ନବରଙ୍ଗପୁର ଜିଲ୍ଲାର ଝରିଗାଁ କୋର୍ଟ ପରିସରରେ ଜଣେ ମହିଳା ଲୁହା ରଡରେ ଆକ୍ରମଣ କରିବାରୁ ଜଣେ ଆସିଷ୍ଟାଣ୍ଟ ପବ୍ଲିକ୍ ପ୍ରସିକ୍ୟୁଟର (ଏପିପି), ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ କ୍ଲାସ୍ (ଜେଏମ୍ଏଫ୍ସି) ଓ ଜଣେ କୋର୍ଟ କର୍ମଚାରୀ ଆହତ ହୋଇଛନ୍ତି । ଶୁକ୍ରବାର ଅପରାହ୍ନ ପ୍ରାୟ ୧ଟାରେ ଏହି ଘଟଣା ଘଟିଥିବା ନେଇ ଝରିଗାଁ ଥାନାରେ ଅଭିଯୋଗ ହୋଇଛି । ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗକାରୀ ଦାବି କରିଛନ୍ତି । ଅଭିଯୋଗ ଅନୁଯାୟୀ, ଆହତ ଏପିପି ପ୍ରଦୀପ କୁମାର ପଟ୍ଟନାୟକ (୬୦) ସାକ୍ଷୀଙ୍କ ବୟାନ ରେକର୍ଡ କରିବା ପରେ ପ୍ରାୟ ଅପରାହ୍ନ ୧ଟାରେ କୋର୍ଟ ବାର୍ ରୁମ୍କୁ ଯାଇଥିଲେ । ସେଠାରେ ଜିଆର୍ କେସ୍ ନଂ ୧୪/୨୦୨୬ର ଅଭିଯୋଗକାରିଣୀ ସନମତି ମାଝୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହି ମାମଲାର ଶୁଣାଣି ନଭେମ୍ବର ୨, ୨୦୨୬ରେ ହେବାକୁ ଧାର୍ଯ୍ୟ ହୋଇଥିଲା । ପ୍ରଦୀପ ଫୋନ୍ରେ କଥା ହେଉଥିବା ସମୟରେ ସନମତି ହଠାତ୍ ଏକ ଲୁହା ରଡ୍ରେ ତାଙ୍କ ମୁଣ୍ଡକୁ ଆଘାତ କରିଥିବା ଅଭିଯୋଗ ହୋଇଛି । ପରେ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ପ୍ରଦୀପଙ୍କୁ ଉଦ୍ଧାର କରିବା ପାଇଁ କୋର୍ଟ କର୍ମଚାରୀ ଓ ଅନ୍ୟ ସାକ୍ଷୀମାନେ ଆଗେଇ ଆସିବା ସହ ଝରିଗାଁ ଜେଏମ୍ଏଫ୍ସି ସ୍ମିତା ଲାକ୍ରା ମଧ୍ୟ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ମହିଳା ଜଣଙ୍କ ତାଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେହିପରି କୋର୍ଟ କର୍ମଚାରୀ ସିଏସ୍ଆଇ ମିନକେତନ ଗନ୍ତାୟତ ମଧ୍ୟ ଆହତ ହୋଇଛନ୍ତି । ପ୍ରଦୀପ ପଟ୍ଟନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ମହିଳା ଜଣଙ୍କ ଲୁହା ରଡ୍ ଧରି ପୂର୍ବ ପ୍ରସ୍ତୁତି ସହ ଆସିଥିଲେ ଏବଂ ସରକାରୀ କାର୍ଯ୍ୟ ସମ୍ପାଦନ କରୁଥିବା ସମୟରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ସେ ହତ୍ୟା ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି । ଆକ୍ରମଣରେ ବ୍ୟବହୃତ ଲୁହା ରଡ୍କୁ କୋର୍ଟର ସିଏସ୍ଆଇ ଜବତ କରିଛନ୍ତି । ଏହି ଘଟଣାରେ ଏତଲା ରୁଜୁ କରି ତଦନ୍ତ କରିବା ସହ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଝରିଗାଁ ଥାନା ଆଇଆଇସିଙ୍କୁ ଅନୁରୋଧ କରିଛନ୍ତି । Post navigation Madhu Babu Pension Yojana: ଆସନ୍ତା ନଭେମ୍ବର ୧୦ରେ ୫.୦୫ ଲକ୍ଷରୁ ଅଧିକ ହିତାଧିକାରୀ ପାଇବେ ସହାୟତା Ganjam Flood Politics: ଗଞ୍ଜାମ ବନ୍ୟା ବିପନ୍ନଙ୍କୁ ଭେଟିଲେ ବିଜେଡି ସୁପ୍ରିମୋ: କଡ଼ା ସମାଲୋଚନା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ