଂ ବାତ୍ୟା ରୂପରେ ଓଡ଼ିଶା ଅତିକ୍ରମ କରିବାର ଆଶଙ୍କା ରହିଛି । ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ବାତ୍ୟାର ପ୍ରଭାବ ପରିଧି ମଧ୍ୟରେ ରହିପାରେ । IMDର ଆକଳନ ଅନୁଯାୟୀ, ବାତ୍ୟା ‘ଅକୱାନ’ ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ନେଲୋର ଓ ବିଶାଖାପାଟଣା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ୟାନାମ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସେତେବେଳେ ଏହା ଏକ ଭୀଷଣ ବାତ୍ୟାର ରୂପ ନେଇଥିବ ଏବଂ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ । ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଅନ୍ୟପଟେ ବାତ୍ୟାର ଗତି ବେଶ୍ ମନ୍ଥର ରହିଛି । ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ମାତ୍ର ୩ କିଲୋମିଟର ବେଗରେ ଏହା ଆଗକୁ ବଢ଼ୁଛି । ଆଜି ଭୋର ୨ଟା ୩୦ ସୁଦ୍ଧା ଏହା ସମାନ ଅଞ୍ଚଳରେ କେନ୍ଦ୍ରୀଭୂତ ରହିଥିଲା । ସେତେବେଳେ ବାତ୍ୟାଟି ବିଶାଖାପାଟଣାଠାରୁ ପ୍ରାୟ ୬୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ୭୩୦ କିଲୋମିଟର ଦୂରରେ ଥିଲା । ଆଜି ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସହ ନଭେମ୍ବର ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବାର ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ନଭେମ୍ବର ୧୯ରୁ ୨୨ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ IMD ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଜିଲ୍ଲାୱାରୀ ଅରେଞ୍ଜ ୱାର୍ଣ୍ଣିଂ: ➡️ନଭେମ୍ବର ୧୯-୨୦: କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, ଗଞ୍ଜାମ ଓ ପୁରୀ । ➡️ନଭେମ୍ବର ୨୦-୨୧: ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ । ➡️ନଭେମ୍ବର ୨୧-୨୨: ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ସମେତ ନୂଆପଡ଼ା, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ପାଇଁ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ବାତ୍ୟାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନର ସତର୍କତା ବଢ଼ାଇ ଦିଆଯାଇଛି । ପାଣିପାଗ ବିଭାଗର ପରବର୍ତ୍ତୀ ଅପଡେଟ୍ ଉପରେ ନଜର ରଖିବା ସହ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । Post navigation Government Focuses on Women’s Empowerment: ଡବଲ୍ ଇଞ୍ଜିନ୍ ସରକାରରେ ମହିଳାମାନଙ୍କ ପ୍ରଗତି ଦୁଇଗୁଣ