ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଗୃହ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ବଲାଙ୍ଗିରସ୍ଥିତ ପଥରଚେପା ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
 
ପୂର୍ବରୁ ପିଏମ୍ ଆବାସ ଯୋଜନାରେ ୪ ଲକ୍ଷ ଏବଂ ଅନ୍ତ୍ୟୋଦୟ ଯୋଜନାରେ ୫ ଲକ୍ଷ ଘର ବଣ୍ଟନ କରାଯାଇସାରିଛି । ଆଜି ଅତିରିକ୍ତ ୨ ଲକ୍ଷ ୯୧ ହଜାର ୬୦୦ଟି ଘର ଆନୁଷ୍ଠାନିକ ଭାବେ ଆବଣ୍ଟନ କରାଯାଇଛି ।
 
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ସମେତ ମନ୍ତ୍ରୀ ରବି ନାଏକ ଓ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ରାଜ୍ୟର ଗରିବ ଓ ଗୃହହୀନ ପରିବାରଙ୍କୁ ପକ୍କା ଘର ଯୋଗାଇଦେବା ଦିଗରେ ଏହି କାର୍ଯ୍ୟକ୍ରମକୁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି ।
 
କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ । ଓଡ଼ିଶାରେ ଲକ୍ଷପତି ଦିଦି ସୃଷ୍ଟି କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଫଳ ହୋଇଥିବା ସେ କହିଥିଲେ । ଓଡ଼ିଶାରେ ୨୯ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।
 
ସେହିପରି ପିଏମ୍ ସୂର୍ଯ୍ୟଘର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ସେ କହିଥିଲେ । ବଲାଙ୍ଗିର ଆସିବା ବାଟରେ ଏହାର ସଫଳତାକୁ ନିଜେ ଦେଖିଥିବା ମଧ୍ୟ ସେ କହିଥିଲେ ।
 
ଆଗାମୀ ଦିନରେ VB-G RAM ଯୋଜନା ମାଧ୍ୟମରେ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବାକୁ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏହାସହ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ ଉଠାଇ ଏହି ଯୋଜନାର ପ୍ରଭାବ ନିର୍ବାଚନରେ ମଧ୍ୟ ରହିବ ବୋଲି ସେ କହିଥିଲେ ।
 
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣରେ ପକ୍କା ଘରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଜଣେ ବ୍ୟକ୍ତି ନିଜ ଜୀବନକାଳରେ ଗୋଟିଏ ପକ୍କା ଘରର ସ୍ୱପ୍ନ ଦେଖିଥାଏ । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଗରିବ ଲୋକଟିଏ ନିଜର ଏହି ସ୍ୱପ୍ନକୁ ପୂରଣ କରିବାରେ ସମର୍ଥ ହୋଇପାରେ ନାହିଁ ବୋଲି ସେ କହିଥିଲେ ।
 
ଏହାବ୍ୟତୀତ ବଲାଙ୍ଗିରରେ କେନ୍ଦ୍ର କୃଷିମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ମଧ୍ୟ ଲୋକାର୍ପଣ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *