ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବର୍ତ୍ତମାନ ହୃଦବିଦାରକ ସ୍ଥିତି ସୃଷ୍ଟି ହୋଇଛି। ଆଜି ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନ୍ୱେଷଣକାରୀ ଦଳ ଗଞ୍ଜା, ଛତ୍ରପୁର, ପୁରୁଷୋତ୍ତମପୁର, ଆସ୍କା ଏବଂ କବିସୂର୍ଯ୍ୟନଗର ଆଦି ପ୍ରଭାବିତ ଅଞ୍ଚଳ ଗସ୍ତ କରି ପ୍ରତ୍ୟକ୍ଷ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୟଙ୍କର ବନ୍ୟା ପରର ଦୃଶ୍ୟ ଅତ୍ୟନ୍ତ ହୃଦବିଦାରକ ଥିଲା ।ବନ୍ୟା ଜଳ ସିନା ପଛକୁ ହଟିଯାଇଛି, ହେଲେ ସେ ପଛରେ ଛାଡ଼ିଯାଇଛି ଉଜୁଡ଼ା ସଂସାରର କରୁଣ ଚିତ୍ର। ଲୋକଙ୍କର ମାଟିଘରସବୁ ଭାଙ୍ଗିରୁଜି ମାଟିରେ ମିଶିଯାଇଥିବା ବେଳେ ବର୍ଷସାରା ସାଇତି ରଖିଥିବା ଖାଦ୍ୟଶସ୍ୟ ଏବଂ କୋମଳମତି ଶିଶୁଙ୍କ ପାଠପଢ଼ା ବହିଖାତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା ବୃଦ୍ଧା ମାଆଟିଏ ଆଜି ପୁଣି ଥରେ ନିଜ ଭଙ୍ଗା ଝାଟିମାଟି ଘରକୁ ସଜାଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ସରସ୍ୱତୀ କାଦୁଅ ଭିଜା ବହିପତ୍ର ଭିତରୁ ଆପଣାର ହଜିଯାଇଥିବା ଭବିଷ୍ୟତକୁ ଖୋଜିବାରେ ଲାଗିଛି। ନବରତ୍ନପୁରରେ ବନ୍ୟା ମାଡରେ ବଡ଼ବଡ଼ କୋଠା ଭୁଶୁଡ଼ି ପଡ଼ିଛି । ଅଧିକାଂଶ ସ୍ଥାନରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସେମାନଙ୍କ ପାଖକୁ ମହମବତୀଟେ ବି ଯୋଗାଇ ଦିଆଯାଇ ପାରୁନି । ଧାନ ଚାଷ ସମେତ ପନିପରିବା ଫସଲ ସଂପୂର୍ଣ୍ଣ ଉଜୁଡ଼ି ଯାଇଛି । ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, କୁକୁଡ଼ା, ବତକ ଆଦି ଜୀବଜନ୍ତୁ ମଧ୍ଯ ବନ୍ୟା ଦୁର୍ଦ୍ଦଶାରୁ ବର୍ତ୍ତିପାରି ନାହାନ୍ତି । ଏତେ ସବୁ ଘଟଣା ଘଟିଗଲା ପରେ ବି ସରକାରଙ୍କ ସ୍ଥାଣୁତା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ବନ୍ୟା ପ୍ରପୀଡିତ ଲୋକଙ୍କ ପାଖରେ ଏ ପର୍ଯ୍ୟନ୍ତ ଠିକ୍ ଭାବରେ ରନ୍ଧା ଖାଦ୍ୟ ପହଞ୍ଚାଇବାରେ ସରକାର ବିଫଳ । ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ । ଅଞ୍ଚଳର ଅବସ୍ଥା ଦେଖି ଜଣାପଡୁଛି ସରକାର ବନ୍ୟା ପୀଡ଼ିତାଙ୍କୁ ମ୍ୟାଲେରିଆ, ଡାଇରିଆ ଓ ଚର୍ମ ରୋଗ ଭଳି ଘାତକ ଅବସ୍ଥାକୁ ଠେଲି ଦେଉଛନ୍ତି । ଶାସକ ଦଳର ସାଂସଦ ଏବଂ ସର୍ବାଧିକ ସଂଖ୍ୟକ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ଥିବା ସତ୍ତ୍ବେ ଲୋକଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ନ ପହଞ୍ଚିବା ଦୁର୍ଭାଗ୍ୟ ଜନକ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଅଥବା ଦୁଇ ଦୁଇ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ କେହି ବି ଜଣେ ଲୋକଙ୍କ ଦୁଃଖ ବୁଝିବା ପାଇଁ ସମୟ ନ ଥିଲା ବେଳେ ଲୋକ ଦେଖାଣିଆ ଲୋକତନ୍ତ୍ର ବଞ୍ଚେଇବା ପାଇଁ ନାଟକ ବାଜି କରୁଛନ୍ତି । ଦୁର୍ଭାଗ୍ୟର କଥା ନା ମୁଖ୍ୟମନ୍ତ୍ରୀ କୋଟିଆକୁ ବଞ୍ଚେଇ ପାରିଲେ ନା ଗଂଜାମ ଜିଲ୍ଲାକୁ ବନ୍ୟାରୁ ବଞ୍ଚେଇ ପାରିଲେ । ଯଦି ସରକାର ବନ୍ୟା ସମ୍ପର୍କିତ ଆଗୁଆ ସୂଚନା ଅଞ୍ଚଳବାସୀଙ୍କୁ ଜଣେଇ ପାରିଥାନ୍ତେ ଓ ତଳିଆ ଅଞ୍ଚଳର ଲୋକଙ୍କୁ ଠିକଣା ସମୟରେ ସ୍ଥାନାନ୍ତର କରିଥାନ୍ତେ, ଆଜି ଗଞ୍ଜାମ ଜିଲ୍ଲା ବାସୀଙ୍କୁ ଏଭଳି ଦୁର୍ଦ୍ଦିନରେ ସମ୍ମୁଖୀନ ହେବାକୁ ପଡି ନ ଥାଆନ୍ତା। ସରକାର ତୁରନ୍ତ ମୃତ ଚାଷୀଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଅନ୍ତୁ, ଉଜୁଡ଼ି ଯାଇଥିବା ଶସ୍ୟର ଏମଏସପି ଆଧାରିତ ୫୦ ପ୍ରତିଶତ କ୍ଷତି ପୂରଣ ଦିଅନ୍ତୁ । ଗୃହ ଭାଙ୍ଗିଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ । ପ୍ରତି ବନ୍ୟା ପ୍ରଭାବିତ ଗାଁ ଏବଂ ପଡାରେ ଅସ୍ଥାୟୀ ପ୍ରସାଶନିକ ସହାୟତା କେନ୍ଦ୍ର ତୁରନ୍ତ ଖୋଲନ୍ତୁ । ଲୋକଙ୍କୁ ଯୁଦ୍ଧ କାଳୀନ ଭିତ୍ତିରେ ରନ୍ଧା, ଶୁଖିଲା ଖାଦ୍ୟ, ପାନୀୟ, ଔଷଧାଦିର ଆବଶ୍ୟକୀୟ ଜିନିଷ ତୁରନ୍ତ ଯୋଗାଇ ଦିଅନ୍ତୁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ ପାଖରେ ଦାବି ରଖିଛନ୍ତି । ଏଇ ଟିମରେ ରାଜ୍ୟ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ଗଣମାଧ୍ୟମ ବିଭାଗ ମୁଖ୍ୟ ଅରବିନ୍ଦ ଦାସ, ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ, ସୋନାଲି ସାହୁ, ଦେବକାନ୍ତ ଶର୍ମା, ରାଜ୍ଯ ମୁଖପାତ୍ର ଡ. ମନୀଷା ଦାସ ପଟ୍ଟନାୟକ, ଗଂଜାମ (ପୂର୍ବ) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ପଶ୍ଚିମ ସଭାପତି ଦଣ୍ଡପାଣି ପାତ୍ର, ଅଶୋକ ପଟ୍ଟନାୟକ, ସାକା ସୁଜିତ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ଉକ୍ତ ଟିମ୍ ବନ୍ୟା ପ୍ରପୀଡ଼ିତ ଭଞ୍ଜ ନଗର, ସୋରଡ଼ା, ଧରାକୋଟ, ଜହଡା, ସିଂଘିପୂର୍ ଆଦି ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । Post navigation Electoral Roll Revision in Odisha: ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି: ଆସନ୍ତା ଜାନୁଆରୀରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା