ରାଜ୍ୟରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଏବଂ ସମ୍ବେଦନଶୀଳ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟର ଦକ୍ଷିଣାଞ୍ଚଳରେ ଘଟିଥିବା ବ୍ୟାପକ କ୍ଷୟକ୍ଷତି ଏବଂ ଦୁର୍ଦ୍ଦଶାଗ୍ରସ୍ତ ଲୋକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ନିଜ ସରକାରୀ ବାସଭବନରେ ଦୀପାବଳି ନ ପାଳିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି।

ଏ ନେଇ ଆଜି ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇ ସେ ଚଳିତ ବର୍ଷ କୌଣସି ପ୍ରକାର ଉତ୍ସବ ଆୟୋଜନ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏହାସହ ଦୀପାବଳି ଅବସରରେ ତାଙ୍କ ବାସଭବନକୁ କୌଣସି ପ୍ରକାର ଉପହାର କିମ୍ବା ପୁଷ୍ପଗୁଚ୍ଛ ନ ଆଣିବାକୁ ସେ ଶୁଭେଚ୍ଛୁ ଓ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ଏହି ଦୁର୍ଦ୍ଦିନରେ ବିପର୍ଯ୍ୟୟ ପ୍ରଭାବିତ ପରିବାରଗୁଡ଼ିକର ପାଖରେ ଠିଆ ହୋଇ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଆଦି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଥିବାବେଳେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

Leave a Reply

Your email address will not be published. Required fields are marked *