ବାଲେଶ୍ୱର ଜିଲ୍ଲାର ଭୋଗରାଇ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ପ୍ରଥମେ ଭୋଗରାଇର ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମନ୍ଦିର ନିକଟରୁ ଥାନା ଛକ ହେଲିପ୍ୟାଡ୍ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ । ଭୋଗରାଇଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ ରାଜ୍ୟର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ନିର୍ବାଚନ ସମୟରେ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ଓଡ଼ିଶାବାସୀ, ବିଶେଷକରି ଭୋଗରାଇ ଓ ବାଲେଶ୍ୱରବାସୀଙ୍କୁ ବିକାଶ ଓ ଜନକଲ୍ୟାଣର ଯେଉଁ ପ୍ରତିଶ୍ରୁତି ବିଜେପି ଦେଇଥିଲା, ତାର ବାସ୍ତବ ରୂପ କେଉଁଠି ବି ଦେଖିବାକୁ ମିଳୁନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ୨୪ ବର୍ଷର ଶାସନ କାଳରେ ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ପାଣିପାଗ ବିଭାଗର ଆଗୁଆ ସତର୍କ ସୂଚନା ସତ୍ତ୍ୱେ ସରକାରଙ୍କ ପ୍ରସ୍ତୁତି ଅଭାବରୁ ଗଞ୍ଜାମରେ ଜଳପ୍ରଳୟ ହେଲା । ବିଜେଡି ସରକାର ସମୟରେ ଫାଇଲିନ୍, ହୁଡ୍ହୁଡ୍, ତିତ୍ଲି ଓ ୟାସ୍ ଭଳି ବଡ଼ ବଡ଼ ବାତ୍ୟାର ସଫଳ ମୁକାବିଲା କରାଯାଇ ବହୁ ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇଥିଲା । ମିଶନ ଶକ୍ତି ଯୋଜନା ଓଡ଼ିଶାର ପ୍ରାୟ ୭୦ ଲକ୍ଷ ମହିଳାଙ୍କ ଜୀବନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା । ଏହା ମାଧ୍ୟମରେ ମହିଳାମାନେ ସ୍ୱାବଲମ୍ବୀ ହେବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମିଶନ ଶକ୍ତିର ଭବିଷ୍ୟତକୁ ନେଇ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି । କୋଭିଡ ମହାମାରୀ ସମୟରେ ଏବଂ ଅନ୍ୟାନ୍ୟ କଠିନ ପରିସ୍ଥିତିରେ ମିଶନ ଶକ୍ତିର ମହିଳାମାନେ ନିଷ୍ଠା ଓ ସମର୍ପଣ ଭାବନାର ସହ କାର୍ଯ୍ୟ କରିଛନ୍ତି । ବାଲେଶ୍ୱର ଜିଲ୍ଲାରେ ପ୍ରାୟ ୨୩ ହଜାର ମହିଳା ମିଶନ ଶକ୍ତି ସହ ଜଡ଼ିତ ଅଛନ୍ତି । ବିଜେଡି ସରକାର ସମୟରେ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦିଆଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଗରିବ ଓ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଚିକିତ୍ସା କ୍ଷେତ୍ରରେ ଆର୍ଥିକ ସୁରକ୍ଷା ପ୍ରଦାନ କରିଥିଲା । ବିଜେପି ସରକାରରେ ଲୋକମାନେ ଚିକିତ୍ସା ସୁବିଧା ପାଇବାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ ନାଗରିକମାନେ ଭତ୍ତା ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରି ରହୁଛନ୍ତି । ଭତ୍ତା ଉପରେ ନିର୍ଭରଶୀଳ କେତେକ ବୃଦ୍ଧବୃଦ୍ଧା ଭତ୍ତା ମିଳିବାରେ ବିଳମ୍ବ ହେବାରୁ ନାନାଦି ସମସ୍ୟାର ସମ୍ମୁଖୀନ ହୋଇ ଆତ୍ମହତ୍ୟାର ଚରମ ନିଷ୍ପତ୍ତି ନେଉଛନ୍ତି । ଏମଏମଡିଆର ସଂଶୋଧନ ବିଲ୍ ଯୋଗୁଁ ଓଡ଼ିଶା କ୍ଷତିଗ୍ରସ୍ତ ହେବା ଜାଣିବା ସତ୍ତ୍ୱେ ଓଡ଼ିଶାର ବିଜେପି ସାଂସଦମାନେ ଏହାକୁ କ’ଣ ପାଇଁ ସମର୍ଥନ କଲେ ? ସରକାର ତୁରନ୍ତ ମହାନଦୀ ଜଳ ବିବାଦ, କୋଟିଆ ସମସ୍ୟା ଓ ଅନ୍ୟ ସୀମା ବିବାଦ ମାମଲାର ସମାଧାନ କରନ୍ତୁ । ସୁଜାତା ରାଉତ କାର୍ତ୍ତିକେୟନ ଆହୁରି କହିଥିଲେ ଯେ, ଜଳେଶ୍ୱରରେ ଜଣେ ନାବାଳିକାଙ୍କ ସହ ଘଟିଥିବା ଦୁଃଖଦ ଘଟଣା ମୋତେ ମର୍ମାହତ କରିଛି । ଏହି ଘଟଣାରେ ସରକାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ସ୍ୱଚ୍ଛ ଓ ନିରପେକ୍ଷ ନିଯୁକ୍ତି ବ୍ୟବସ୍ଥା କରନ୍ତୁ ସରକାର । ଧାନ କିଣା, ବିପର୍ଯ୍ୟୟ ପରିଚାଳନା ଓ କୋଟିଆ ବିବାଦ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହିଛି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଥିବା ସତ୍ତ୍ୱେ ଓଡ଼ିଶାବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଅନ୍ତୁ ସରକାର । ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ନିରନ୍ତର ଲଢ଼େଇ ଜାରି ରଖିବ । ଏହି ସାଧାରଣ ସଭାରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ବିଜେଡି ନେତା ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ସଭାରେ ଅଶ୍ୱିନୀ ପାତ୍ର, ରଘୁନାଥ ମହାନ୍ତି, ଗୌତମବୁଦ୍ଧ ଦାସ, ମାଧବ ଧଡ଼ା, ଲେଖାଶ୍ରୀ ସାମନ୍ତସିଂହାର, ସୁକାନ୍ତ କୁମାର ନାୟକ, ସ୍ୱରୂପ ଦାସ, ଜୀବନ ପ୍ରଦୀପ ଦାଶ, ସୁଧାଂଶୁ ଶେଖର ପରିଡ଼ା, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଦ୍ୟାସ୍ମିତା ମହାଲିକ, ମହାଦେବ ଦାସ, ପ୍ରବୀର ଗିରି, ନାରାୟଣ ପ୍ରଧାନ ଓ ମିନାରାଣୀ ସାସମଲଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ମଞ୍ଚାସୀନ ଅତିଥି ଭାବେ ଗିରିଶ ଦାଶ, ଶୁଭଲକ୍ଷ୍ମୀ ମାଝୀ, ସୁବେନ୍ଦୁ ମଙ୍ଗରାଜ, ତାପସ ପାଣିଗ୍ରାହୀ, ହରେକୃଷ୍ଣ ପ୍ରଧାନ, ଗଣପତି ଗିରି, ନିବେଦିତା ମହାନ୍ତି, କବିତା ମହାନ୍ତି, ଗିରିଶ ଦତ୍ତ, ଦମୟନ୍ତୀ ସାହୁ ଓ ପ୍ରତିମା ଚାନ୍ଦ ଉପସ୍ଥିତ ଥିଲେ । ଶେଷରେ ପ୍ରଦୀପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । Post navigation Odisha Rail Neglect: ମାଲ ପରିବହନ ମୋହରେ ଯାତ୍ରୀବାହୀ ଟ୍ରେନ୍କୁ ଅଣଦେଖା: ଓଡ଼ିଶାରେ ରେଳ ବିଳମ୍ବକୁ ନେଇ ବର୍ଷିଲା କଂଗ୍ରେସ