ଗଞ୍ଜାମ ଜିଲ୍ଲାରେ ବନ୍ୟା ବିପନ୍ନଙ୍କୁ ଭେଟିବା ଏବଂ ସରକାରୀ ସହାୟତାକୁ ନେଇ ରାଜନୀତି ସରଗରମ ହୋଇଛି। ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି । ଏହି ସମୟରେ ବନ୍ୟା ପ୍ରପୀଡ଼ିତଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ଏହାପରେ ନବୀନ ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି । ବନ୍ୟା ବିପନ୍ନଙ୍କୁ ଭେଟିବା ପରେ ସରକାରୀ ସହାୟତା ନଗଣ୍ୟ ବୋଲି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ କ୍ଷତି, ତୁଳନାରେ ସରକାର ଦେଉଥିବା ସହାୟତା ବହୁତ କମ୍ ଏବଂ ସରକାର ପ୍ରୋ-ଆକ୍ଟିଭ୍ ହୋଇ କାମ କରିବା ଆବଶ୍ୟକ। ଏହାପରେ ନବୀନ ପଟ୍ଟନାୟକଙ୍କ ଏହି ମନ୍ତବ୍ୟକୁ କଡ଼ା ଜବାବ ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ଯେ ବିପଦ ସମୟରେ ଗଞ୍ଜାମବାସୀଙ୍କ ପାଖରେ ନବୀନ ପହଞ୍ଚି ନଥିଲେ, ଯେଉଁଥିପାଇଁ ଆଜି ତାଙ୍କୁ ଗୋ-ବ୍ୟାକ୍ ନାରା ଦିଆଯାଉଛି। ସେ ଆଉ ମଧ୍ୟ କହିଛନ୍ତି ବନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ ରାଜନୀତି ନ କରି ଲୋକଙ୍କ ପାଖରେ ଛିଡ଼ା ହେବା ଉଚିତ। ମାତ୍ର ବିଜେଡି ଟିମ୍ର ଗଞ୍ଜାମ ଗସ୍ତ ଏକ ରାଜନୈତିକ ରାଲିରେ ପରିଣତ ହୋଇଥିଲା। ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ବୋଲି ସେ ମତ ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିପର୍ଯ୍ୟୟ ସ୍ଥିତିର ତଦାରଖ କରୁଥିଲେ। ଗଞ୍ଜାମ ଜିଲାର ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ପ୍ୟାକେଜ୍ ମଧ୍ୟ ଘୋଷଣା କରାଯାଇଛି। Post navigation Woman Attacks Inside Court Premises: କୋର୍ଟ ପରିସରରେ ମହିଳାଙ୍କ ଆକ୍ରମଣ; ଏପିପି ଓ ଜେଏମ୍ଏଫ୍ସି ଆହତ