ଆଜି ହେଉଛି ଆଲୋକର ମହାନ ପର୍ବ ଦୀପାବଳି। ଏହି ଅବସରରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ଦୀପାବଳୀ ପାଳନ କରାଯାଇଥାଏ । ଘରଠୁ ମନ୍ଦିର, ସବୁଠି ଦୀପ ଓ ଆଲୋକମାଳାରେ ସଜେଇ ହୋଇଛି ପରିବେଶ। ଅମାବାସ୍ୟାର ଅନ୍ଧକାରକୁ ଦୀପର ଆଲୋକରେ ଦୂର କରିବା ସହ ସୁଖ, ସମୃଦ୍ଧି ଓ ଶାନ୍ତି କାମନା କରୁଛନ୍ତି ଲୋକେ। ଘରେ ଘରେ ଦୀପ ଜଳାଇବା ସହ ମା’ ଲକ୍ଷ୍ମୀ ଓ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଉଛି। ରଙ୍ଗୋଲି, ଆଲୋକସଜ୍ଜା ଓ ମିଠା ବଣ୍ଟନରେ ଉତ୍ସବମୁଖର ହୋଇଛି ପରିବେଶ ।

ଏହା କେବଳ ଆଲୋକର ପର୍ବ ନୁହେଁ, ବରଂ ପାରମ୍ପରିକ ରୀତିନୀତି ଏବଂ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଏକ ଅନନ୍ୟ ପର୍ବ ଅଟେ। ଏହି ଦିନକୁ ‘ପୟା ଅମାବାସ୍ୟା’ ବା ‘କାର୍ତ୍ତିକ ଅମାବାସ୍ୟା’ ମଧ୍ୟ କୁହାଯାଏ। ଦୀପାବଳି ଦିନ ସଂଧ୍ୟାରେ ମହାଳୟା ଶ୍ରାଦ୍ଧ ଦିଆଯାଏ ଓ ପିତୃପୁରୁଷଙ୍କୁ ପିଠା ଉପରେ ଦୀପ ଆଲୋକ ପ୍ରଦାନ କରାଯାଏ । ଏହାସହ ଭଗବାନଙ୍କୁ ପୂଜାର୍ଚ୍ଚନା କରି କାଉଁରିଆ କାଠିରେ ନିଆଁ ଜଳାଯାଇ ବଡ଼ବଡୁଆ ଡକାଯାଇଥାଏ ।

ଦୀପାବଳି ପର୍ବ ପଛରେ ଅନେକଗୁଡ଼ିକ ପୌରାଣିକ କାହାଣୀ ରହିଛି। ଏହି ଦିନ ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ବିବାହ ଭଗବାନ ବିଷ୍ଣୁଙ୍କ ସହ ହୋଇଥିଲା ବୋଲି କେତେକ ପୁରାଣରେ ଉଲ୍ଲେଖ ରହିଛି। କେବଳ ଏତିକି ନୁହେଁ ଏହି ଦିନ ମା’ ମହାଲକ୍ଷ୍ମୀ ଜନ୍ମ ଗ୍ରହଣ କରିଥିବା କେତେକ ଶାସ୍ତ୍ରରୁ ଜଣାପଡ଼ିଛି।

କିନ୍ତୁ ଦୀପାବଳି ପର୍ବ ପାଳନର ପ୍ରକୃତ ଇତିହାସ କିଛି ଅଲଗା ବୋଲି କୁହାଯାଏ। ଅମାବାସ୍ୟା ଦିନ ଅଯୋଧ୍ୟାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ୧୪ ବର୍ଷ ବନବାସ ସାରି ଘରକୁ ଫେରିଥିଲେ। ରାମଚନ୍ଦ୍ରଙ୍କ ଘର ବାହୁଡ଼ାକୁ ଅଯୋଧ୍ୟାବାସୀ ହର୍ଷଉଲ୍ଲାସ ସହ ପାଳନ କରିଥିଲେ। ଅମାବାସ୍ୟାର ଅନ୍ଧକାର ରାତିରେ ସାରା ଅଯୋଧ୍ୟାକୁ ଆଲୋକିତ କରି ଶ୍ରୀରାମଙ୍କୁ ସ୍ୱାଗତ କରାଯାଇଥିଲା। ସେବେଠାରୁ ଆଜିଯାଏଁ ଅମାବାସ୍ୟାରେ ଦିପାବଳୀ ପର୍ବ ପାଳନ କରାଯାଉଛି ବୋଲି ବିଶ୍ୱାସ ରହିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀରେ ଦୀପାବଳିର ମହତ୍ତ୍ୱ ସମ୍ପୂର୍ଣ୍ଣ ଅଲଗା। ଏଠାରେ ମହାପ୍ରଭୁଙ୍କ ପାଖରେ ବଡ଼ବଡ଼ୁଆ ଡାକ ଏବଂ ବିଶ୍ୱପ୍ରସିଦ୍ଧ ମହାଦୀପ ପ୍ରଜ୍ୱଳନର ଅନନ୍ୟ ପରମ୍ପରା ରହିଛି। ଦୀପାବଳି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଦର୍ଶନ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବ୍ୟାପକ ପଦକ୍ଷେପ।

Leave a Reply

Your email address will not be published. Required fields are marked *