ଗଞ୍ଜାମ ବନ୍ୟା ପାଇଁ ଉଭୟ ବିଜେପି ଓ ପୂର୍ବତନ ବିଜେଡି ସରକାର ଦାୟୀ । ଠିକ୍ ସମୟରେ ଡ୍ୟାମ୍‌ର ଗେଟ୍ ନ ଖୋଲି ଜଳ ପରିଚାଳନାରେ ତ୍ରୁଟି କରିଥିବାରୁ ବର୍ତ୍ତମାନର ବିଜେପି ସରକାର ଏହି ବନ୍ୟା ପାଇଁ ଦାୟୀ । ସେହିପରି ୨୪ ବର୍ଷ ଶାସନ କାଳରେ ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇ ନ ଥିବାରୁ ପୂର୍ବତନ ବିଜେଡି ସରକାର ମଧ୍ୟ ସମାନ ଭାବେ ଦାୟୀ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।

ଗଞ୍ଜାମ ଓ ଗଜପତି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ତିନି ଦିନ ଧରି ଗସ୍ତ କରି ହଜାର ହଜାର କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବା ପରେ ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ ଏହି ଅଭିଯୋଗ କରିଥିଲେ । ପ୍ରତିଥର ବନ୍ୟା ପରେ ଉଦ୍ଧାର, ରିଲିଫ୍, ଥଇଥାନ ଓ ମରାମତି ପାଇଁ ଅର୍ଥ ଖର୍ଚ୍ଚ କରିବା ବଦଳରେ ଏକକାଳୀନ ବଡ଼ ଆର୍ଥିକ ବ୍ୟୟବରାଦ କରି ଏକ ସ୍ଥାୟୀ ମାଷ୍ଟରପ୍ଲାନ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଥିଲେ ।

ଶ୍ରୀ ଦାସ କହିଥିଲେ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ବାରମ୍ବାର ସତର୍କ ସୂଚନା ଦେଇଥିଲେ ମଧ୍ୟ ଅକ୍ଟୋବର ୨୩ରୁ ୨୮ ତାରିଖ ମଧ୍ୟରେ ଛଅଟି ଯାକ ଡ୍ୟାମ୍‌ର ଜଳସ୍ତର ହ୍ରାସ କରାଯାଇ ନ ଥିଲା । ଡ୍ୟାମ୍‌ରୁ ଜଳ ନିଷ୍କାସନ ନେଇ ଠିକ୍ ସମୟରେ ନିଷ୍ପତ୍ତି ନିଆଯାଇ ନ ଥିବାରୁ ପରବର୍ତ୍ତୀ ସମୟରେ ବନ୍ୟା ସ୍ଥିତି ଭୟଙ୍କର ହୋଇଥିଲା । ଅକ୍ଟୋବର ୨୮ ତାରିଖ ପର୍ଯ୍ୟନ୍ତ ଦୈନିକ ମାତ୍ର ୭ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ୨୯ ଓ ୩୦ ତାରିଖରେ ହଠାତ୍ ଏହାକୁ ୧ ଲକ୍ଷ ୪୦ ହଜାର କ୍ୟୁସେକ୍‌କୁ ବୃଦ୍ଧି କରାଗଲା । ଏପରି ନିଷ୍ପତ୍ତି କିଏ ନେଇଥିଲେ ଏବଂ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଏଯାଏ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।

ଗଞ୍ଜାମର ଜୀବନରେଖା ଋଷିକୁଲ୍ୟା ନଦୀ ବାରମ୍ବାର ବନ୍ୟାର କାରଣ ପାଲଟୁଥିବା ସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବ ସରକାର କାହିଁକି ପଦକ୍ଷେପ ନେଇ ନ ଥିଲେ ବୋଲି ସେ ପ୍ରଶ୍ନ କରିଥିଲେ । ୧୯୯୦ ମସିହାର ବନ୍ୟା ଗଞ୍ଜାମ ଜିଲ୍ଲା ଇତିହାସର ସବୁଠାରୁ ଭୟଙ୍କର ବନ୍ୟା ଭାବେ ପରିଚିତ । ଏହାଦ୍ୱାରା ଆସିକା, ପୁରୁଷୋତ୍ତମପୁର ଓ ହିଞ୍ଜିଳିକାଟୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ୧୯୯୯ ମହାବାତ୍ୟା ପରେ ମଧ୍ୟ ଗଞ୍ଜାମର ବିଭିନ୍ନ ନଦୀରେ ବନ୍ୟା ଆସିଥିଲା । ୨୦୧୩ରେ ବାତ୍ୟା ଫାଇଲିନ୍ ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀରେ ବନ୍ୟା ଆସିଥିଲା । ଏଥିରେ ଆସିକା ସହର ସମେତ ଜିଲ୍ଲାର କୃଷି, ବିଦ୍ୟୁତ୍ ଓ ଗମନାଗମନ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଥିଲା । ୨୦୧୮ରେ ବାତ୍ୟା ତିତଲି ଯୋଗୁଁ ଗଞ୍ଜାମ ଓ ଗଜପତିରେ ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଘଟିଥିଲା ।

ଚଳିତ ୨୦୨୬ ଅକ୍ଟୋବରରେ ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମରେ ମାତ୍ର ୨୪ ଘଣ୍ଟାରେ ପ୍ରାୟ ୫୪୬ ମିଲିମିଟର ବର୍ଷା ହୋଇଥିଲା । ଏହା ଜିଲ୍ଲାର ପୂର୍ବ ବର୍ଷା ରେକର୍ଡକୁ ଅତିକ୍ରମ କରିଥିଲା । ଋଷିକୁଲ୍ୟା ନଦୀର ଜାନିବିଲିଠାରେ ଜଳସ୍ତର ୧୯୯୦ ଓ ୨୦୧୩ର ସର୍ବୋଚ୍ଚ ସ୍ତରକୁ ଟପିଯାଇଥିଲା । ଜିଲ୍ଲାର ୮୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ପରିବାର ପ୍ରଭାବିତ ହୋଇଥିଲେ । ଏତେ ବର୍ଷ ଧରି ବନ୍ୟା ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ଦିଗରେ କୌଣସି ସରକାର ଯଥେଷ୍ଟ ପଦକ୍ଷେପ ନେଇନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ବନ୍ୟା ପରିଚାଳନାରେ ବିଫଳତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ ଦାସ ପ୍ରଶ୍ନ କରିଥିଲେ । ଜଳସମ୍ପଦ ବିଭାଗର ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଥିବାରୁ ଏହି ବନ୍ୟା ପାଇଁ ସେ ଉତ୍ତରଦାୟିତ୍ୱ ଗ୍ରହଣ କରିବେ କି ବୋଲି ସେ ପଚାରିଥିଲେ । ବାତ୍ୟା ନ ସରୁଣୁ ସରକାର ‘ଜିରୋ କାଜୁଆଲିଟି’ ଲକ୍ଷ୍ୟ ହାସଲ କରିଥିବା ଦାବି କରିଥିଲେ । କିନ୍ତୁ ବନ୍ୟାରେ ଦୁଇ ଜଣ ଭାସିଯିବା, ଦୁଇ ଜଣ ଚାଷୀଙ୍କ ଆତ୍ମହତ୍ୟା ଏବଂ କନ୍ଧମାଳର ଗିଡ଼ିପାବାଲିରେ ଭୂସ୍ଖଳନ ଯୋଗୁଁ ୧୨ ଜଣଙ୍କ ଜୀବନ ଯିବାକୁ କିପରି ଶୂନ୍ୟ ମୃତ୍ୟୁ ବୋଲି କୁହାଯାଇପାରିବ ବୋଲି ସେ ପ୍ରଶ୍ନ କରିଥିଲେ ।

ବନ୍ୟା ପରିଚାଳନାରେ ଅବହେଳା ପାଇଁ ଦଶ ଦିନ ବିତିଯାଇଥିଲେ ମଧ୍ୟ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାକୁ ସେ ସମାଲୋଚନା କରିଥିଲେ । ଡ୍ୟାମ୍‌ଗୁଡ଼ିକ କେବଳ ପାନୀୟ ଜଳ ଓ ଜଳସେଚନ ପାଇଁ ନୁହେଁ, ବନ୍ୟା ନିୟନ୍ତ୍ରଣ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ତେଣୁ ଜଳ ପରିଚାଳନାରେ ଅଭିଜ୍ଞ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସହ ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ ବୋଲି ସେ ଦାବି କରିଥିଲେ । ନଦୀବନ୍ଧ, ଆନିକଟ ଓ କେନାଲଗୁଡ଼ିକର ରବି ଋତୁ ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବାକୁ ମଧ୍ୟ ସେ କହିଥିଲେ । ପୂର୍ବତନ ଜଳସମ୍ପଦ ସଚିବ ସୁରେଶ ମହାପାତ୍ରଙ୍କ ମତକୁ ସରକାର ଗ୍ରହଣ କରି ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ, ନଚେତ୍ ତାଙ୍କ ମତ ଭୁଲ୍ ବୋଲି ପ୍ରମାଣ କରନ୍ତୁ ବୋଲି ମଧ୍ୟ ସେ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଶ୍ରୀ ଦାସ ବନ୍ୟା କ୍ଷୟକ୍ଷତିର ଭରଣା ପାଇଁ ସରକାରଙ୍କ ନିକଟରେ ସାତଟି ଦାବି ରଖିଥିଲେ। ସେଗୁଡ଼ିକ ହେଲା:

ଗଞ୍ଜାମ ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଭାବେ ଗ୍ରହଣ କରିବା ସହ ରାଜ୍ୟ ସରକାର ଅଢ଼େଇ ହଜାର କୋଟି ଟଙ୍କା ବଦଳରେ ୫ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଦାବି କରନ୍ତୁ ।

ବନ୍ୟାରେ ବାଲିଚର ହୋଇଥିବା ଚାଷଜମିର ପୁନରୁଦ୍ଧାର ସହ ଭାଙ୍ଗିଯାଇଥିବା ପୁରୁଣା ଆନିକଟ, ନଦୀବନ୍ଧ ଓ କେନାଲଗୁଡ଼ିକର ରବି ଋତୁ ପୂର୍ବରୁ ମରାମତି କରାଯାଉ ।

ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ତୁରନ୍ତ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବଡ଼ ଆର୍ଥିକ ବ୍ୟୟବରାଦ ସହ କାର୍ଯ୍ୟକାରୀ କରାଯାଉ ।

ପୁରୁଣା ରିଲିଫ୍ କୋଡ୍ ଆଧାରରେ କ୍ଷତିପୂରଣ ନ ଦେଇ, ଫସଲ ଉତ୍ପାଦନ ଲକ୍ଷ୍ୟ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଆଧାରରେ ଫସଲ କ୍ଷତିର ହିସାବ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।

କନ୍ଧମାଳ ଜିଲ୍ଲାର ଗିଡ଼ିପାବାଲି ଭୂସ୍ଖଳନରେ ମୃତକଙ୍କ ପରିବାର ଏବଂ ଗଞ୍ଜାମର ଦୁଇ ମୃତ ଚାଷୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯାଉ ।

ଏହି ବନ୍ୟା ପାଇଁ ଦାୟୀ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ବନ୍ୟା ଯୋଗୁଁ ଋଣଯନ୍ତାରେ ପଡ଼ିଥିବା କ୍ଷତିଗ୍ରସ୍ତ ଚାଷୀଙ୍କ ସମସ୍ତ ଋଣ ଛାଡ଼ କରାଯାଉ ।

ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଥଇଥାନ କାର୍ଯ୍ୟ ଦଳୀୟ ଭିତ୍ତିରେ ନ କରି ପ୍ରକୃତ କ୍ଷତିଗ୍ରସ୍ତ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବାକୁ ମଧ୍ୟ ଭକ୍ତ ଚରଣ ଦାସ ସରକାରଙ୍କୁ ଆହ୍ୱାନ ଦେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *