ରାଜ୍ୟରେ ବେକାରୀ ସମସ୍ୟା ଓ ଶିକ୍ଷା ବ୍ୟବସ୍ଥାର ଅବସ୍ଥାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର । ନିର୍ବାଚନ ପୂର୍ବରୁ ଯୁବକ ଓ ଛାତ୍ରମାନଙ୍କୁ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ବର୍ତ୍ତମାନ ତାହାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ରାଜ୍ୟରେ ପଞ୍ଜିକୃତ ୧୨ଲକ୍ଷ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇଁ ଚିତ୍କାର କରୁଥିବା ବେଳେ ଓଡ଼ିଶା ସରକାରଙ୍କାର ୯୨ ହଜାର ସରକାରୀ ପଦବୀ ଖାଲିପଡ଼ିଛି । ଓଡ଼ିଶାର ଲୋକ ଓଡ଼ିଶାରେ ପ୍ରତିଷ୍ଠିତ ଶିଳ୍ପ ଠାରୁ କୌଣସି ଉପକାର ପାଇପାରୁ ନାହାନ୍ତି । ଶିଳ୍ପ ପାଇଁ ଧୂଳି, ଧୂଆଁ, ଧୂଷର ଏବଂ ବିଷାକ୍ତ ପରିବେଷରେ ସ୍ଥାନୀୟ ଅଧିବାସୀମାନେ ରୋଗାଗ୍ରସ୍ତ ହୋଇପଡ଼ୁଥିବା ବେଳେ ସେମାନଙ୍କ ପାଇଁ ପ୍ରତିବଦଳରେ କୌଣସି ଆଖିଦୃଶିଆ ଉପକାର କରାଯାଉନାହିଁ । ଏପରିକି ସ୍ଥାନୀୟ ଅଧିବାସୀମାନେ ଆନୁପାତିକ ନିଯୁକ୍ତି ପାଇପାରୁ ନାହାନ୍ତି । କିନ୍ତୁ ସେମାନଙ୍କୁ ସେମାନଙ୍କର ୭ ପୁରୁଷରୁ ତଡ଼ି ଦିଆଯାଉଛି ।

ସେ ଆଉ ମଧ୍ୟ କହିଛନ୍ତି ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି । ପ୍ରତ୍ୟେକ ସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଅର୍ଧାଧିକ ଶିକ୍ଷକ ନାହାନ୍ତି । ସରକାରୀ ୨୦ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ନୈରାଶ୍ୟଜନକ । ଅନ୍ୟପକ୍ଷରେ କ୍ୟାମ୍ପସରେ ନିଶାର ବ୍ୟବହାର ହେଉଛି । ଅଣଛାତ୍ରମାନେ ପ୍ରବେଶ କରୁଛନ୍ତି । ର‌୍ୟାଗିଂ ବଢ଼ି ବଢ଼ି ଚାଲିଛି । ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ପାଠ ପଢ଼ିବାପାଇଁ ଯିବା ଆସିବା କରିବାରେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯିବା ଆସିବା ଖର୍ଚ୍ଚ ଯୋଗାଡ଼ କରିବା ସେମାନଙ୍କ ପକ୍ଷରେ ସମ୍ଭବପର ହୋଇପାରୁନି ।

ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମ୍ବିଧାନ ଯେଉଁ ସୁଯୋଗ ପ୍ରଦାନ କରିଛି ତାହାକୁ ରୂପାୟନ କରିବାପାଇଁ ବିଜେପି ସରକାର ପଛଘୁଞ୍ଚା ଦେଉଛନ୍ତି । ସାମାଜିକ ନ୍ୟାୟକୁ ଆଖି ଆଗରେ ରଖି ସେମାନଙ୍କୁ ନିଯୁକ୍ତି ଓ ପାଠପଢ଼ା ପାଇଁ ଯେଉଁ ସଂରକ୍ଷଣ ସୁବିଧା ଦିଆଯାଇଛି ବିଜେପି ସରକାର ଏହାକୁ ଠିକ ଭାବେ ଲାଗୁ କରୁନାହାନ୍ତି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି।

କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବିଗୁଡ଼ିକ ହେଲା:-

୧. ରାଜ୍ୟରେ ଖାଲି ପଡ଼ିଥିବା ୯୨୦୦୦ ରୁ ଉର୍ଦ୍ଧ୍ୱ ସରକାରୀ ପଦବୀ ତୁରନ୍ତ ପୂରଣ କର ।

୨. ରାଜ୍ୟରେ ଥିବା ପ୍ରତ୍ୟେକ କଳକାରଖାନାରେ ସର୍ବନିମ୍ନ ୭୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି ।

୩. ନିଶା ମୁକ୍ତ ଓ ର‌୍ୟାଗିଂ ମୁକ୍ତ ଫ୍ରି କ୍ୟାମ୍ପସ ।

୪. ଛାତ୍ରଛାତ୍ରୀଙ୍କୁ ସଂପୂର୍ଣ୍ଣ ମାଗଣା ବସ ସେବା ।

୫. ଏସସି, ଏସଟି, ଓବିସି ଛାତ୍ରଛାତ୍ରୀଙ୍କୁ ସାମାଜିକ ନ୍ୟାୟ ବ୍ୟବସ୍ଥାରେ ସାମ୍ବିଧାନିକ ଅଧିକାରର ଗ୍ୟାରେଣ୍ଟି ।

 ଏଥି ସହ କ୍ୟାମ୍ପସକୁ ସବୁଜ ଓ ନିର୍ମଳ ରଖିବା ଏବଂ କ୍ୟାମ୍ପସରେ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ଛାତ୍ର କଂଗ୍ରେସର ମୁଖ୍ୟ ଦାୟିତ୍ୱ ବୋଲି ବିଭୂତି ଭୂଷଣ ମହାପାତ୍ର ଘୋଷଣା କରିଛନ୍ତି । ବିଭୂତି ଭୂଷଣ ମହାପାତ୍ର ଓଡ଼ିଶାର ୩୫ ଟି ସାଂଗଠନିକ ଜିଲ୍ଲା ବୁଲି ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବା ସହ ପ୍ରତି କ୍ୟାମ୍ପସରେ ଛାତ୍ର କଂଗ୍ରେସର ଦାୟୀତ୍ୱ ଓ କର୍ତ୍ତବ୍ୟ ନିର୍ବାହ କାର୍ଯ୍ୟକୁ ମଧ୍ୟ କିପରି ଛାତ୍ର କଂଗ୍ରେସର କର୍ମୀମାନେ ସମ୍ପାଦନ କରିବେ ତାହାକୁ ପ୍ରାଥମିକତା ଦେବେ ।

Leave a Reply

Your email address will not be published. Required fields are marked *