ସମ୍ଭାବ୍ୟ ବାତ୍ୟାର ମୁକାବିଲା ଓ ଜନସାଧାରଣଙ୍କ ସୁରକ୍ଷାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପାଣିପାଗ ପରିସ୍ଥିତି, ସମ୍ଭାବ୍ୟ ସ୍ଥାନାନ୍ତରଣ, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ସ୍ଥାନାନ୍ତରଣ ଓ ଜରୁରୀକାଳୀନ ବ୍ୟବସ୍ଥା ପାଇଁ ୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୫ କୋଟି, ଗଜପତି ପାଇଁ ୧ କୋଟି ଏବଂ ମାଲକାନଗିରି ଜିଲ୍ଲା ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସମ୍ଭାବ୍ୟ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ ତାଲିକା ତୁରନ୍ତ ରାଜ୍ୟ ଜରୁରୀକାଳୀନ ଅପରେସନ୍ କେନ୍ଦ୍ର (SEOC)କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବିପଦପୂର୍ଣ୍ଣ ରେଳ ଟ୍ରାକ୍, ପୋଲ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକର ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି । ଆବଶ୍ୟକ ପଡ଼ିଲେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କିମ୍ବା ବାତିଲ୍ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ବିଶେଷକରି ଭୂସ୍ଖଳନ ଆଶଙ୍କା ଥିବା ଗାଁ ଓ ଅଞ୍ଚଳଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାର ପ୍ରଭାବକୁ ମୁକାବିଲା କରିବା ସହ ଜନଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ସହ ସମନ୍ୱୟ ଓ ପ୍ରସ୍ତୁତି: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ କୋଷ୍ଟଗାର୍ଡ଼ ଏୟାର ଏନକ୍ଲେଭ୍, ପାରାଦୀପ ମୁଖ୍ୟାଳୟ (DHQ-7) ଏବଂ ଗୋପାଳପୁର ଷ୍ଟେସନକୁ ସର୍ବୋଚ୍ଚ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି । ଉଦ୍ଧାରକାରୀ ବିମାନ, ଜାହାଜ, ଡଙ୍ଗା ଓ ଯୋଗାଯୋଗ ବ୍ୟବସ୍ଥା ପ୍ରସ୍ତୁତ ରଖିବା ସହ ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ସତର୍କ କରାଇବା, ଉପକୂଳବର୍ତ୍ତୀ ଜିଲ୍ଲା ପ୍ରଶାସନ ଓ ମେରାଇନ୍ ପୋଲିସ୍ ସହ ସମନ୍ୱୟ ରଖିବା ଏବଂ ୨୪ ଘଣ୍ଟିଆ ନୋଡାଲ ଅଧିକାରୀଙ୍କ ଯୋଗାଯୋଗ ତଥ୍ୟ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ର (SEOC)କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାୱାରୀ ସ୍ଥାନାନ୍ତରଣ ଯୋଜନା (Evacuation Plan) ଦାଖଲ: ଶୂନ୍ୟ ମୃତାହତ (Zero Casualty) ସୁନିଶ୍ଚିତ କରିବା ପାଇଁ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ତୁରନ୍ତ ବ୍ଲକ୍ ଓ ପୌରାଞ୍ଚଳ (ULB) ଭିତ୍ତିକ ସମ୍ଭାବ୍ୟ ସ୍ଥାନାନ୍ତରଣ ଯୋଜନା SEOC ନିକଟକୁ ପଠାଇବାକୁ କୁହାଯାଇଛି । ଏଥିରେ ବିପଦପୂର୍ଣ୍ଣ ଗ୍ରାମ/ୱାର୍ଡ ଚିହ୍ନଟ, ଶିଶୁ, ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଦିବ୍ୟାଙ୍ଗମାନଙ୍କ ତାଲିକା, ବାତ୍ୟା ଆଶ୍ରୟସ୍ଥଳୀର କ୍ଷମତା, ବିକଳ୍ପ ପରିବହନ ମାର୍ଗ, ଖାଦ୍ୟ, ପାନୀୟ ଜଳ, ପରିମଳ, ଆଲୋକ ଓ ଆଶ୍ରୟସ୍ଥଳୀ ସ୍ତରୀୟ ନୋଡାଲ ଅଧିକାରୀଙ୍କ ବିବରଣୀ ଅନ୍ତର୍ଭୁକ୍ତ ରହିବ । ରେଳ ଯାତ୍ରୀଙ୍କ ସୁରକ୍ଷା ଏବଂ ଜରୁରୀକାଳୀନ ସାମଗ୍ରୀ ପରିବହନ ପାଇଁ ରାଜ୍ୟ ରେଳ ସମନ୍ୱୟ କୋଷ (Rail Coordination Cell) କୁ ପୂର୍ବତଟ ରେଳବାଇ (East Coast Railway) ସହ ନିରନ୍ତର ଯୋଗାଯୋଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପଦପୂର୍ଣ୍ଣ ରେଳଧାରା, ପୋଲ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳର ଯାଞ୍ଚ, ଆବଶ୍ୟକ ସ୍ଥଳେ ଟ୍ରେନ୍ ଚଳାଚଳ ନିୟନ୍ତ୍ରଣ କିମ୍ବା ବାତିଲ୍, ଷ୍ଟେସନଗୁଡ଼ିକରେ ଅଟକି ରହିଥିବା ଯାତ୍ରୀଙ୍କ ପାଇଁ ପାନୀୟ ଜଳ, ଚିକିତ୍ସା ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ ନୋଡାଲ ଅଧିକାରୀ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି । Post navigation BJP Accuses BJD of Misinformation on Welfare Schemes: କେବଳ ମିଛ ନ୍ୟାରେଟିଭ କରି ସରକାରଙ୍କୁ ବଦନାମ କରୁଛି ବିଜେଡି: ସନ୍ତୋଷ ଖଟୁଆ