ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଓ ଶିକ୍ଷାଗତ ଅଗ୍ରଗତି ଦିଗରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶାରେ ନୂତନ ଭାବେ ୨୪ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଛି। ପୂର୍ବରୁ ରାଜ୍ୟରେ ୪୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବା ବେଳେ ଏହି ନୂଆ ସଂଯୋଜନା ଫଳରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା EMRS ସଂଖ୍ୟା ୭୧ରେ ପହଞ୍ଚିଛି। ସମଗ୍ର ଦେଶରେ ଓଡ଼ିଶାକୁ ସର୍ବାଧିକ ୧୧୧ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ମଞ୍ଜୁର ହୋଇଛି । ଏଥିମଧ୍ୟରୁ ପୂର୍ବରୁ ୪୭ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ନୂତନ ୨୪ଟି ବିଦ୍ୟାଳୟର କାର୍ଯ୍ୟକ୍ଷମ ହେବା ଦ୍ୱାରା ଏହି ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଜନଜାତି ବହୁଳ ତଥା ଦୁର୍ଗମ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି । ଜାତୀୟସ୍ତରରେ ବର୍ତ୍ତମାନ ୨୫ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୩୩ଟି ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଓଡ଼ିଶାରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୨୪ଟି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧,୪୪୦ ଜଣ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ । ଏହାଦ୍ୱାରା ସେମାନେ ଗୁଣାତ୍ମକ ଆବାସିକ ଶିକ୍ଷା, ଆଧୁନିକ ଶିକ୍ଷଣ ସୁବିଧା ଓ ସାମଗ୍ରିକ ବିକାଶର ସୁଯୋଗ ପାଇପାରିବେ । ନୂତନ ଭାବେ କାର୍ଯ୍ୟକ୍ଷମ ୨୪ଟି ବିଦ୍ୟାଳୟ ୭ଟି ଜିଲ୍ଲାରେ ଅବସ୍ଥିତ । ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୮ଟି ବିଦ୍ୟାଳୟ ରାରୁଆଁ, ଯଶୀପୁର, ସୁକୃଳି, ଗୋପବନ୍ଧୁନଗର, ସାରସକଣା, ବିଶୋଇ, ବାଦାମପାହାଡ଼ ଓ ବିଜାତଳାଠାରେ କାର୍ଯ୍ୟକ୍ଷମ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ସାହାରପଡ଼ା, ହରିଚନ୍ଦନପୁର, ବାଂଶପାଳ, ଘଟଗାଁ ଓ ତେଲକୋଇଠାରେ ୫ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ଉମରକୋଟ, ଡାବୁଗାଁ ଓ ରାଇଘରଠାରେ ୪ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି, ସୁବଦେଗା ଓ ବିଶ୍ରାଠାରେ ୩ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଏଥିସହିତ ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ଓ ପଦ୍ମପୁରଠାରେ ୨ଟି ବିଦ୍ୟାଳୟ ଏବଂ କୋରାପୁଟ ଜିଲ୍ଲାର ପାଡୁଆ ଓ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧଠାରେ ଗୋଟିଏ ଲେଖାଏଁ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଗମ ଓ ଅନୁନ୍ନତ ଅଞ୍ଚଳର ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ଏହି ବିଦ୍ୟାଳୟଗୁଡ଼ିକରେ କେବଳ ଶୈକ୍ଷିକ ଉତ୍କର୍ଷତା ନୁହେଁ, ବରଂ କ୍ରୀଡ଼ା, ସାଂସ୍କୃତିକ କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ଓ ଅନ୍ୟାନ୍ୟ ପାଠ୍ୟକ୍ରମ ସହାୟକ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି । ରୋଜାଲିନ୍ ସାହୁ ଲୋକସମ୍ପର୍କ ଅଧିକାରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ Post navigation धोनी अब नहीं खेलेंगे आईपीएल, CSK मेंटर की भूमिका में आएंगे नजर