ରାଜ୍ୟର ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାବିତ ପରିବାରଗୁଡ଼ିକ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ (SRC) ପକ୍ଷରୁ ଏକ ବଡ଼ ରିଲିଫ୍ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୂର୍ବରୁ ଘୋଷିତ ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ ବୋଲି ଏସ.ଆର୍.ସି. କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟାପକ ସହାୟତା ପ୍ୟାକେଜ୍ ଅଧୀନରେ ତିନୋଟି ଜିଲ୍ଲାର ସମସ୍ତ ବ୍ଲକର ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ସିଧାସଳଖ ୨,୫୦୦ ଟଙ୍କା ଲେଖାଏଁ ନଗଦ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ। ବଣ୍ଟନ ପ୍ରକ୍ରିୟାକୁ ସ୍ୱଚ୍ଛ, ଦ୍ରୁତ ଏବଂ ସୁଗମ କରିବା ପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନଗୁଡ଼ିକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗଞ୍ଜାମ, ଗଜପତି ଏବଂ କନ୍ଧମାଳର ଜିଲ୍ଲାପାଳମାନଙ୍କୁ ସମୟୋଚିତ ଭାବେ ସହାୟତା ବଣ୍ଟନ ନିମନ୍ତେ ତୁରନ୍ତ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଉଳ ମହଜୁଦ ଏବଂ ଏହାର ଶୀଘ୍ର ବିତରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସହିତ ମିଳିତ ଭାବେ କାର୍ଯ୍ୟ କରାଯାଉଛି। ସେହିପରି ପ୍ରତି ପରିବାରକୁ ମିଳିବାକୁ ଥିବା ୨,୫୦୦ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଯେଉଁ ଦୁର୍ଗମ ବା ବାତ୍ୟାକ୍ଷତିଗ୍ରସ୍ତ ଅଞ୍ଚଳରେ ବ୍ୟାଙ୍କିଂ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି, ସେଠାରେ କଡ଼ା ରେକର୍ଡ଼ ରଖି ବିକଳ୍ପ ପଦ୍ଧତିରେ ଅର୍ଥ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ବଣ୍ଟନ କାର୍ଯ୍ୟ ଶେଷ ନ ହେବା ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୫:୦୦ଟା ସୁଦ୍ଧା ଚାଉଳ ଓ ଅର୍ଥ ବିତରଣର ବ୍ଲକ-ୱାରୀ ପ୍ରଗତି ରିପୋର୍ଟ ରାଜ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟରରେ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ହୋଇଥିବା ପ୍ୟାକେଜ୍ ଅନୁଯାୟୀ ଏହି ରିଲିଫ୍ ସହାୟତାକୁ ଯଥାଶୀଘ୍ର ଏବଂ ସ୍ୱଚ୍ଛ ଭାବରେ ବଣ୍ଟନ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। Post navigation जम्मू-कश्मीर के कुलगाम में CRPF जवानों पर आतंकी हमला, 3 जवान घायल